ନୂଆଦିଲ୍ଲୀ:  ଦିଲ୍ଲୀର ସୋନିଆ ନାମ୍ନୀ ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ତାଙ୍କ ପ୍ରେମିକ ତଣ୍ଟି ଚିପି ହତ୍ୟା କରିଛି। ଏହା ପରେ  ତାଙ୍କ ମର ଶରୀରକୁ ହରିୟାଣାର ରୋହତକରେ ଏକ ଜଙ୍ଗଲରେ ୪ ଫୁଟ୍‌ ଗଭୀର ଗାତ ଖୋଳି ପୋତି ଦେଇଛି। ଯୁବତୀ ଜଣକ ପଶ୍ଚିମ ଦିଲ୍ଲୀର ନାଙ୍ଗଲୋଇ ବାସିନ୍ଦା।  ସୋସିଆଲ ମିଡିଆରେ ସେ ସର୍ବଦା ସକ୍ରିୟ ରହୁଥିଲେ ଏବଂ ତାଙ୍କର ୬ ହଜାର ଅନୁଗାମୀ ଥିଲେ। ଏପରିକି ସେ ସୋସିଆଲ ମିଡିଆରେ ତାଙ୍କ ବୟ‌ଫ୍ରେଣ୍ଡ୍‌ ସଂଜୁ ଓରଫ୍‌ ସଲିମ ସହ ଫଟୋ ଏବଂ ଭିଡିଓ ପୋଷ୍ଟ୍‌ କରିଥିଲେ। ସଲିମ ସହ ସେ ସମ୍ପର୍କରେ ଥିଲେ ଏବଂ  ୭ ମାସର ଗର୍ଭବତୀ ଥିଲେ। ଏଥିପାଇଁ ସଲିମ ଉପରେ ସେ ବିବାହ ପାଇଁ ଚାପ ପକାଉଥିଲେ। ଅନ୍ୟପକ୍ଷେ ସଲିମ ବିବାହ ପାଇଁ ରାଜି ନହୋଇ ଗର୍ଭପାତ ପାଇଁ ଚାପ ପକାଉଥିଲା। ଏଥିପାଇଁ ସେମାନଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ହେଉଥିଲା। ଗତ ସୋମବାର ସୋନିଆ ସଲିମକୁ ଭେଟିବାପାଇଁ ବାହାରିଲେ। କିନ୍ତୁ ସେ ଆଉ ଫେରିଲେନି। ସୋନିଆଙ୍କ ପରିବାର ସଦସ୍ୟ ସେ ନିଖୋଜ ଥିବା ନେଇ ପୁଲିସ‌ରେ ଅଭିଯୋଗ କରିଥିଲେ। ପୁଲିସ ଉକ୍ତ ଘଟଣାର ତଦନ୍ତ କରିବାପରେ ଅଭିଯୁକ୍ତକୁ ଧରିଛି।

Advertisment

ତଦନ୍ତ ସମୟରେ ସଲିମ ନିଜର ଦୋଷ ସ୍ବୀକାର କରିଛି। ସଲିମ ପୂର୍ବରୁ ଏହି ହତ୍ୟା ଯୋଜନା କରିଥିଲା ଏବଂ ତା’ର ୨ ବନ୍ଧୁ ରିତିକ ଏବଂ ପଙ୍କଜଙ୍କୁ ଏଥିରେ ସାମିଲ କରିଥିବା କହିଛି।  ଏହି କାର୍ଯ୍ୟ ପାଇଁ ସେମାନେ କର୍ବାଚୌଥ ଦିନକୁ ବାଛିଥିଲେ।  ଏଥିପାଇଁ ସେମାନେ ଏକ କାର୍‌ ଭଡ଼ାରେ ନେଇଥିଲେ। ସେଦିନ ରାତିରେ ସୋନିଆ ତାଙ୍କ ଜିନିଷ ପତ୍ର ସହ ଘର ଛାଡ଼ିଥିଲେ।  ନାଙ୍ଗଲୋଇରୁ ସଲିମ ତାଙ୍କୁ କାର୍‌ରେ ରୋହତକ ନେଇ ସେଠାରେ ତଣ୍ଟି ଚିପି ମାରିବା ପରେ ଜଙ୍ଗଲରେ  ପୋତି ଦେଇଥିଲା।  ସଲିମ ଏବଂ ତା’ର ଜଣେ ସହଯୋଗୀ ଗିରଫ ହୋଇଛନ୍ତି।