ଅଙ୍କିତାଙ୍କୁ ଦେହଜୀବୀ ଭଳି ବ୍ୟବହାର କରିବାକୁ ଚାହୁଁଥିଲେ ପୁଲକିତ୍, ଅତିଥିଙ୍କୁ ‘ସ୍ପେଶାଲ ସର୍ଭିସ୍’ ନଦେବାରୁ କରାଯାଇଛି ହତ୍ୟା : ପୁଲିସ

ଋଷିକେଶ: ୧୯ ବର୍ଷୀୟ ରିସର୍ଟ ରିସେପ୍‌ସନିଷ୍ଟ୍‌ ଅଙ୍କିତା ଭଣ୍ଡାରିଙ୍କ ହତ୍ୟା ଘଟଣାରେ ଜଡ଼ିତ ଥିବା ମୁଖ୍ୟ ଅଭିଯୁକ୍ତ ବିଜେପି ନେତା ପୁଲକିତ ଆର୍ଯ୍ୟ ଗିରଫ ହେବା ପରେ ଏବେ ଘଟଣା ସହ ଜଡ଼ିତ ଅନେକ ଅଜଣା ତଥ୍ୟ ସାମ୍ନାକୁ ଆସିଛି। ପୁଲିସ ତଦନ୍ତ କରିବା ପରେ ଅଙ୍କିତାଙ୍କ ହ୍ବାଟସଆପ ମେସେଜ ସାମ୍ନାକୁ ଆସିଛି, ଯେଉଁଥିରେ ପୁଲକିତ ତାଙ୍କୁ ଦେହଜୀବୀ ଭଳି ବ୍ୟବହାର କରି ବେଶ୍ୟାବୃତ୍ତିରେ ଲିପ୍ତ କରିବାକୁ ଚାହୁଁଥିଲେ ବୋଲି ଜଣାପଡ଼ିଛି। ଏହା ସହ ରିସର୍ଟକୁ ଆସୁଥିବା ପୁଲକିତଙ୍କ ଅତିଥିଙ୍କୁ ସ୍ପେଶାଲ ସର୍ଭିସ ନଦେବାରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି କହିଛି ପୁଲିସ।

ପୁଲିସର କହିବା ମୁତାବକ, ପୁଲକିତ ଅଙ୍କିତାଙ୍କୁ ଦେହଜୀବୀ ଭଳି କାମ କରିବାକୁ କହୁଥିବା ସହ ଏଥିପାଇଁ ୧୦ହଜାର ଟଙ୍କା ପାରିଶ୍ରମିକ ଦେବାକୁ ପ୍ରସ୍ତାବ ଦେଇଥିଲେ। ଏକଥା ଅଙ୍କିତା ନିଜର ଜଣେ ବନ୍ଧୁଙ୍କୁ ହ୍ବାଟସଆପରେ ଜଣାଇଥିଲେ। ପ୍ରାଥମିକ ଯାଞ୍ଚରୁ ଏହି ମେସେଜ ପୀଡ଼ିତାଙ୍କର ବୋଲି ଜଣାପଡ଼ିଥିଲେ ବି ସ୍ପଷ୍ଟ ହେବା ପାଇଁ ଫୋନକୁ ଫରେନସିକ ଯାଞ୍ଚ ପାଇଁ ପଠାଯିବ।

ଏହା ପୂର୍ବରୁ ପୀଡ଼ିତାଙ୍କ ଜଣେ ଫେସବୁକ ବନ୍ଧୁ ଦାବି କରିଥିଲେ ଯେ, ଅଙ୍କିତା ପୁଲକିତଙ୍କ କଥା ମାନି ତାଙ୍କ ବନ୍ଧୁଙ୍କୁ ସ୍ପେଶାଲ ସର୍ଭିସ ନଦେବାରୁ ପୁଲକିତ ଅଙ୍କିତାଙ୍କୁ ହତ୍ୟା କରିଛନ୍ତି। ପୁଲକିତଙ୍କ କହିବା ପରେ ବି ଅଙ୍କିତା ତାଙ୍କ ବନ୍ଧୁମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଦେଇଥିଲେ। ଏ ବିଷୟ‌ରେ ଅଙ୍କିତା ନିଜ ବନ୍ଧୁଙ୍କୁ ଜଣାଇବା ପରେ ହିଁ ତାଙ୍କୁ ହତ୍ୟା କରାଯାଇଥିଲା।

ପୁଲିସ ପୁଲକିତଙ୍କୁ ଗିରଫ କରିଥିଲେ ବି ପୁଲକିତଙ୍କ ବାପା ତଥା ବିଜେପି ନେତା ବିନୋଦ ଆର୍ଯ୍ୟ କହିଛନ୍ତି ଯେ, ମୋ ପୁଅ ପୁଲକିତ୍ ବହୁତ ଭଲ। ଏହି ଘଟଣା ପରେ ମୁଁ ପୁଲିସକୁ ଯାଞ୍ଚରେ ସମ୍ପୂର୍ଣ୍ଣ ସହଯୋଗ କରିବି। ଦଳରୁ ଆମକୁ ବହିଷ୍କାର କରାଯାଇନାହିଁ। ମୁଁ ଏବଂ ମୋ ପୁଅ ଅଙ୍କିତ ନିଜ ଆଡୁ ଇସ୍ତଫା ଦେଇଛୁ। ଯାଞ୍ଚ ଉପରେ କୌଣସି ପ୍ରଭାବ ନପଡୁ ବୋଲି ଆମେ ଦୁହେଁ ଇସ୍ତଫା ଦେଇଥିଲୁ।

ସମ୍ବନ୍ଧିତ ଖବର