ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଏନ୍ଡିଏ ସରକାର ବିରୋଧରେ ବିରୋଧୀ ମେଣ୍ଟ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବ ଆଜି ଲୋକସଭାରେ କାଟ୍ ଖାଇଛି। ତିନି ଦିନ ଧରି ଏହା ଉପରେ ଚାଲିଥିବା ଆଲୋଚନାର ଉତ୍ତର ପ୍ରଧାନମନ୍ତ୍ରୀ ମୋଦୀ ଦେବା ପରେ ବାଚନିକ ଭୋଟରେ ଅନାସ୍ଥା ପ୍ରସ୍ତାବ କାଟ୍ ଖାଇଯାଇଛି। ପ୍ରଧାନମନ୍ତ୍ରୀ ଉତ୍ତର ଦେଉଥିବା ବେଳେ ବିରୋଧୀ ଦଳମାନେ କକ୍ଷତ୍ୟାଗ କରିବାରୁ ମତଦାନର ଆବଶ୍ୟକତା ପଡ଼ିନଥିଲା।
ଆଲୋଚନାର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ମଣିପୁର ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ। ତେବେ ୧୪୦ ମିନିଟ୍ ଧରି ଦେଇଥିବା ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ଅଧିକାଂଶ ସମୟ ବିରୋଧୀଙ୍କୁ ଟାର୍ଗେଟ୍ କରିବାରେ ନିୟୋଜିତ କରିଥିଲେ। ଏବେ ମଣିପୁରରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ସେଥିଲାଗି ପୂର୍ବରୁ ଥିବା କଂଗ୍ରେସ ସରକାରକୁ ଦାୟୀ କରିଥିଲେ। ଅନ୍ୟପକ୍ଷରେ ତାଙ୍କ ସରକାର ଉତ୍ତର ପୂର୍ବାଞ୍ଚଳର ରାଜ୍ୟମାନଙ୍କୁ ମଜଭୁତ କରିବା ଲାଗି ପଦକ୍ଷେପ ନେଇଛି। ହିଂସାପ୍ରବଣ ମଣିପୁର ବାସିନ୍ଦାଙ୍କୁ ଆଶ୍ବସ୍ତ କରି ମୋଦୀ କହିଲେ ଯେ ଉତ୍ତରପୂର୍ବ ରାଜ୍ୟ ମଣିପୁରରେ ପୁଣିଥରେ ଶାନ୍ତିର ସୂର୍ଯ୍ୟୋଦୟ ହେବ। ମଣିପୁର ପୁଣିଥରେ ବିକାଶ ଦେଖିବ। ମଣିପୁର ହିଂସାରେ ସଂପୃକ୍ତ ଲୋକଙ୍କୁ କଠୋରରୁ ଅତି କଠୋର ଦଣ୍ଡ ଦେବାପାଇଁ କେନ୍ଦ୍ର ସରକାର ଉଦ୍ୟମ ଜାରି ରଖିଛନ୍ତି। ମଣିପୁରର ମା’, ଭଉଣୀ ଏବଂ ଝିଅମାନଙ୍କୁ ମୁଁ ଆଶ୍ବସ୍ତ କରୁଛି ଯେ ଦେଶ ଆପଣମାନଙ୍କ ସହ ଅଛି। ଆମେମାନେ ସମସ୍ତେ ମିଶି ଏକାଠି ଏହି ଜଟିଳ ସ୍ଥିତିର ମୁକାବିଲା କରିବା ଏବଂ ଶାନ୍ତି ସୁନିଶ୍ଚିତ କରିବା। ଦୀର୍ଘକାଳୀନ କଂଗ୍ରେସ ଶାସନରେ ଉତ୍ତରପୂର୍ବ ରାଜ୍ୟ ଅନେକ କିଛି ତ୍ୟାଗ କରିଛି। କିନ୍ତୁ କଂଗ୍ରେସଠାରୁ ଏହା କେବେ ବି ନିଜର ପ୍ରାପ୍ୟ ପାଇନାହିଁ। ପ୍ରଧାନମନ୍ତ୍ରୀଙ୍କ ଉତ୍ତର ପରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍
କରାଇଥିଲେ। ଭୋଟ୍ ଗ୍ରହଣ ପୂର୍ବରୁ ବିରୋଧୀ ଦଳମାନେ କକ୍ଷତ୍ୟାଗ କରିଥିଲେ ଏବଂ ବାଚନିକ ଭୋଟ୍ରେ ଅନାସ୍ଥା ପ୍ରସ୍ତାବ କାଟ ଖାଇଥିଲା। ଏହାପରେ ବାଚସ୍ପତି ଗୃହକୁ ଆସନ୍ତାକାଲି ପୂର୍ବାହ୍ଣ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଶୁକ୍ରବାର ହେଉଛି ଚଳିତ ମୌସୁମୀ ଅଧିବେଶନର ଶେଷ ଦିବସ।
ମୋଦୀ ସରକାର ୯ ବର୍ଷର ଶାସନ କାଳରେ ଦ୍ବିତୀୟ ଥର ପାଇଁ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହୋଇଥିଲେ। ଏହା ପୂର୍ବରୁ ୨୦୧୮ରେ ମଧ୍ୟ ମୋଦୀ ସରକାର ବିରୋଧରେ କଂଗ୍ରେସ ନେତୃତ୍ବରେ ବିରୋଧୀ ଦଳମାନେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ସେତେବେଳେ ଏହି ପ୍ରସ୍ତାବ ସପକ୍ଷରେ ମାତ୍ର ୧୨୬ଟି ଭୋଟ୍ ମିଳିଥିବା ବେଳେ ଏହା ବିରୋଧରେ ୩୨୫ ସାଂସଦ ଭୋଟ୍ ଦେଇଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକସଭାରେ ୧୪୦ ମିନିଟ୍ର ଉଦ୍ବୋଧନରେ ବିରୋଧୀ ଦଳମାନଙ୍କ ବିଭିନ୍ନ ଅଭିଯୋଗର ଜବାବ ରଖିଥିଲେ। ଲୋକସଭାରେ ମୋଦୀଙ୍କର ଏହା ସବୁଠାରୁ ଦୀର୍ଘ ଭାଷଣ େବାଲି କୁହାଯାଉଛି। ତାଙ୍କର ଭାଷଣ ଆରମ୍ଭ ହେବାର ୭୦ ମିନିଟ ପରେ ବିରୋଧୀ ଦଳ କକ୍ଷତ୍ୟାଗ କରିଥିଲେ। ଏଥିପାଇଁ ମୋଦୀ ସେମାନଙ୍କର କଡ଼ା ସମାଲୋଚନା କରି କହିଥିଲେ, ସେମାନେ କେବଳ କହିବାକୁ ଚାହାନ୍ତି କିନ୍ତୁ କିଛି ଶୁଣିପାରିବେନି। ମୋଦୀ ତାଙ୍କ ଭାଷଣରେ ଇଣ୍ଡିଆ ମେଣ୍ଟକୁ ଟାର୍ଗେଟ କରି କହିଲେ ଯେ ଏହା ଇଣ୍ଡିଆ ମେଣ୍ଟ ନୁହେଁ ବରଂ ଏହା ‘ଘମଣ୍ଡିଆ ମେଣ୍ଟ’। ନୂଆ ନାମକୁ କଟାକ୍ଷ କରି ମୋଦୀ କହିଛନ୍ତି, ବିରୋଧୀମାନେ ତିଷ୍ଠି ରହିବାପାଇଁ ‘ଏନ୍ଡିଏ’ର ସମର୍ଥନ ନେଇଛନ୍ତି।। କିନ୍ତୁ ‘ଆଇ’ର ଅହଙ୍କାର ସେମାନଙ୍କୁ ଛାଡ଼ିପାରିନି। ସେଥିପାଇଁ ସେମାନେ ନିଜର ଅହଙ୍କାର ପାଇଁ କେବଳ ଏଥିରେ ୨ଟି ‘ଆଇ’ ଯୋଡ଼ିଛନ୍ତି। ପ୍ରଥମ ‘ଆଇ’ ହେଉଛି ୨୬ଟି ଦଳର ଅହଙ୍କାର ଏବଂ ଦ୍ବିତୀୟ ‘ଆଇ’ ହେଉଛି କଂଗ୍ରେସର ଅହଙ୍କାର। ତେବେ ବିରୋଧୀ ବନ୍ଧୁମାନଙ୍କୁ ମୋର ସମବେଦନା। ସେମାନେ ନିକଟରେ ବେଙ୍ଗାଲୁରୁରେ ୟୁପିଏର ଶେଷ ସଂସ୍କାର ସମ୍ପନ୍ନ କରିଛନ୍ତି।
ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ଭଗବାନଙ୍କ ଆଶୀର୍ବାଦ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଲେ ଯେ ଅନାସ୍ଥା ଆମପାଇଁ ସବୁବେଳେ ଶୁଭ ହୋଇଛି। ୨୦୧୮ରେ ଟିଡିପିର ଚନ୍ଦ୍ରବାବୁ ନାଇଡ଼ୁଙ୍କ ଦ୍ବାରା ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବକୁ ମନେ ପକାଇ ମୋଦୀ କହିଲେ, ୨୦୧୯ରେ ଏହା ଆମ ପାଇଁ ଶୁଭ ହେଲା। ୨୦୨୪ରେ ମଧ୍ୟ ଆମେ ସମସ୍ତ ରେକର୍ଡ ଭାଙ୍ଗି କ୍ଷମତାକୁ ଫେରିବୁ। ଆମ ସରକାର ଉପରେ ଦେଶର ଜନତା ବାରମ୍ବାର ବିଶ୍ବାସ ପ୍ରକଟ କରିଛନ୍ତି। ଦେଶର କୋଟି କୋଟି ନାଗରିକଙ୍କୁ ଏଥିପାଇଁ ମୋର କୃତଜ୍ଞତା। ଦେଶ ବିଶ୍ବାସ ରଖିଛି ଯେ ୨୦୨୮ରେ ଯେତେବେଳେ ଆପଣମାନେ ଅନାସ୍ଥା ଆଣିବେ ସେତେବେଳେ ଆମେ ବିଶ୍ବର ଶୀର୍ଷ ୩ ଅର୍ଥନୀତି ମଧ୍ୟରେ ଥିବୁ। ବିରୋଧୀଙ୍କୁ କଟାକ୍ଷ କରି ପ୍ରଧାନମନ୍ତ୍ରୀ କହିଲେ, ମୁଁ ଏହା ପ୍ରଶ୍ନ କରିବାକୁ ଚାହୁଛି ଯେ ଆଲୋଚନା ପାଇଁ ଆପଣମାନେ ପ୍ରସ୍ତୁତ କାହିଁକି ରହିଲେନି। ଏଥିପାଇଁ ମୁଁ ଆପଣଙ୍କୁ ୨୦୧୮ରୁ ୫ ବର୍ଷର ସମୟ ଦେଇଥିଲି। ତଥାପି ଆପଣ ପ୍ରସ୍ତୁତ ହୋଇପାରିଲେନି। ତେବେ ମୁଁ ଭାବୁଛି ୨୦୨୮ରେ ବିରୋଧୀ ମେଣ୍ଟ ଅନାସ୍ଥା ପ୍ରସ୍ତାବ ଆଣିବାବେଳେ ଭଲଭାବେ ପ୍ରସ୍ତୁତ ହୋଇ ଆସିବେ। ରାହୁଲଙ୍କୁ କଟାକ୍ଷ କରି ମୋଦୀ କହିଲେ, କଂଗ୍ରେସ ବାରମ୍ବାର ସେହି ସମାନ ବିଫଳ ସାମଗ୍ରୀକୁ ଲଞ୍ଚ୍ କରିବାକୁ ଚେଷ୍ଟା କରୁଛି।
ବିରୋଧୀଙ୍କ ସମାଲୋଚନା କରି ମୋଦୀ କହିଲେ, ସେମାନେ ସ୍ବଚ୍ଛ ଭାରତ ମିସନ୍କୁ ସମାଲୋଚନା କରିଛନ୍ତି, ସେମାନେ ଜନଧନ ଯୋଜନାକୁ ନେଇ ଅପପ୍ରଚାର କରିଛନ୍ତି, ସେମାନେ ଯୋଗ ଏବଂ ଆୟୁର୍ବେଦର ମଜା ଉଡ଼ାଇଛନ୍ତି, ଷ୍ଟାର୍ଟ ଅପ୍ ଇଣ୍ଡିଆ ଏବଂ ଡିଜିଟାଲ୍ ଇଣ୍ଡିଆକୁ ନେଇ ବିଭ୍ରାନ୍ତିକର ପ୍ରଚାର କରିଛନ୍ତି। କିନ୍ତୁ ଭାରତ ଆଜି ଆଗରେ। ଆମେ ମେକ୍ ଇନ ଇଣ୍ଡିଆ କଥା କହୁଛୁ, କିନ୍ତୁ ସେମାନେ ମେକ୍ ଇନ୍ ଇଣ୍ଡିଆକୁ ପରିହାସରେ ଉଡ଼ାଉଛନ୍ତି। କଂଗ୍ରେସ ଏବଂ ଏହାର ବନ୍ଧୁମାନଙ୍କର ଏକ ଇତିହାସ ରହିଛି। ସେମାନଙ୍କର ଭାରତର ଦକ୍ଷତା ଉପରେ ବିଶ୍ବାସ ନାହିଁ। କିଛି ଲୋକ ଏବେ ବି ଭାରତକୁ ତଳକୁ ଟାଣିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଆଜିର କାମ ୧୦୦୦ ବର୍ଷ ପାଇଁ ମୂଳଦୁଆ ପକାଇବ। ଆମେ ଭାରତର ଛବିକୁ ସମଗ୍ର ବିଶ୍ବରେ ବହୁ ଉଚ୍ଚତାକୁ ନେଇଛୁ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଆମର ଜଳ ଜୀବନ ମିସନ୍କୁ ପ୍ରଶଂସା କରିଛନ୍ତି। ଦାରିଦ୍ର୍ୟ ଦୂରୀକରଣ ଦିଗରେ ଆମର କାମକୁ ଆଇଏମଏଫ୍ ମଧ୍ୟ ପ୍ରଶଂସା କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।