ଚାଷୀ ଆନ୍ଦୋଳନ ଜାରି, ସରକାର ଚାଷୀଙ୍କ ସମସ୍ୟାକୁ ଗୌଣ ଭାବୁଛନ୍ତି: ଚାଷୀ ନେତା

‘କିଷାନ୍‌ ଦିବସ’ରେ ଚୌଧୁରୀ ଚରଣ ସିଂହଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଚାଷୀମାନେ ଚଳାଇଥିବା ଆନ୍ଦୋଳନ ଆଜି ୨୮ ଦିନରେ ପହଞ୍ଚିଛି। ସରକାର ଚାଷୀଙ୍କ ସହ ଆଲୋଚନା ପାଇଁ ଆନ୍ତରିକତା ପ୍ରକାଶ କରୁନାହାନ୍ତି ଏବଂ ଚାଷୀଙ୍କ ସମସ୍ୟାକୁ ଗୌଣ ଭାବୁଛନ୍ତି ବୋଲି ଭାରତୀୟ କିଷାନ୍‌ ସଂଘର ନେତା ୟୁଦ୍ଧବୀର ସିଂହ କହିଛନ୍ତି। କୃଷି ଆଇନ ସମ୍ପୂର୍ଣ୍ଣ ପ୍ରତ୍ୟାହାର ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ ନେତାମାନେ ଆଜି ଦୋହରାଇଛନ୍ତି। ଚାଷୀ ନେତା ଯୋଗେନ୍ଦ୍ର ଯାଦବ କହିଛନ୍ତି ଯେ ସରକାର ନିର୍ଦ୍ଦିଷ୍ଟ ଭାବେ କେତେକ ଚାଷୀଙ୍କ ସହ ନିୟମିତ ଆଲୋଚନା କରୁଛନ୍ତି ଏବଂ ପ୍ରକୃତ ଚାଷୀଙ୍କ ସମସ୍ୟା କଥା ଭୁଲି ଯାଉଛନ୍ତି। ସରକାର ଏଭଳି କରି ଚାଷୀଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି ବୋଲି ସେ କହିଛନ୍ତି। ସେହିଭଳି କୃଷି ଆଇନରେ ସଂଶୋଧନ ପ୍ରସ୍ତାବକୁ କୃଷକ ସଂଗଠନମାନେ ଗ୍ରହଣ କରୁ ନାହାନ୍ତି ବୋଲି ଚାଷୀ ନେତା ଶିବ କୁମାର କାକ୍କା କହିଛନ୍ତି।

ରିଲେ ଅନଶନ ସ୍ଥଳରେ ୫ ଟିଏମ୍‌ସି ସାଂସଦ ଚାଷୀଙ୍କୁ ଭେଟିଲେ

ଆଜି ‘କିଷାନ୍‌ ଦିବସ’ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କୁ ମନେ ପକାଇଛନ୍ତି। ଚାଷୀଙ୍କ ବିକାଶ ପାଇଁ ଚରଣ ସିଂହଙ୍କ ଅବଦାନ ଅତୁଳନୀୟ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଚରଣ ସିଂହ ଜୀବନ ବ୍ୟାପୀ ଚାଷୀଙ୍କ ବିକାଶ କଥା ଚିନ୍ତା କରୁଥିଲେ ଏବଂ ଚାଷୀଙ୍କ ବିକାଶ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ନୀତି ପ୍ରଚଳନ କରିଥିଲେ। ସେ କୃଷକ ଓ ଗ୍ରାମର ବିକାଶ କ୍ଷେତ୍ରରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଜି ୫ ଟିଏମ୍‌ସି ସାଂସଦ ସିଂଘୁ ସୀମାରେ ଆନ୍ଦୋଳନରତ ଚାଷୀମାନଙ୍କୁ ଭେଟି ସେମାନଙ୍କ ସମସ୍ତ ଦାବିକୁ ପୂର୍ଣ୍ଣ ସମର୍ଥନ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ଜୟନ୍ତୀ ଅବସରରେ ଆଜି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କୃଷକମାନଙ୍କୁ ଦେଶର ଗର୍ବ ବୋଲି ବର୍ଣ୍ଣନା କରିଛନ୍ତି। ବିଜେପି କୃଷକମାନଙ୍କୁ ଅପମାନିତ କରୁଛି ବୋଲି ଅଖିଳେଶ କହିଛନ୍ତି। ଆଜି ଜାତୀୟ କୃଷକ ଦିବସ ଅବସରରେ ଏନ୍‌ସିପି ମୁଖ୍ୟ ଶରଦ ପାୱାର କୃଷକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର