ଉଦୟପୁର : ରାଜସ୍ଥାନର ଉଦୟପୁରରେ ମଙ୍ଗଳବାର ହୋଇଥିବା ମୁଣ୍ଡକାଟ ଘଟଣାକୁ ନେଇ ସମଗ୍ର ଦେଶରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଭିନ୍ନ ମହଲରୁ ଏହି ହତ୍ୟା ଘଟଣାକୁ ନିନ୍ଦା କରାଯାଉଛି । ଏପରିକି ଏହି ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ଦୁଇ ଆତଙ୍କବାଦୀଙ୍କ ପରିବାର ଲୋକମାନେ ମଧ୍ୟ ଏହାକୁ ବିରୋଧ କରିଛନ୍ତି । ଅପରାଧୀକୁ ଫାଶୀ ଦିଆଯାଉ ବୋଲି ଖୋଦ ତାଙ୍କର ପରିବାର ଲୋକ ଦାବି କରିଛନ୍ତି ।

Advertisment

କହ୍ନୈୟାଲାଲଙ୍କ ମୁଣ୍ଡକାଟ କରିଥିବା ମହମ୍ମଦ ରିଆଜ ଅଟାରିର ଭାଇ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ ହତ୍ୟାକାରୀକୁ ଫାଶୀ ଦିଆଯାଉ । ତାସହ ପରିବାରର କୌଣସି ସମ୍ପର୍କ ନାହିଁ ।

ରାଜସ୍ଥାନର ଭିଲଓ୍ବାରାରେ ଅଭିଯୁକ୍ତ ରିଆଜର ପରିବାର ରହୁଛନ୍ତି । ନିଜର ଭାଇମାନଙ୍କ ମଧ୍ୟରେ ସବୁଠାରୁ ସାନ ହେଉଛି ରିଆଜ । ସେ କିଛି ବର୍ଷ ତଳେ ଉଦୟପୁରରେ ନିଜ ପତ୍ନୀର ଘରେ ରହୁଥିଲା ଓ ପରିବାର ସହ କୌଣସି ସଂପର୍କ ରଖିନଥିଲା । ଏପରିକି ଗତ ୩-୪ ବର୍ଷ ହେଲା ସେ ନିଖୋଜ ହୋଇଯାଇଥିଲା ।

ଅନ୍ୟପକ୍ଷରେ ଗଣମାଧ୍ୟମ ସୁତ୍ରରୁ ଜଣାପଡ଼ିଛି ଯେ ମୁଣ୍ଡକାଟ କରିଥିବା ରିଆଜ ଅଟାରି ସହ ଆତଙ୍କବାଦୀ ସଂଗଠନ ଆଇଏସର ସଂପର୍କ ରହିଛି । ରାଜସ୍ଥାନରେ କିଛି ଦିନ ତଳେ ଗିରଫ ହୋଇଥିବା ଆଇଏସ ଆତଙ୍କବାଦୀ ମୁଜିବ ଅବାସି ସହ ରିଆଜର ସଂପର୍କ ଥିବା ଜଣାପଡ଼ିଛି । ୨୦୨୧ରେ ଉଭୟଙ୍କ ମଧ୍ୟରେ ଏକାଧିକ ଥର କଥାବାର୍ତ୍ତା ହୋଇଥିବା ଜଣାପଡ଼ିଛି ।