ବୈଠକ ପୂର୍ବରୁ ସାମ୍ବାଦିକଙ୍କ ସମ୍ମୁଖରେ ମୋଦୀ ଓ ଟ୍ରମ୍ପ କଲେ ଗମାତ: ‘ଟ୍ରମ୍ପ କହିଲେ ସେ (ମୋଦୀ) ବହୁତ ବଢ଼ିଆ ଇଂରାଜୀ କହନ୍ତି; କିନ୍ତୁ …’

ବିଅରିଜ୍‌ (ଫ୍ରାନ୍ସ): ଫ୍ରାନ୍ସର ବିଅରିଜ୍‌ ଠାରେ ଆରମ୍ଭ ହୋଇଥିବା ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ଅବସରରେ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକର ଆୟୋଜନ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଉଭୟ ନେତାଙ୍କ ମଧ୍ୟରେ ବୈଠକ ଆରମ୍ଭ ହେବା ପୂର୍ବରୁ କିଛି ସାମ୍ବାଦିକଙ୍କୁ ବୈଠକ କକ୍ଷ ମଧ୍ୟକୁ ଛଡ଼ା ଯାଇଥିଲା। ଏବଂ ସେମାନଙ୍କୁ ଉଭୟ ନେତାଙ୍କୁ କିଛି ପ୍ରଶ୍ନ ପଚାରିବାର ସୁଯୋଗ ମଧ୍ୟ ଦିଆ ଯାଇଥିଲା।

ଏହି କ୍ରମରେ ଜଣେ ସାମ୍ବାଦିକ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଚାରିଲେ ଯେ ଉଭୟ ନେତାଙ୍କ ମଧ୍ୟରେ କେଉଁ ପ୍ରସଙ୍ଗରେ ଆଲୋଚନା ହେବାକୁ ଯାଉଛି; ସେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ହିନ୍ଦୀରେ ଉତ୍ତର ଦେଇଥିଲେ, ‘ମୁଁ ଭାବୁଛି ପ୍ରଥମେ ଆମର ଆଲୋଚନା ହୋଇଯାଉ। ଏହାପରେ ଆମେ ଆପଣମାନଙ୍କୁ ଆବଶ୍ୟକତା ସ୍ଥଳେ ଆଲୋଚନା ବାବଦରେ ଜଣାଇବୁ’।

ରାଷ୍ଟ୍ରପତି ଟ୍ରମ୍ପଙ୍କ ଡାହାଣରେ ବସିଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉତ୍ତର ଶେଷ ହେବା ପୂର୍ବରୁ ଏଥିରେ ହସ୍ତକ୍ଷେପ କରିଥିଲେ ରାଷ୍ଟ୍ରପତି ଟ୍ରମ୍ପ। ରାଷ୍ଟ୍ରପତି ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଡ଼କୁ ଇଙ୍ଗିତ କରି ଉପସ୍ଥିତ ସାମ୍ବାଦିକମାନଙ୍କୁ କହିଥିଲେ, ‘ପ୍ରକୃତରେ ସେ (ପ୍ରଧାନମନ୍ତ୍ରୀ ମୋଦୀ) ଖୁବ୍‌ ଭଲ ଇଂରାଜୀ କହନ୍ତି … କିନ୍ତୁ, ସେ କିଛି କହିବାକୁ ଚାହୁଁ ନାହାନ୍ତି!…’

ରାଷ୍ଟ୍ରପତି ଟ୍ରମ୍ପଙ୍କ ଏ ପ୍ରକାର ବକ୍ତବ୍ୟ ଶୁଣି ଖୁବ୍‌ ଜୋରରେ ହସି ଉଠିଥିଲେ ପ୍ରଧାନମନ୍ତ୍ରୀ ମୋଦୀ ପରେ ଟ୍ରମ୍ପ ମଧ୍ୟ ମୋଦୀଙ୍କ ହାତକୁ ମାଡ଼ି ବସିବା ସହ ଖୁବ୍‌ ଜୋରରେ ହସି ଉଠିଥିଲେ। ଉଭୟ ନେତାଙ୍କ ମଧ୍ୟରେ ଏ ପ୍ରକାରର ଗମାତ ବୈଠକ କକ୍ଷ ମଧ୍ୟରେ ଉପସ୍ଥିତ ଥିବା ସାମ୍ବାଦିକମାନଙ୍କୁ ମଧ୍ୟ ହସିବାରୁ ନିବୃତ ରଖିପାରି ନଥିଲା।

ସମ୍ବନ୍ଧିତ ଖବର