୩୮ ଦିନ ଭେଣ୍ଟିଲେଟରରେ ରହି କରୋନାକୁ ଜିତିଲେ

କୋଲକାତା: ଦକ୍ଷିଣ‌ କୋଲକାତାର ନିତାଇଦାସ ମୁଖାର୍ଜୀ ନାମକ ଜଣେ ୫୨ ବର୍ଷୀୟ ବ୍ୟକ୍ତି ୩୮ ଦିନ ଭେଣ୍ଟିଲେଟରରେ ରହିବା ପରେ ନିକଟରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏତେ ଦିନ ଧରି ଭେଣ୍ଟିଲେଟରରେ ରହିବା ପରେ କୋଭିଡ୍‌-୧୯ରୁ ଆରୋଗ୍ୟ ଲାଭ କରିବାର ଏକ ବିରଳ ଉଦାହରଣ ପାଲଟିଛନ୍ତି। ଏହି ଘଟଣାରେ ଚିକିତ୍ସକମାନେ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଛନ୍ତି। ଦୀର୍ଘଦିନ ପରେ ଆରୋଗ୍ୟ ଲାଭ କରି ଘରକୁ ଫେରିବା ପରେ ତାଙ୍କୁ ପଡ଼ୋଶୀମାନେ ସ୍ବାଗତ ଜଣାଇଛନ୍ତି। ସୁସ୍ଥ ହୋଇ ଘରକୁ ଫେରିବା ‌ପରେ ସଂପୃକ୍ତ ବ୍ୟକ୍ତିଜଣକ ତାଙ୍କୁ ଚିକିତ୍ସା କରୁଥିବା ହସ୍ପିଟାଲ ଏବଂ ଡାକ୍ତରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ମୋର ଦ୍ବିତୀୟ ଜୀବନ ଲାଭ।

ଡାକ୍ତରମାନେ ହେଉଛନ୍ତି ବାସ୍ତବ ନାୟକ ବୋଲି ସେ କହିଛନ୍ତି। ମାର୍ଚ୍ଚ ମାସ ୨୯ ତାରିଖରୁ ସେ ଭେଣ୍ଟିଲେଟରରେ ଥିଲେ। ଏହା ପରଦିନ ନମୁନା ପରୀକ୍ଷାରୁ ତାଙ୍କର କୋଭିଡ-୧୯ ପଜିଟିଭ୍ ଆସିଥିଲା ବୋଲି ନିତାଇଦାସଙ୍କ ପତ୍ନୀ ଅପରାଜିତା ମୁଖାର୍ଜୀ କହିଛନ୍ତି। ନିତାଇଦାସ ଜଣେ ସମାଜସେବୀ ଏବଂ ସେ ଏକ ଏନ୍‌ଜିଓର ପରିଚାଳନା କରୁଛନ୍ତି। ଅତୀତରେ ସେ ସାହାଯ୍ୟ କରିଥିବା ଲୋକମାନଙ୍କ ଆଶୀର୍ବାଦ ତାଙ୍କୁ ସୁସ୍ଥ ହେବାରେ ସହାୟକ ହୋଇଛି ବୋଲି ନିତାଇଦାସଙ୍କ ପତ୍ନୀ କହିଛନ୍ତି। ଡାକ୍ତରମାନେ କହିଛନ୍ତି, ତାଙ୍କର ଟ୍ରାକେଓଷ୍ଟୋମି କରାଯାଇଥିଲା। ଅର୍ଥାତ୍ ଗଳାରେ ଅସ୍ତ୍ରୋପଚାର କରାଯାଇ ସିଧାସଳଖ ଏକ ବାୟୁପଥ ସୃଷ୍ଟି କରାଯାଇଥିଲା।

ସମ୍ବନ୍ଧିତ ଖବର