ଜନଜାତି ଗୌରବ ଦିବସ ସମାରୋହର ନେତୃତ୍ବ ନେବେ ରାଷ୍ଟ୍ରପତି: ଅର୍ଜୁନ ମୁଣ୍ଡା

୧୫ରୁ ୨୨ ପର୍ଯ୍ୟନ୍ତ ପାଳିତ ହେବ ଉତ୍ସବ

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ବର୍ଷ ଆୟୋଜନ ହେବାକୁ ଥିବା ଜନଜାତି ଗୌରବ ଦିବସ ସମାରୋହର ନେତୃତ୍ବ ନେବେ। ଶନିବାର ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା।

ଶ୍ରୀ ମୁଣ୍ଡା କହିଛନ୍ତି ଯେ, ନଭେମ୍ବର ୧୫ରେ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଉପଲକ୍ଷେ ଜନଜାତି ଗୌରବ ଦିବସ ପାଳନ କରାଯିବ। ଏଥିରେ ରାଷ୍ଟ୍ରପତି ମୁର୍ମୁ ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲା ଅନ୍ତର୍ଗତ ଉଲିହାଟୁ ଗ୍ରାମରେ ଥିବା ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନକୁ ଗସ୍ତ କରିବେ ଏବଂ ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏହି ଅବସରରେ ରାଷ୍ଟ୍ରପତି ସଡ଼କ, ପରିବହନ ଓ ଶକ୍ତି ମନ୍ତ୍ରଣାଳୟର ବିଭିନ୍ନ ପ୍ରକଳ୍ପକୁ ଉଦ୍‌ଘାଟନ କରିବେ ଏବଂ ଖୁଣ୍ଟିଠାରୁ ଭର୍ଚୁଆଲ ମାଧ୍ୟମରେ ବିଭିନ୍ନ ଏକଲବ୍ୟ ବିଦ୍ୟାଳୟ ପାଇଁ ଶିଳାନ୍ୟାସ କରିବେ। ସେ ଖୁଣ୍ଟି ଏବଂ ଆଖପାଖ ଅଞ୍ଚଳର ଟ୍ରାଇଫେଡ୍ ଏବଂ ଏନ୍‌ଆର୍‌ଏଲ୍‌ଏମ୍‌ର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଉଦ୍‌ବୋଧନ ଦେବେ। କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଆହୁରି ସୂଚନା ଦେଇଥିଲେ ଯେ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ନଭେମ୍ବର ୧୫ରେ ନୂଆଦିଲ୍ଲୀର ସଂସଦ ଭବନ ପରିସରରେ ଥିବା ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବେ। ଏହି ଅବସରରେ ଅନ୍ୟ ସାଂସଦମାନେ ମଧ୍ୟ ଉପସ୍ଥିତ ରହିବେ।

ଶ୍ରୀ ମୁଣ୍ଡା କହିଥିଲେ ଯେ, ୧୫ରୁ ୨୨ ନଭେମ୍ବର ପର୍ଯ୍ୟନ୍ତ ଜନଜାତି ଗୌରବ ଦିବସ ଉପଲକ୍ଷେ ବ୍ୟାପକ ସଂଖ୍ୟାରେ ଜାତୀୟ ଓ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ। କାଶ୍ମୀରଠାରୁ କନ୍ୟାକୁମାରୀ ଏବଂ ଗୁଜରାଟଠାରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଦେଶର ବିଭିନ୍ନ ଗ୍ରାମ ଓ ଉପାନ୍ତ ଅଞ୍ଚଳରେ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ରାଜ୍ୟ ରାଜଧାନୀଗୁଡ଼ିକରେ ଯୁବଗୋଷ୍ଠୀଙ୍କ ଦ୍ବାରା ଶୋଭାଯାତ୍ରା ଆୟୋଜନ କରାଯିବ ଏବଂ ଆଦିବାସୀ କଳାକାରମାନେ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରିବେ। ରାଜ୍ୟ ସରକାର ଏବଂ ରାଜ୍ୟ ଜନଜାତି ଗବେଷଣା ପ୍ରତିଷ୍ଠାନ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ସମ୍ବନ୍ଧିତ ଖବର