ଡଲାସ୍: କିଛି ମାସ ହେବ ନିଖୋଜ ଥିବା ଟେକ୍ସାସର୍ ଜଣେ ବ୍ୟକ୍ତିଙ୍କୁ ତାଙ୍କର ପଲେ ପୋଷା କୁକୁର ଖାଇ ଦେଇଥିବା କଥା କାଉଣ୍ଟି ସେରିଫ୍ ଅଫିସର ଡେପୁଟିମାନେ କହିଛନ୍ତି।
ମଙ୍ଗଳବାର ଦିନ ଡାକ୍ତରୀ ପରୀକ୍ଷକମାନେ କହିଲେ ଯେ କୁକୁରମାନଙ୍କର ପାଟିରୁ ଉଦ୍ଧାର କରାଯାଇଥିବା ହଡ଼ଖଣ୍ଡର ଡିଏନ୍ଏ ପରୀକ୍ଷା ପରେ ତାହା ୫୭ ବର୍ଷିୟ ଫ୍ରିଡାଇ ମ୍ୟାକ୍ଙ୍କର ବୋଲି ଜଣାପଡ଼ିଛି।
ଡପୁଟି ଆରୋନ୍ ପିଟ୍ସ୍ କହିଛନ୍ତି: ୧୮ଟି ମିକ୍ସଡ୍ ବ୍ରିଡ୍ କୁକୁରମାନେ ମ୍ୟାକ୍ଙ୍କ ଶବ, ଲୁଗାପଟା ଏବଂ କେଶ ଆଦି ସବୁ ଖାଇ ଦେଇଛନ୍ତି। କେବଳ ଛାଡ଼ି ଥିଲେ ୨ ରୁ ୫ ଇଞ୍ଚ୍ ମଧ୍ୟରେ କେତୋଟି ଟୁକୁରା ହାଡ଼।
ମ୍ୟାକ୍ ଖୁବ୍ ଅସୁସ୍ଥ ଥିଲେ। ସେଥିପାଇଁ ସେ ମରିଛନ୍ତି କି, କୁକୁରମାନେ ତାଙ୍କୁ ମାରି ପକାଇଲେ ତାହା ଜଣାପଡ଼ି ନାହିଁ।
ଏକାକୀ ରହୁଥିବା ମ୍ୟାକ୍ ନିଖୋଜ ହୋଇଥିବା କଥା ମେ ମାସରେ ତାଙ୍କର ଜଣେ ଆତ୍ମୀୟ ସେରିଫ୍ ବା ପୁଲିସରେ ଖବର କରିଥିଲେ। ଏପ୍ରିଲ୍ ମଧ୍ୟ ଭାଗରୁ ସେ ମ୍ୟାକ୍ଙ୍କ ସହ ଯୋଗାଯୋଗ କରି ପାରୁ ନ ଥିଲେ।
ଉଗ୍ରମୁଖା କୁକୁରମାନେ ମ୍ୟାକ୍ଙ୍କ ଘର ପରିସରକୁ ତାଙ୍କ ପରିବାର ଲୋକ କି, ଡେପୁଟିମାନଙ୍କୁ ଛାଡୁ ନ ଥିଲେ। ଗୋଟାଏ ଭିନ୍ନ କୌଶଳ (ଡିଷ୍ଟ୍ରାକ୍ସନ୍ ମେଥଡ୍) ଅବଲମ୍ବନ କରି ଶେଷରେ ସେରିଫ୍ମାନେ କୁକୁରମାନଙ୍କୁ ଦୂରାଇ ସେ ଘରେ ପ୍ରବେଶ କରିଥିଲେ।

କିନ୍ତୁ ଭିତରେ ମ୍ୟାକ୍ ନ ଥିଲେ। ବହୁଦିନ ଖୋଜାଖୋଜି କରିବା ପରେ ତଦନ୍ତକାରୀମାନେ ଉଚ୍ଚ ଘାସ ମଧ୍ୟରେ ମଣିଷ କେଶ, ଲୁଗାପଟା ଏବଂ ହାଡ଼ ମିଶ୍ରିତ ପଶୁମଳ ଦେଖିଥିଲେ। ଅପେକ୍ଷାକୃତ ବଡ଼ ହାଡ଼ଖଣ୍ଡଗୁଡ଼ିକୁ ପରୀକ୍ଷା ପାଇଁ ୟୁନିଭର୍ସିଟି ଅଫ୍ ନର୍ଥ ଟେକ୍ସାସ୍କୁ ପଠାଇଥିଲେ। ଶେଷରେ ମ୍ୟାକ୍ଙ୍କ ପରିବାରର ଡିଏନ୍ଏ ସହ ତାହା ମେଳ ଖାଇଥିଲା।
ଦୁଇଟି କୁକୁରଙ୍କୁ ସେମାନଙ୍କର ସାଥି କୁକୁରମାନେ ମାରି ପକାଇଥିଲେ। ଉଗ୍ର ଆଚରଣ ପାଇଁ ୧୩ଟି କୁକୁରଙ୍କୁ ହତ୍ୟା କରାଗଲା ଏବଂ ବାକି ତିନୋଟିଙ୍କୁ କେହି ପୋଷ୍ୟ କରି ନେବା ଆଶାରେ ରଖାଯାଇଛି।