ନୂଆଦିଲ୍ଲୀ: ସଦ୍‌ଗୁରୁ ଜା‌ଗୀ ବାସୁଦେବଙ୍କ ଈଶା ଫାଉଣ୍ଡେସନ୍‌ ବିରୋଧରେ ମାଡ୍ରାସ୍‌ ହାଇକୋର୍ଟରେ ଚାଲିଥିବା ମକଦ୍ଦମାକୁ ସୁପ୍ରିମକୋର୍ଟ ଆଜି ରଦ୍ଦ କରିଦେଇଛନ୍ତି।  ଉଲ୍ଲେଖଯୋଗ୍ୟ,  ଈଶା ଫାଉଣ୍ଡେସନ୍‌ ବିରୋଧରେ ସଦ୍‌ଗୁରୁଙ୍କ ଆଶ୍ରମରେ ରହୁଥିବା ଦୁଇ ଜଣ ମହିଳାଙ୍କ ପିତା ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ୨ ଝିଅ ଗୀତା ଏବଂ ଲତାଙ୍କୁ ତାମିଲନାଡ଼ୁର କୋଏମ୍ବାଟୁର ସ୍ଥିତ  ସଦଗୁରୁଙ୍କ ଆଶ୍ରମରେ ରହିବା ପାଇଁ ବାଧ୍ୟ କରାଯାଇଥିଲା। ସେମାନଙ୍କୁ  ପରିବାର ସହ ଯୋଗାଯୋଗ କରିବାକୁ ଦିଆଯାଉନାହିଁ ଏବଂ   ବେଆଇନ ଭାବେ ସେଠାରେ ଅଟକ ରଖାଯାଇଥିଲା ବୋଲି ତାଙ୍କ ବାପା ଦାବି କରିଥିଲେ ଏବଂ ଏନେଇ  ହାଇକୋର୍ଟରେ ଆବେଦନ କରିଥିଲେ। ଏଭଳି ମାମଲା ବିରୋଧରେ ଆଶ୍ରମ ପକ୍ଷରୁ ସୁପ୍ରିମ୍‌ କୋର୍ଟରେ  ଆବେଦନ କରାଯାଇଥିଲା।   ଉଭୟ ଗୀତା ଏବଂ ଲତା ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠଙ୍କୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ କହିଥିଲେ ଯେ ଆଶ୍ରମରେ ସେମାନେ ନିଜ ଇଚ୍ଛାରେ ରହୁଛନ୍ତି ଏବଂ ସେମାନଙ୍କ ଉପରେ ସାମାନ୍ୟତମ ଚାପ ବି ନାହିଁ ।  ସୁପ୍ରିମ୍‌କୋର୍ଟ ଆଜି ହାଇକୋର୍ଟରେ ଚାଲିଥିବା ମାମଲାକୁ  ଖାରଜ କରିଦେଇଛନ୍ତି।  ତେବେ କୋର୍ଟଙ୍କର ଏହି ରାୟ କେବଳ ଏହି ଗୋଟିଏ ମାମଲା ପାଇଁ। ପୂର୍ବରୁ ଆଶ୍ରମ ବିରୋଧରେ ଥିବା ଅନ୍ୟ ମାମଲା  ଚାଲୁ ରହିବ ବୋଲି ଜଣାପଡ଼ିଛି।     

Advertisment

ବ୍ୟକ୍ତି ଓ ଅନୁଷ୍ଠାନକୁ ବଦ୍‌ନାମ୍‌ କରିବା ପାଇଁ ବିଚାରପ୍ରକ୍ରିୟାକୁ ବ୍ୟବହାର କରାଯାଇପାରିବ ନାହିଁ

ସୁପ୍ରିମ୍‌କୋର୍ଟ ମଧ୍ୟ ଏହି ମାମଲାରେ ଆଜି ମାଡ୍ରାସ୍‌ ହାଇକୋର୍ଟଙ୍କ ଆଭିମୁଖ୍ୟକୁ ସମାଲୋଚନା କରିଛନ୍ତି।  ୨ ମହିଳାଙ୍କ ବାପାଙ୍କ   ଆବେଦନ ଆଧାରରେ ମାଡ୍ରାସ ହାଇକୋର୍ଟ ଆଶ୍ରମ ବିରୋଧରେ ପୁଲିସ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ଈଶା ଫାଉଣ୍ଡେସନ୍‌ ଆଶ୍ରମରେ ଅତ୍ୟନ୍ତ ବେପରୁଆ ଢଙ୍ଗରେ ଚଢ଼ଉ କରିଥିଲା।  ତେବେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ କହିଛନ୍ତି ଯେ ୨ ଝିଅଙ୍କ ମଧ୍ୟରୁ କେହି ବି ନାବାଳିକା ନୁହନ୍ତି। ସେମାନେ ଆଶ୍ରମରେ ଯୋଗ ଦେବା ସମୟରେ ସେମାନଙ୍କ ବୟସ ୨୭ ଏବଂ ୨୪ ଥିଲା। ପିଟିସନ୍‌ ଆଧାରରେ କେବଳ ହାଇକୋର୍ଟରେ ସେମାନେ ହାଜର ହୋଇଥିଲେ ଚଳିଥାନ୍ତା। କୌଣସି ପରବର୍ତ୍ତୀ ନିର୍ଦ୍ଦେଶ ଦେବାର ଆବଶ୍ୟକତା ନଥିଲା ବୋଲି ଖଣ୍ଡପୀଠ କହିଛନ୍ତି। କୌଣସି ବ୍ୟକ୍ତିଙ୍କୁ କିମ୍ବା ଅନୁଷ୍ଠାନକୁ ଅପମାନିତ କରିବାପାଇଁ ବିଚାରଣକୁ ବ୍ୟବହାର କରାଯାଇପାରିବନି ବୋଲି ପ୍ରଧାନ ବିଚାରପତି କହିଛନ୍ତି।   ମହିଳାଙ୍କ ବାପାଙ୍କ ଅଭିଯୋଗ ଆଧାରହୀନ  ହୋଇଥିବା ଦର୍ଶାଇ ସୁପ୍ରିମ୍‌କୋର୍ଟ ପୂର୍ବରୁ ପୁଲିସ ତଦନ୍ତ ନିର୍ଦ୍ଦେଶକୁ  ବନ୍ଦ କରିଦେଇଥିଲେ।  

ଅନ୍ୟପକ୍ଷେ ତାମିଲନାଡ଼ୁ ପୁଲିସ ଈଶା ଫାଉଣ୍ଡେସନ୍‌ ବି‌ରୋଧରେ ଆହୁରି ସାଂଘାତିକ ଅଭିଯୋଗ ଆଣିଛି।  କୋଏମ୍ବାଟୁର ଏସ୍‌ପି କେ କାର୍ତ୍ତିକେୟନ କହିଛନ୍ତି, ଅଲନ୍ଦୁରାଇ ଥାନାରେ ଈଶା ଫାଉଣ୍ଡେସନ୍‌ ବିରୋଧରେ ଗତ ୧୫ ବର୍ଷ ମଧ୍ୟରେ ୬ ଜଣ  ବ୍ୟକ୍ତି ନିଖୋଜ ହୋଇଥିବା ନେଇ ଅଭିଯୋଗ ରହିଛି। ଏଥି ମଧ୍ୟରୁ ୫ଟି ମାମଲା ବନ୍ଦ ହୋଇସାରିଛି ଏବଂ ଆହୁରି ଗୋଟିଏ ମାମଲାରେ ଏବେ ବି ତଦନ୍ତ ଚାଲିଛି।