ବୀରଭୂମ ହିଂସା: ୨୪ଘଣ୍ଟାରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ କଲିକତା ହାଇକୋର୍ଟ

କୋଲକାତା: ପଶ୍ଚିମବଙ୍ଗର ବୀରଭୂମରେ ଟିଏମସି ନେତାଙ୍କ ହତ୍ୟା ପରେ ବଢ଼ୁଛି ହିଂସା। ନେତାଙ୍କୁ ହତ୍ୟା କରାଯିବା ପରେ ଏହାର ପ୍ରତିଶୋଧ ନେବା ପାଇଁ କିଛି ଦୁର୍ବୃତ୍ତ ୫ଟି ଘରେ ତାଲା ପକାଇ ନିଆଁ ଲଗାଇ ଦେଇଥିଲେ। ଏହି କାରଣରୁ ୮ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ବୀରଭୂମର ରାମପୁରହାଟରେ ଘଟିଥିଲା। ଏବେ କଲିକତା ହାଇକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ୨୪ଘଣ୍ଟା ମଧ୍ୟରେ ବୀରଭୂମ ଜିଲ୍ଲାର ରାମପୁରହାଟରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାର ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଘଟଣା ଘଟିଥିବା ଅଞ୍ଚଳରେ ସିସିଟିଭି କ୍ୟାମେରା ଲଗାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବା ସହ ଦିଲ୍ଲୀର ସେଣ୍ଟ୍ରାଲ ଫରେନସିକ୍ ସାଇନ୍ସ ଲାବୋରେଟୋରୀର ଏକ ଟିମ୍ ଅଗ୍ନିକାଣ୍ଡ ଘଟଣାସ୍ଥଳରୁ ନମୁନା ସଂଗ୍ରହ କରିବାକୁ ପଠାଯିବ ବୋଲି ହାଇକୋର୍ଟ କହିଛନ୍ତି। କୌଣସି ପ୍ରମାଣ ନଷ୍ଟ ନହେବା ସହ ପ୍ରତ୍ୟେକ ଗ୍ରାମବାସୀ ଓ ସାକ୍ଷୀଙ୍କ ସୁରକ୍ଷା ଜିଲ୍ଲା କୋର୍ଟ ଏବଂ ରାଜ୍ୟ ଡିଜିପି ନିଶ୍ଚିତ କରିବେ। ଏହା ସହ ଯଦି ଶବବ୍ୟବଚ୍ଛେଦ ହେବା ବାକି ରହିଛି, ତେବେ ଏହାର ଭିଡିଓ ରେକର୍ଡ କରିବାକୁ ପଡିବ ବୋଲି କହିଛନ୍ତି କଲିକତା ହାଇକୋର୍ଟ।

ଏହା ପୂର୍ବରୁ ପଶ୍ଚିମ ବଙ୍ଗର ବୀରଭୂମ ଜିଲ୍ଲାରେ ହୋଇଥିବା ହିଂସା ମାମଲାରେ ରିପୋର୍ଟ ତଲବ କରିଥିଲେ କେନ୍ଦ୍ର ସରକାର । ୭୨ ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା।

ତେବେ ରାମପୁରହାଟରେ ଟିଏମସି ଉପାଧ୍ୟକ୍ଷଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ଏଭଳି କାଣ୍ଡ କରିଛନ୍ତି ଦୁର୍ବୃତ୍ତ। ୫ଟି ଘରର କବାଟ ବନ୍ଦ କରି ଦୁର୍ବୃତ୍ତ ନିଆଁ ଲଗାଇ ଦେବାରୁ  ୮ ଜଣଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର