୨୦୦୦ କିମି ଚାଲିବା ପରେ ସାପ କାମୁଡ଼ାରେ ମୃତ୍ୟୁ

ବେଙ୍ଗାଲୁରୁ: ବେଙ୍ଗାଲୁରୁରୁ ୨,୦୦୦ କିମି ଦୂର ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରେ ପହଞ୍ଚିବାକୁ ୨୩ ବର୍ଷୀୟ ସଲମାନ୍‌ ଖାନ୍‌ଙ୍କୁ ୧୨ ଦିନ ଲାଗିଲା। ଘରେ ପହଞ୍ଚିବା ପରେ ତାଙ୍କୁ ମା’ କୋଳେଇ ନେଲେ। କିନ୍ତୁ ଏହାର ମାତ୍ର ଘଣ୍ଟାଏ ପରେ ପୁଅର ସାପ କାମୁଡ଼ାରେ ମୃତ୍ୟୁ ହୋଇଯାଇଛି। ସଲମାନ୍‌ଙ୍କ ମା’ ରୁକଶାନ୍‌, ପୁଅର ମୃତ୍ୟୁ ଖବର ପାଇ ଚଲାବୁଲା ବି କରିପାରୁ ନାହାନ୍ତି। ପରିବାରର ଏକମାତ୍ର ରୋଜଗାରିଆ ପୁଅର ମୃତ୍ୟୁ, ପରିବାରକୁ ସ୍ତବ୍ଧ କରିଦେଇଛି। ସଲମାନ୍‌ କାମ ସନ୍ଧାନରେ ଗତବର୍ଷ ଡିସେମ୍ବର ୨୯ରେ ବେଙ୍ଗାଲୁରୁ ଯାଇଥିଲେ। ଗୋଣ୍ଡା ସ୍ଥିତ ତାଙ୍କ ଗ୍ରାମର ଅନ୍ୟ କିଛି ସଦସ୍ୟ ମଧ୍ୟ ତାଙ୍କ ସହ ବେଙ୍ଗାଲୁରୁ ଯାଇ ସେଠାରେ ନିର୍ମାଣ ଶ୍ରମିକ କାମ କରି ପ୍ରତି ମାସ‌ରେ ଘରକୁ ଟଙ୍କା ପଠାଇଥିଲେ। କିନ୍ତୁ ଲକ୍‌ଡାଉନ୍‌ ଯୋଗୁଁ ତାଙ୍କ ଚାକିରି ଚାଲିଗଲା‌ ଏବଂ ସେ ଘରକୁ ଫେରିବାକୁ ନିଷ୍ପତ୍ତି ନେଲେ। ମେ’ ୧୨ ତାରିଖରେ ସେ ଓ ଅନ୍ୟମାନେ ଗୋଣ୍ଡା ଅଭିମୁଖେ ଚାଲିଚାଲି ଯାତ୍ରାରମ୍ଭ କଲେ। ଗୋଣ୍ଡାରେ ପହଞ୍ଚି କିଛିଦିନ କ୍ବା‌ରାଣ୍ଟିନ୍‌ରେ ରହ‌ି ମେ’ ୨୬ରେ ଏକ ଆଖୁ ପଦରରେ ପଶିଥିବାବେଳେ ତାଙ୍କୁ ସାପ କାମୁଡ଼ି ଦେଇଥିଲା।

ସମ୍ବନ୍ଧିତ ଖବର