ଥିରୁଅନନ୍ତପୁରମ୍: କରୋନା ମହାମାରୀ ପାଇଁ ଏବେ ଦେଶବ୍ୟାପୀ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ପିଲାମାନଙ୍କ ପାଇଁ ଅନ୍ଲାଇନ୍ କ୍ଲାସ୍ ବ୍ୟବସ୍ଥା ହୋଇଛି। କିନ୍ତୁ ଦୁର୍ଭାଗ୍ୟର ବିଷୟ, ଅନେକ ଛାତ୍ରଛାତ୍ରୀଙ୍କ ପାଖରେ ଅନ୍ଲାଇନ୍ କ୍ଲାସ୍ ପାଇଁ ମୋବାଇଲ୍ ନାହିଁ କି ଟିଭି ମଧ୍ୟ ନାହିଁ। ଫଳରେ ମେଧାବୀ ଛାତ୍ରଛାତ୍ରୀଙ୍କର ପଢ଼ିବାର ଇଚ୍ଛା ଥାଇ ମଧ୍ୟ ମୋବାଇଲ୍ ନଥିବା ଯୋଗୁଁ ସେମାନେ ବିଷାଦ ମଧ୍ୟକୁ ଚାଲି ଯାଉଛନ୍ତି। ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେରଳରେ। ଦେବିକା ବାଳକ୍ରୀଷ୍ଣନ୍ ନାମକ ଜଣେ ୧୪ ବର୍ଷୀୟା ଛାତ୍ରୀ ନବମ ଶ୍ରେଣୀରେ ପଢ଼ନ୍ତି। ସେ ବେଶ୍ ଭଲ ପାଠ ପଢ଼ୁଥିଲେ। କିନ୍ତୁ ତାଙ୍କ ପାଖରେ ମୋବାଇଲ୍ ଫୋନ୍ ନଥିବା ଯୋଗୁଁ ସେ ଅନ୍ଲାଇନ୍ କ୍ଲାସ୍ କରିପାରିଲେନି। ବିଷାଦ ମଧ୍ୟକୁ ଚାଲିଯାଇ ସେ ଶେଷରେ ଆତ୍ମହତ୍ୟା କରିଦେଇଛନ୍ତି। କେରଳ ମଲପ୍ପୁରମ୍ ଜିଲ୍ଲା ଅଧୀନସ୍ଥ ଭଲାନ୍ଚେରିରେ ଏହି ଘଟଣା ଘଟିଛି। ଦେବିକା ନିଜ ଶରୀରରେ ନିଆଁ ଲଗାଇ ନିଜକୁ ଜାଳି ଦେଇଛନ୍ତି। ଦେବିକା ଗତକାଲି ଅପରାହ୍ନ ୩.୩୦ରୁ ନିଖୋଜ ଥିଲେ। ପରେ ତାଙ୍କ ଜଳି ଯାଇଥିବା ଶରୀରକୁ ଉଦ୍ଧାର କରାଯାଇଥିଲା। ଦେବିକାଙ୍କ ଘରୁ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ମିଳିଛି ।
/sambad/media/post_attachments/wp-content/uploads/2020/06/burnt-alive-fire.jpg)
ଅନ୍ୟପକ୍ଷେ ଦେବିକାଙ୍କ ବାପା କହିଛନ୍ତି ଯେ, ଦେବିକା ଅନ୍ଲାଇନ୍ କ୍ଲାସ୍ କରିପାରୁନଥିବାରୁ ଚିନ୍ତାଗ୍ରସ୍ତ ଥିଲେ। ଘରେ ସ୍ମାର୍ଟଫୋନ୍ ନଥିଲା। ଟିଭି ଥିଲେ ମଧ୍ୟ ତାହା ଖରାପ୍ ଥିଲା। ଦେବିକା ଟିଭି ମରାମତି ପାଇଁ କହିଥିଲେ, କିନ୍ତୁ ପାଖରେ ଟଙ୍କା ନଥିବା ଯୋଗୁଁ ଟିଭି ମରାମତି ହୋଇପାରିନଥିଲା ବୋଲି ତାଙ୍କ ବାପା କହିଛନ୍ତି। ରାଜ୍ୟ ଶିକ୍ଷା ମନ୍ତ୍ରୀ ସି ରବିନ୍ଦ୍ରନାଥ ଉକ୍ତ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କେରଳ ସରକାର ଯେଉଁ ଗରିବ ପିଲାମାନଙ୍କ ମୋବାଇଲ୍ ଫୋନ୍ କିମ୍ବା ଟିଭି ନାହିଁ ସେମାନଙ୍କ ପାଇଁ କ୍ଲାସରୁମ୍ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାର ତଦନ୍ତ ହେବ ବୋଲି ଶିକ୍ଷା ମନ୍ତ୍ରୀ କହିଛନ୍ତି। ଇତି ମଧ୍ୟରେ ୱାୟନାଡ଼ ସାଂସଦ ରାହୁଲ ଗାନ୍ଧି କେଉଁ ପରିବାରରେ ଲୋକଙ୍କର ଟିଭି ଏବଂ ସ୍କାର୍ଟଫୋନ୍ ନାହିଁ ତାହାର ଏକ ତାଲିକା ମାଗିଛନ୍ତି। ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖି ରାହୁଲ କହିଛନ୍ତି, ସ୍ମାର୍ଟଫୋନ୍, କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍ ସଂଯୋଗ ନଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ଲାଇନ୍ କ୍ଲାସ୍ ଏକ ଚ୍ୟାଲେଂଜ ହୋଇଛି। ତେବେ ରାହୁଲ ଛାତ୍ରଛାତ୍ରୀମାନଙ୍କୁ ମୋବାଇଲ୍ ଫୋନ୍ କିଣିବାପରେ ସହଯୋଗ କରିବେ ବୋଲି କହିଛନ୍ତି।