ଫାଦର୍‌ ଷ୍ଟାନ୍‌ ସ୍ବାମୀଙ୍କ ପରଲୋକ: ଏଲ୍‌ଗାର ପରିଷଦ ମାମଲାର ସବୁଠୁ ବୟସ୍କ ଅଭିଯୁକ୍ତ ଥିଲେ

ଆଦିବାସୀଙ୍କ ଅଧିକାର ପାଇଁ ୬ ଦଶନ୍ଧି ଧରି ଲଢ଼ୁଥିଲେ

ନୂଆଦିଲ୍ଲୀ: ଏଲ୍‌ଗାର ପରିଷଦ ମାମଲାରେ ଗିରଫ ସାମାଜିକ କର୍ମୀ ଷ୍ଟାନ୍‌ ସ୍ବାମୀଙ୍କ ଆଜି ମୃତ୍ୟୁ ହୋଇଯାଇଛି। ଜାମିନ ପାଇଁ ଲଢ଼ୁଥିବା ଷ୍ଟାନ୍‌ ସ୍ବାମୀ ଗତ ମେ’ ୨୮ ତାରିଖରୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ହୋଲି ଫ୍ୟାମିଲି ହସ୍ପିଟାଲ୍‌ରେ ରହି ଚିକିତ୍ସିତ ହେଉଥିଲେ। ହସ୍ପିଟାଲରେ ଭର୍ତ୍ତି ହେବା ପରେ ସେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ତେବେ ଗତ ସପ୍ତାହରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା ଏବଂ ଗତକାଲି ବିଳମ୍ବିତ ରାତିରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇଗଲା। ଗତକାଲି ତାଙ୍କର ହୃଦଘାତ ହୋଇଥିଲା। ଏହାପରେ ତାଙ୍କୁ ‌‌ଭେଣ୍ଟିଲେଟରରେ ରଖାଯାଇଥିଲା। ଆଜି ଭୋର ୪ଟା ୩୦ ସମୟ‌ରେ ୮୪ ବର୍ଷୀୟ ଷ୍ଟାନ୍‌ ସ୍ବାମୀଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ବମ୍ବେ ହାଇକୋର୍ଟରେ ଆଜି ଷ୍ଟାନ୍‌ ସ୍ବାମୀଙ୍କ ଜାମିନ ଆବେଦନର ଶୁଣାଣି ଥିବାବେଳେ ତାଙ୍କ ଆଇନଜୀବୀ ମୃତ୍ୟୁ ଖବର ବିଷୟ ଖଣ୍ଡପୀଠଙ୍କୁ ଅବଗତ କରିଥିଲେ। ସ୍ବତନ୍ତ୍ର କୋର୍ଟରେ ତାଙ୍କର ଜାମିନ ଆବଦେନକୁ ବାତିଲ କରି ଦିଆଯାଇଥିବାରୁ ସେ ଏହା ବିରୋଧରେ ହାଇକୋର୍ଟ ଯାଇଥିଲେ। ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ବିଚାରପତି ଏସ୍‌ ଏସ୍‌ ସିନ୍ଦେ ଏବଂ ଏନ ଜେ ଜମାଦାର ହତବାକ୍ ହୋଇଯାଇଥିଲେ।

ଷ୍ଟାନ୍‌ ସ୍ବାମୀଙ୍କ ମୃତ୍ୟୁ ଘଟଣାରେ ବହୁ ରାଜନେତା ଦୁଃଖ ବ୍ୟକ୍ତ କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି, ପିଡିପି ନେତ୍ରୀ ଏବଂ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଏବଂ ସିପିଏମ୍‌ ସାଧାରଣ ସଚିବ ସୀତାରାମ ୟେଚୁରୀ ଷ୍ଟାନ୍‌ ସ୍ବାମୀଙ୍କ ମୃତ୍ୟୁ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହ ସୋସିଆଲ୍‌ ମିଡିଆରେ ଷ୍ଟାନ୍‌ ସ୍ବାମୀଙ୍କ ମୃତ୍ୟୁ ଘଟଣାକୁ ନେଇ ଅନେକ ରାଜନେତା, ବୁଦ୍ଧିଜୀବୀ ଏବଂ ଅନ୍ୟ ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ଶୋକ ବାର୍ତ୍ତା ଛାଇ ହୋଇଯାଇଛି। ଷ୍ଟାନ୍‌ ସ୍ବାମୀଙ୍କୁ ୨୦୧୭ ମସିହାରେ ହୋଇଥିବା ଭୀମା କୋରେଗାଓଁ ହିଂସା ତଥା ଏଲ୍‌ଗାର ପରିଷଦ ମାମଲାରେ ଗିରଫ କରାଯାଇଥିଲା। ସେ ମୁମ୍ବାଇର ତାଲୋଜା କାରାଗାରରେ ଥିଲେ। ଗତମାସରେ ଏନ୍‌ଆଇଏର ସ୍ବତନ୍ତ୍ର ଅଦାଲତ ଷ୍ଟାନ୍‌ ସ୍ବାମୀଙ୍କ ଜାମିନ ଆବେଦନକୁ ବିରୋଧ କରିଥିଲା।

ଫାଦର ଷ୍ଟାନ ସ୍ବାମୀ ଥିରେ ଭୀମା କୋରେଗାଓଁ ମାମଲାର ସବୁଠୁ ବୟସ୍କ ଅଭିଯୁକ୍ତ। ଏହି ମାମଲାରେ ଏନଆଇଏ ମୋଟ ୧୬ ଜଣ ସାମାଜିକ କର୍ମୀ, ଆଇନଜୀବୀ, ବୁଦ୍ଧିଜୀବୀ ଏବଂ ଶିକ୍ଷାବିତ୍‌ଙ୍କୁ ଗିରଫ କରିଛି। ଦେଶରେ ଅସ୍ଥିରତା ସୃଷ୍ଟି ପାଇଁ ଏଲ୍‌ଗାର ପରିଷଦ ବୈଠକରେ ସ୍ବାମୀ ଯୋଗ ଦେଇଥିଲେ ବୋଲି ଏନଆଇଏ ଅଭିଯୋଗ କରିଛି। ପାର୍କିନସନ୍ ସମେତ ଅନ୍ୟାନ୍ୟ ଜଟିଳ ରୋଗରେ ପୀଡ଼ିତ ଥିବା ସ୍ବାମୀଙ୍କ ବିରୋଧରେ କଠୋର ୟୁଏପିଏ (ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ) ଅଧୀନରେ ମାମଲା ହୋଇଥିଲା। ଗତ ୮ ମାସ ହେଲା ସେ ଜେଲ୍‌ରେ ଥିଲେ। ଜେଲ୍‌ର ଅସ୍ବାସ୍ଥ୍ୟକର ପରିବେଶ, ପୁଷ୍ଟିହୀନ ଖାଦ୍ୟ ଏବଂ ଅନ୍ୟାନ୍ୟ ଅବହେଳା କାରଣରୁ ଷ୍ଟାନ୍ ସ୍ବାମୀ ଚାଲିବାକୁ, ଏପରିକି ନିଜେ ଖାଇବାକୁ ମଧ୍ୟ ସମର୍ଥ ହେଉ ନଥିଲେ। ତାଙ୍କ ଓଠର ମାଂସପେଶୀ ଦୁର୍ବଳ ହୋଇଯାଇଥିବାରୁ ସେ ପାଣି ପିଇ ପାରୁ ନଥିଲେ। ତାଙ୍କୁ ଏକ ସିପର୍ କପ୍ ସହିତ ଷ୍ଟ୍ର ଯୋଗାଇ ଦେବାକୁ ସେ ଜେଲ୍ କର୍ତ୍ତୃପକ୍ଷଙ୍କୁ କହିଥିଲେ। କିନ୍ତୁ ଜେଲ୍ କର୍ତ୍ତୃପକ୍ଷ ତାହା ଯୋଗାଇ ଦେଇ ନଥିଲେ।

ଆଦିବାସୀଙ୍କ ଅଧିକାର ପାଇଁ ୬ ଦଶନ୍ଧି ଧରି ଲଢ଼ୁଥିଲେ
ଫାଦର ଷ୍ଟାନ୍ ସ୍ବାମୀ ଦୀର୍ଘ ଛଅ ଦଶନ୍ଧି ଧରି ଆଦିବାସୀଙ୍କ ବିକାଶ ପାଇଁ କାର୍ଯ୍ୟ କରିଛନ୍ତି। ବିଶେଷକରି ବିହାର ଓ ଝାଡ଼ଖଣ୍ଡର ଗରିବ ଆଦିବାସୀଙ୍କର ବିକାଶ ଲାଗି ସେ ସଦା ତତ୍ପର ଥିଲେ। ସେ ଜଣେ ସାମାଜିକ କର୍ମୀ, ଶିକ୍ଷାବିତ୍ ଏବଂ ଧର୍ମଯାଜକ ଥିଲେ। ଆଦିବାସୀଙ୍କ ଜଙ୍ଗଲ ଅଧିକାର ପାଇଁ ସେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ଲଢ଼େଇ କରୁଥିଲେ। ଗିରଫ ହେବା ପୂର୍ବରୁ ସେ ଆଦାନି ଗ୍ରୁପ୍ ବିରୋଧରେ ଲଢ଼େଇ କରିଥିଲେ। ଝାଡ଼ଖଣ୍ଡରେ ଆଦାନି ଗ୍ରୁପ୍ ଏକ ବିରାଟ ଶକ୍ତି ପ୍ରକଳ୍ପ ସ୍ଥାପନ କରୁଛି। ଏହାଦ୍ବାରା ହଜାର ହଜାର ଆଦିବାସୀ ବିସ୍ଥାପିତ ହେବେ ଏବଂ ସେମାନଙ୍କ ଜୀବିକା ହରାଇବେ। କେନ୍ଦ୍ର ସରକାରଙ୍କ ପାଇଁ ସେ ନିଶ୍ଚିତଭାବେ ଏକ କଣ୍ଟା ଥିଲେ। ଆଦିବାସୀଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ସମ୍ବିଧାନର ପଞ୍ଚମ ଅନୁଚ୍ଛେଦକୁ କାର୍ଯ୍ୟକାରୀ କରିବା ପାଇଁ ସେ ନିରନ୍ତର ସଂଗ୍ରାମ ଜାରି ରଖିଥିଲେ। ୨୦୧୩ ମସିହାର ଜମି ଅଧିଗ୍ରହଣ ଆଇନକୁ ସେ ତୀବ୍ର ସମାଲୋଚନା କରୁଥିଲେ। ଏଲଗାର ପିରଷଦ କିମ୍ବା ଭୀମା କୋରେଗାଓଁ ମାମଲାରେ ତାଙ୍କର ହାତ ନଥିବା ସେ ଦାବି କରିଥିଲେ। ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ମନଗଢ଼ା ବୋଲି କୁହାଯାଇଥିଲା। ଭୀମା କୋରେଗାଓଁ ମାମଲାରେ ଏନଆଇଏ ଦାଖଲ କରିଥିବା ୧୦ ହଜାର ପୃଷ୍ଠାର ଅଭିଯୋଗଫର୍ଦ୍ଦରେ ଷ୍ଟାନ୍ ସ୍ବାମୀଙ୍କ ନାମ ରହିଛି।

ସମ୍ବନ୍ଧିତ ଖବର