କର୍କଟ-କୋଭିଡ୍ ରୋଗୀଙ୍କ ପାଇଁ ଏଚ୍ସିକ୍ୟୁ ସହ ଆଜିଥ୍ରୋମାଇସିନର ମିଶ୍ର ପ୍ରୟୋଗ ହାନିକାରକ : ଆମେରିକୀୟ ଅନୁଧ୍ୟାନ
ଚିକାଗୋ: ବର୍ତ୍ତମାନ ସୁଦ୍ଧା ମହାମାରୀ କୋଭିଡ୍–୧ର ମୁକାବିଲା କରିବା ପାଇଁ କୌଣସି ଟିକା କିମ୍ବା ପ୍ରମାଣସିଦ୍ଧ ଉପଚାର ପଦ୍ଧତି ସ୍ଥିରୀକୃତ ହୋଇନାହିଁ। ତେବେ ଅନେକ ରାଷ୍ଟ୍ରରେ ବିକଳ୍ପ ଭାବେ ଏହି ଘାତକ ରୋଗର ନିବାରଣ ଲାଗି ମ୍ୟାଲେରିଆ ଔଷଧ ହାଇଡ୍ରକ୍ସିକ୍ଲୋରୋକ୍ବିନ୍(ଏଚ୍ସିକ୍ୟୁ) ସହ ରୋଗପ୍ରତିରୋଧୀ ଔଷଧ ଆଜିଥ୍ରୋମାଇସିନ୍ର ଉପଯୋଗକୁ ପ୍ରାଥମିକତା ଦିଆଯାଉଛି। ତେବେ କୋଭିଡ୍ ସଂକ୍ରମିତ କର୍କଟ ରୋଗୀଙ୍କ ଠାରେ ଉପରୋକ୍ତ ଦୁଇଟି ଔଷଧର ମିଶ୍ର ପ୍ରୟୋଗ ଅଧିକ ଘାତକ ହେବ ବୋଲି ଏକ ଆମେରିକୀୟ ଅନୁଧ୍ୟାନରୁ ଜଣାଯାଇଛି। ଏପରିକି ଏହି ଔଷଧ ମଧ୍ୟରୁ ଯେକୌଣସି ଗୋଟିଏ ଗ୍ରହଣ କରୁଥିବା ରୋଗୀ ଅପେକ୍ଷା ଦୁଇଟି ଯାକ ନେଉଥିବା ରୋଗୀର ୩୦ ଦିନ ଭିତରେ ମୃତ୍ୟୁ ଆଶଙ୍କା ୩ ଗୁଣା ଅଧିକ ବୋଲି ୱାଣ୍ତରବିଲ୍ଟ ବିଶ୍ବବିଦ୍ୟାଳୟର ଗବେଷକମାନେ କହିଛନ୍ତି। ଗତ ମାର୍ଚ୍ଚରୁ ଏପ୍ରିଲ ମାସ ଭିତରେ କରୋନାଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ୯୨୫ ଜଣ କର୍କଟ ରୋଗୀଙ୍କ ଉପରେ ଅନୁଧ୍ୟାନ ଚଳାଇ ଏପରି ନିର୍ଯାସ ମିଳିପାରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସେମାନଙ୍କ ମଧ୍ୟରୁ ୧୩ ପ୍ରତିଶତଙ୍କର ୩୦ ଦିନ ଭିତରେ ହିଁ ମୃତ୍ୟୁ ଘଟିଥିଲା ବୋଲି ଅନ୍ୟତମ ଗବେଷକ ଡା. ଜେରେମି ୱାର୍ଣ୍ଣର ସୂଚନା ଦେଇଛନ୍ତି। ସେହିପରି କରୋନା ସଂକ୍ରମଣ ବେଳକୁ ଯେଉଁ ରୋଗୀଙ୍କର କର୍କଟ ସ୍ଥିତି ବଗିଡ଼ିଚାଲିଥାଏ, ସେମାନଙ୍କ କ୍ଷେତ୍ରରେ ମୃତ୍ୟୁ ଆଶଙ୍କା ୫ ଗୁଣା ଅଧିକ ବୋଲି ଏଥିରେ କୁହାଯାଇଛି। ତେଣୁ କୋଭିଡ୍-୧୯ର ଉପଚାର ଭାବେ ଏଚ୍ସିକ୍ୟୁ ସହ ଆଜିଥ୍ରୋମାଇସିନର ମିଶ୍ର ପ୍ରୟୋଗ ପୂର୍ବରୁ ତାହାର ପାର୍ଶ୍ବ ପ୍ରତିକ୍ରିୟା ପ୍ରତି ନଜର ଦେବାକୁ ଡା. ୱାର୍ଣ୍ଣର ଚେତେଇ ଦେଇଛନ୍ତି।
ଏଠାରେ ସୂଚନାଯୋଗ୍ୟ, କୋଭିଡ୍-୧୯ ରୋଗୀମାନଙ୍କ କ୍ଷେତ୍ରରେ ବିକ୍ଷିପ୍ତ ଭାବେ ଏଚ୍ସିକ୍ୟୁ ବ୍ୟବହାର ନ କରିବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଗତ ସୋମବାର ନିଷ୍ପତ୍ତି ନେବା ପରେ ଫ୍ରାନ୍ସ, ଇଟାଲୀ ଓ ବେଲଜିଅମ୍ ସରକାର ସେମାନଙ୍କ ଦେଶରେ ଏହି ଔଷଧ ର ଉପଯୋଗ ଉପରେ କଟକଣା ଲଗାଇଛନ୍ତି।