ସେ ଗୁଲାମ୍‌ ନୁହେଁ, ଆଜାଦ୍‌ ହେବାକୁ ଚାହାଁନ୍ତି: ଜୟରାମ ରମେଶ

ନୂଆଦିଲ୍ଲୀ: ପଦ୍ମଭୂଷଣ ସମ୍ମାନକୁ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଅଗ୍ରାହ୍ୟ କରିଦେବା ପରେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ରହସ୍ୟଜନକ ମନ୍ତବ୍ୟ ଦେଇ ଲେଖିଛନ୍ତି, ଠିକ୍‌ କରିଛନ୍ତି। ସେ ଗୁୁଲାମ୍ (ଦାସ) ‌ନୁହେଁ, ଆଜାଦ୍‌ (ସ୍ବାଧୀନ) ହେବାକୁ ଚାହାଁନ୍ତି। ଏଭଳି ମନ୍ତବ୍ୟ କିନ୍ତୁ, ତାଙ୍କ ଦଳର ସହକର୍ମୀ ଗୁଲାମ୍‌ ନବି ଆଜାଦ୍‌ଙ୍କ ପ୍ରତି ସମାଲୋଚନା ବୋଲି ମନେହେଉଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ପଦ୍ମଭୂଷଣ ତାଲିକାରେ ଗୁଲାମ୍‌ ନବିଙ୍କ ନାମ ରହିଛି। ତାଙ୍କୁ ଅଭିନନ୍ଦନ ଜଣାଇ କଂଗ୍ରେସ ନେତା ଶଶୀ ଥରୁର୍‌ ଲେଖିଛନ୍ତି, ପଦ୍ମଭୂଷଣ ପାଇବାକୁ ମନୋନୀତ ହୋଇଥିବାରୁ ଗୁଲାମ୍‌ ନବି ଆଜାଦ୍‌ଙ୍କୁ ଆନ୍ତରିକ ଅଭିନନ୍ଦନ। ଜନସେବା ପାଇଁ ଜଣକୁ ଅନ୍ୟ ଦଳର ସରକାର ସ୍ବୀକୃତି ଦେବା ଉତ୍ତମ କଥା।

Image Courtesy of India Today

କଂଗ୍ରେସର ସାଙ୍ଗଠନିକ ସଂସ୍କାର ପାଇଁ ଦାବି କରିଥିବା ୨୩ଜଣ କଂଗ୍ରେସ ନେତାଙ୍କ ମଧ୍ୟରେ ଅନ୍ୟତମ ବରିଷ୍ଠ କଂଗ୍ରେସ ନେତା କପିଲ୍ ସିବଲ୍‌ ମଧ୍ୟ କହିଛନ୍ତି ଯେ, ତାଙ୍କ (ଗୁଲାମ୍‌ ନବି ଆଜାଦ୍‌) ଅବଦାନକୁ ଦେଶ ସ୍ବୀକୃତି ଦେଉଥିବା ବେଳେ କଂଗ୍ରେସ ତାଙ୍କର ସେବା ଲୋଡୁନାହିଁ। ସେ ଲେଖିଛନ୍ତି, ଗୁଲାମ୍‌ ନବି ଆଜାଦ୍‌ଙ୍କୁ ପଦ୍ମ ଭୂଷଣ ସମ୍ମାନ ଦିଆଯିବ। ଅଭିନନ୍ଦନ ଭାଇଜାନ୍‌। ବିଡ଼ମ୍ବନା ଯେ, ଜନତାଙ୍କ ସେବା ପ୍ରତି ଦେଶ ତାଙ୍କୁ ସ୍ବୀକୃତି ଦେଉଥିବା ବେଳେ କଂଗ୍ରେସ ତାଙ୍କ ସେବା ଆବଶ୍ୟକ କରୁନାହିଁ।

ସୂଚନାଯୋଗ୍ୟ, ଉଭୟ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଏବଂ ଗୁଲାମ ନବି ଆଜାଦ୍‌ଙ୍କ ନାମ ପଦ୍ମ ସମ୍ମାନ ତାଲିକାରେ ରହିଛି। କିନ୍ତୁ, ଏହାକୁ ଗ୍ରହଣ କରିବା ଲାଗି ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ଷୀୟାନ୍‌ ‘ସିପିଆଇ(ଏମ୍‌) ନେତା ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ମନା କରିଦେଇଛନ୍ତି।

Image Courtesy of India Today

ଏ ସଂକ୍ରନ୍ତରେ ବିବୃତି ଦେଇ ବୁଦ୍ଧଦେବ ଭଟ୍ଟଚାର୍ଯ୍ୟ କହିଛନ୍ତି, ମୁଁ ଏ ସମ୍ମାନ ବିଷୟରେ କିଛି ଜାଣେ ନାହିଁ। ଏ ସମ୍ପର୍କରେ ମୋତେ କେହି କିଛି କହିନାହାନ୍ତି। ଯଦି ବା ସେମାନେ ମତେ ପଦ୍ମଭୂଷଣ ଦେବାକୁ ସ୍ଥିର କରିଥାଆନ୍ତି, ମୁଁ ତାହା ଗ୍ରହଣ କରିବି ନାହିଁ। ତାଙ୍କର ଉପରୋକ୍ତ ସଂକ୍ଷିପ୍ତ ବିବୃତି ବଙ୍ଗ ‘ସିପିଆଇ(ଏମ୍‌)’ର ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ ହୋଇଛି।

‘ସିପିଆଇ(ଏମ୍‌) ସୂତ୍ରରୁ ଅନୁସାରେ, ଏହା ଉଭୟ ଭଟ୍ଟାଚାର୍ଯ୍ୟ ଏବଂ ଦଳର ନିଷ୍ପତ୍ତି। ଟୁଇଟ୍‌ କରି ପାର୍ଟି ଲେଖିଛି: ପଦ୍ମଭୂଷଣ ପାଇବା ପାଇଁ ମନୋନୀତ ହୋଇଥିବା କମ୍ରେଡ୍‌ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ତାହା ଗ୍ରହଣ କରିବା ଲାଗି ଅଗ୍ରାହ୍ୟ କରିଛନ୍ତି। ରାଜ୍ୟରୁ ଏଭଳି ପୁରସ୍କାର ସବୁ ଗ୍ରହଣ କରିବା ଲାଗି ପୂର୍ବରୁ ମଧ୍ୟ ‘ସିପିଆଇ(ଏମ୍‌) ଅଗ୍ରାହ୍ୟ କରିଆସିଛି। ଆମର କାର୍ଯ୍ୟ ପୁରସ୍କାର ପାଇଁ ନୁହେଁ, ଜନସାଧାରଣଙ୍କ ପାଇଁ। ପୂର୍ବରୁ କଂମ୍ରେଡ୍‌ ଇ.ଏମ୍‌.ଏସ୍‌. ମଧ୍ୟ ଏଭଳି ସମ୍ମାନକୁ ଅଗ୍ରାହ୍ୟ କରିଦେଇଥିଲେ।

କେନ୍ଦ୍ର ସରକାରଙ୍କ କହିବା ଅନୁସାରେ, କେନ୍ଦ୍ର ଗୃହ ସଚିବ ସମ୍ମାନ ସଂକ୍ରାନ୍ତରେ ମଙ୍ଗଳବାର ସକାଳେ କେନ୍ଦ୍ର ଗୃହ ସଚିବ ଭଟ୍ଟାଚାର୍ଯ୍ୟଙ୍କ ପତ୍ନୀଙ୍କ ସହିତ କଥାବାର୍ତ୍ତା କରିଥିଲେ। ସେ ସମ୍ମତି ଦେବା ସହ ଧନ୍ୟବାଦ ଜ୍ଞାପନ କରିଥିଲେ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୀବ୍ର ସମାଲୋଚକ ୭୭ ବର୍ଷିୟ ବୁଦ୍ଧଦେବ ଦୀର୍ଘଦିନ ହେବ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ସହିତ ହୃଦ୍‌ରୋଗ ଏବଂ ଫୁସ୍‌ଫୁସ୍‌ ଜଟିଳତା ଭଳି ସମସ୍ୟା ଯୋଗୁଁ ବାହାରକୁ ବାହାରୁ ନାହାନ୍ତି।

ସେହିଭଳି, ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିବା ଲାଗି ପଶ୍ଚିମବଙ୍ଗର ୯୦ ବର୍ଷୀୟ ବର୍ଷୀୟାନ୍‌ ଗାୟିକା ସନ୍ଧ୍ୟା ମୁଖାର୍ଜୀ ମଧ୍ୟ ଅଗ୍ରାହ୍ୟ କରିଛନ୍ତି। ଏହି ସମ୍ମାନ ତାଙ୍କ ବର୍ଗର କଳାକାରଙ୍କ ଅ‌ପେକ୍ଷା କନିଷ୍ଠ କଳାକାରଙ୍କ ନିମନ୍ତେ ଉପଯୁକ୍ତ ବୋଲି ସେ କହିଛନ୍ତି। ତାଙ୍କୁ ପଦ୍ମଶ୍ରୀ ଦେବା ପାଇଁ ମନୋନୟନ କରାଯାଇଛି ବୋଲି ଦିଲ୍ଲୀରୁ ସରକାରୀ ଅଧିକାରୀମାନେ ଫୋନ୍‌ କରିଥିଲେ ବୋଲି ଝିଅ ସୌମି ସେନଗୁପ୍ତ କହିଛନ୍ତି। ତାଙ୍କ ବୟସର କଳାକାରଙ୍କ ପାଇଁ ଏହା ଅପମାନଜନକ ହେବ ବୋଲି ସେ ସରକାରୀ ଅଧିକାରୀମାନଙ୍କୁ କହିଥିଲେ।

Singer Sandhya Mukherhjee

ପଦ୍ମ ସମ୍ମାନ ପ୍ରତ୍ୟାଖ୍ୟାନ କରାଯିବା ଖୁବ୍‌ କ୍ବଚିତ୍‌। କାରଣ, ନାମ ଘୋ‌ଷଣା ହେବା ପୂର୍ବରୁ ସମ୍ମାନ ପାଇବାକୁ ମନୋନୀତ ବ୍ୟକ୍ତିଙ୍କ ସୁନିଶ୍ଚିତ ସ୍ବୀକୃତି ଆବଶ୍ୟକ ହୋଇଥାଏ।

୨୦୧୫ରେ ଚଳଚ୍ଚିତ୍ର ଲେଖକ ସଲିମ୍‌ ଖାଁ ପଦ୍ମଶ୍ରୀ ଗ୍ରହଣ କରିବାକୁ ମନା କରିଦେଇଥିଲେ। ତାଙ୍କ ପୂର୍ବରୁ ୨୦୦୫ରେ ଐତିହାସିକ ରୋମିଲା ଥାପର୍‌ ପଦ୍ମଭୂଷଣ ଅଗ୍ରାହ୍ୟ କରିଦେଇଥିଲେ। ୧୯୮୪ରେ ଭାରତୀୟ ସେନା ସ୍ବର୍ଣ୍ଣମନ୍ଦିର ଅକ୍ତିଆର୍‌ କରିନେବା ଘଟଣାକୁ କେନ୍ଦ୍ର କରି ୧୯୭୪ର ପୁରସ୍କାରକୁ ସେ ୧୯୮୪ରେ ଫେରାଇ ଦେଇଥିଲେ। ସେହି କଥାକୁ ନେଇ ୧୯୭୪ରେ ପ୍ରାପ୍ତ ପଦ୍ମଭୂଷଣ ସମ୍ମାନକୁ ଲେଖକ ଖୁସ୍‌ୱନ୍ତ ସିଂହ ଫେରାଇ ଦେଇଥିଲେ। କିନ୍ତୁ, ୨୦୦୭ରେ ସେ ପଦ୍ମବିଭୂଷଣ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର