ଦିଲ୍ଳୀରୁ ବିହାର ସାଇକେଲ୍‌ରେ ଫେରୁଥିଲେ ଖାଉଥିବା ବେଳେ ପିଟିଦେଲା କାର୍‌, ପ୍ରାଣ ହରାଇଲେ ପ୍ରବାସୀ

ନୂଆଦିଲ୍ଲୀ : ପ୍ରବାସୀଙ୍କ ଦୁଃଖ ସରୁନି। ଦେଶବ୍ୟାପୀ ବିଭିନ୍ନ ସ୍ଥାନ‌ରେ ଫସିଥିବା ପ୍ରବାସୀଙ୍କ ପାଇଁ ସରକାର ସ୍ବତନ୍ତ୍ର ଟ୍ରେନ୍‌ ସେବା ଆରମ୍ଭ କରିଛନ୍ତି କିନ୍ତୁ ସମସ୍ତଙ୍କ ପାଖରେ ଏହ‌ି ସେବା ପହଞ୍ଚିପାରିନି। ପ୍ରତିଦିନ ପ୍ରବାସୀଙ୍କୁ ନେଇ କିଛି ନା କିଛି ଦୁଃଖଦ ଖବର ମିଳୁଛି। ଆଜି ପୁଣି ଏକ ହୃଦୟବିଦାରକ ଘଟଣା ଲୋକଲୋଚନକୁ ଆସିଛି। ଦିଲ୍ଲୀରୁ ବିହାରକୁ ସାଇକେଲ୍‌ ଯୋଗେ ଫେରୁଥିବା ଜଣେ ଯୁବକଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ଏହି ଯୁବକଙ୍କ ନାମ ସାଘିର ଅନ୍‌ସାରି।

୨୬ ବର୍ଷୀୟ ସଘିରଙ୍କ ଘର ବିହାରର ପୂର୍ବ ଚମ୍ପାରନରେ। କିନ୍ତୁ ସେ ଦିଲ୍ଲୀରେ କାମ କରୁଥିଲେ। ଲକ୍‌ଡାଉନ୍‌ ‌ଯୋଗୁଁ କାମ ବନ୍ଦ ହୋଇଗଲା। ପାଖରେ ଥିବା ସଞ୍ଚୟ ଟଙ୍କା ସରିଯିବାପରେ ସାଘିର ଘରକୁ ଫେରିବାପାଇଁ ନିଷ୍ପତ୍ତି ନେଇଥିଲେ। ସଘିର ୮ ପ୍ରବାସୀ ଶ୍ରମିକଙ୍କ ସହ ଜାତୀୟ ରାଜଧାନୀ ଦିଲ୍ଲୀରୁ ମେ’୫ ତାରିଖରେ ଯାତ୍ରା ଆରମ୍ଭ କରିଥିଲେ। ଘରକୁ ପହଞ୍ଚିବାପାଇଁ ୧୦୦୦ରୁ ଅଧିକ କିମି ବାଟ ସ‌ାଇକେଲ୍‌ ଚଲାଇବାର ଥିଲା। ତେବେ ସେମାନେ ୫ ଦିନ ପରେ ଅଧା ବାଟ ଅତିକ୍ରମ କରି ଲକ୍ଷ୍ନୌରେ ପହଞ୍ଚିଥିଲେ। ଗତ ଶନିବାର ତଥା‌ ୯ ତାରିଖ ସକାଳ ୧୦ଟା ବେଳେ ସଘିର ଏବଂ ତାଙ୍କର ଅନ୍ୟ ବନ୍ଧୁମାନେ ସକାଳ ଭୋଜନ ସାରି ଏକ ରୋଡ୍‌ ଡିଭାଇଡର୍‌ରେ ବସିଥିଲେ। ଏହି ସମୟରେ ଏକ ଦ୍ରୁତଗାମୀ କାର୍‌ ଆସି ସାଘିରଙ୍କୁ ଧକ୍କା ଦେଇଥିଲା। ସଙ୍ଗେସଙ୍ଗେ ସାଘିରଙ୍କୁ ହସ୍ପିଟାଲ୍‌ ନିଆଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଯାଇଛି। ସଘିରଙ୍କ ୩ ପିଲା ଏବଂ ପତ୍ନୀ ଅଛନ୍ତି। ସେମାନେ ତାଙ୍କ ଫେରିବା ବାଟକୁ ଚାହିଥିବାବେଳେ ତାଙ୍କ ମୃତ୍ୟୁ ଖବର ପାଇଛନ୍ତି।

ସମ୍ବନ୍ଧିତ ଖବର