ନୂଆଦିଲ୍ଲୀ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ର ସୂଚନା ଅନୁସାରେ କୋଭିଡ୍-୧୯ର ଏକ ନୂଆ ମ୍ୟୁଟାଣ୍ଟ ‘ଏକ୍ସଇ’ର ଆବିର୍ଭାବ ଘଟିଛି ଯାହା ଆଜିଯାଏ ସବୁଠାରୁ ଦ୍ରୁତ ସଂକ୍ରମଣଶୀଳ ବୋଲି କୁହାଯାଉଥିବା ଓମିକ୍ରନ୍ର ସବ୍-ଭାରିଆଣ୍ଟ ବିଏ.୨ଠାରୁ ୧୦ ପ୍ରତିଶତ ଅଧିକ ସଂକ୍ରମଣଶୀଳ। ଓମିକ୍ରନ୍ର ଦୁଇଟି ଉପକିସମ ବିଏ.୧ ଓ ବିଏ.୨ର ମିଶ୍ରିତ ରୂପ ହେଉଛି ଏକ୍ସଇ। ତେଣୁ ଏହା ସେପର୍ଯ୍ୟନ୍ତ ଓମିକ୍ରନ୍ର ହିଁ ଏକ ସବ୍-ଭାରିଆଣ୍ଟ ଭାବେ ବିବେଚିତ ହେଉଥିବ ଯେପର୍ଯ୍ୟନ୍ତ ଏହା ସୃଷ୍ଟି କରୁଥିବା ରୋଗର ଲକ୍ଷଣ, ଭୟାବହତା, ସଂକ୍ରମଣଶୀଳତା ଆଦିରେ ଉଲ୍ଲେଖନୀୟ ପାର୍ଥକ୍ୟ ପରିଲକ୍ଷିତ ନ ହୋଇଛି। ମାର୍ଚ୍ଚ ୨୯ରେ ପ୍ରକାଶିତ ହୁ’ର ସାପ୍ତାହିକ ମହାମାରୀତାତ୍ତ୍ବିକ (ଏପିଡେମିଓଲୋଜିକାଲ) ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି।
ପ୍ରାଥମିକ ଆକଳନରୁ ଜଣାଯାଇଛି ଯେ, ବିଏ.୨ଠାରୁ ଏହା ୧୦ ପ୍ରତିଶତ ଅଧିକ ସଂକ୍ରାମକ। କିନ୍ତୁ ଏହାକୁ ସୁନିଶ୍ଚିତ କରିବା ପାଇଁ ଅଧିକ ଅନୁଧ୍ୟାନର ଆବଶ୍ୟକତା ରହିଛି। ବର୍ତ୍ତମାନ ଯାଏ ବିଏ.୨ ସବୁଠାରୁ ସଂକ୍ରାମକର ମାନ୍ୟତା ପାଇଛି। ବିଶ୍ବରେ ସମ୍ପ୍ରତି ଯେତେ କରୋନା ରୋଗୀ ଅଛନ୍ତି ସେମାନଙ୍କ ମଧ୍ୟରେ ୮୬ ପ୍ରତିଶତ ହେଉଛନ୍ତି ବିଏ.୨ ଦ୍ବାରା ପୀଡ଼ିତ। ଏକ୍ସଇ ମ୍ୟୁଟାଣ୍ଟ ପ୍ରଥମେ ଗତ ଜାନୁଆରି ୧୯ରେ ଇଂଲଣ୍ଡରେ ଚିହ୍ନଟ ହୋଇଥିଲା। ସେହିଦିନଠାରୁ ଆଜିଯାଏ ଏହାଦ୍ବାରା ପୀଡ଼ିତ ୬୦୦ରୁ ଊର୍ଦ୍ଧ୍ବ ରୋଗୀ ଚିହ୍ନଟ ହେଲେଣି।
ବ୍ରିଟେନର ସ୍ବାସ୍ଥ୍ୟ ସୁରକ୍ଷା ଏଜେନ୍ସି (ଏଚ୍ଏସ୍ଏ)ର ମୁଖ୍ୟ ମେଡିକାଲ ଉପଦେଷ୍ଟା ସୁସାନ ହପକିନ୍ସ କହିଛନ୍ତି, ଏପର୍ଯ୍ୟନ୍ତ ଏକ୍ସଇର ସଂକ୍ରମଣଶୀଳତା, ମାରାତ୍ମକତା ଏବଂ ଏହା ବିରୋଧରେ କୋଭିଡ୍ ଟିକାର ପ୍ରଭାବ ବିଷୟରେ ଯଥେଷ୍ଟ ପ୍ରମାଣ ମିଳି ନାହିଁ। ହୁ କହିଛି, ଏକ୍ସଇର ସ୍ବାସ୍ଥ୍ୟ ପ୍ରତି ବିପଦ ସମ୍ପର୍କରେ ନିରନ୍ତର ମନିଟରିଂ କରୁଛି। ଅଧିକ ତଥ୍ୟ ପ୍ରମାଣ ମିଳିଲେ ସର୍ବସାଧାରଣଙ୍କୁ ସୂଚିତ କରାଯିବ। ଏକ୍ସଇ ବ୍ୟତୀତ ‘ହୁ’ ଆଉ ଏକ ମିଶ୍ରିତ ଉପକିସମ ଏକ୍ସଡି ଉପରେ ନଜର ରଖିଛି, ଯାହା ଡେଲ୍ଟା ଓ ଓମିକ୍ରନ୍ର ଏକ ହାଇବ୍ରିଡ୍ ରୂପ। ଏହା ମୁଖ୍ୟତଃ ଫ୍ରାନ୍ସ, ଡେନମାର୍କ ଓ ବେଲଜିୟମ୍ରେ କାୟାବିସ୍ତାର କରିଛି। ତେବେ ଏକ୍ସଡି ଅଧିକ ସଂକ୍ରାମକ ବା ମାରାତ୍ମକ ବୋଲି କୌଣସି ପ୍ରମାଣ ମିଳିନାହିଁ ବୋଲି ହୁ ପ୍ରକାଶ କରିଛି।