‘ଯିଏ ହନୁମାନ ଚାଳିଶାକୁ ଅପମାନିତ କରିଛନ୍ତି ହାରିଛନ୍ତି’: ବିଜେପି

ମୁମ୍ବାଇ : ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନରେ ମୋଟ ୬ଟି ଆସନ ଭିତରୁ ମୁଖ୍ୟ ବିରୋଧୀ ଦଳ ବିଜେପି ୩ଟି ଆସନ ହାତେଇ ନେବାରେ ସଫଳ ହୋଇଛି। ଷଷ୍ଠ ଆସନ ପାଇଁ ଠିଆ ହୋଇଥିବା ବିଜେପି ପ୍ରାର୍ଥୀ ଧନଞ୍ଜୟ ମହାଦିକ ଶିବସେନାର ସଞ୍ଜୟ ପାୱାରଙ୍କୁ ହରାଇଦେବା ମହାବିକାଶ ଅଘାଡ଼ି ମେଣ୍ଟକୁ ଏକ ଶକ୍ତ ଝଟକା ସଦୃଶ ହୋଇଛି। ଏହି ପରିପ୍ରେକ୍ଷୀରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡ଼ନାବିସ କହିଛନ୍ତି ଯେ ଯିଏ ହନୁମାନ ଚାଳିଶାକୁ ଅପମାନିତ କରିଛନ୍ତି ହାରିଛନ୍ତି।

ହାତରେ ହନୁମାନ ଚାଳିଶା ଧରି ଫଡ଼ନାବିସ ତାହା ପାଠ କରିବା ସହ ସ୍ବାଧୀନ ବିଧାୟକ ରବି ରାଣାଙ୍କୁ ପୁସ୍ତିକାଟି ପ୍ରଦାନ କରିଥିଲେ। ରାଣା ମଧ୍ୟ ନିର୍ବାଚନ ପୂର୍ବରୁ ଏହି ଚାଳିଶା ୧୦୧ ଥର ପାଠ କରିଥିଲେ। ସେ ନିଜ ଘରେ ଚାଳିଶା ପାଠ କରୁଥିବାର ଏକ ଭିଡିଓ ବ୍ୟାପକ ପ୍ରସାରିତ ହୋଇଛି। ସୂଚନାଯୋଗ୍ୟ ରାଣା ଦମ୍ପତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ‘ମାତୋଶ୍ରୀ’ ଆଗରେ ହନୁମାନ ଚାଳିଶା ପାଠ କରିବେ କହି ଗିରଫ ହୋଇଥିଲେ। ପୁଲିସ ବିଭିନ୍ନ ଦଫାରେ ତାଙ୍କ ନାମରେ ମାମଲା ରୁଜୁ କରିଥିଲା। ପରେ ତାଙ୍କୁ ଜାମିନ ମିଳିଥିଲା। ବର୍ତ୍ତମାନ ସେହି ହନୁମାନ ଚାଳିଶାକୁ ପ୍ରତୀକାତ୍ମକ ଭାବେ ଗ୍ରହଣ କରି ଫଡ଼ନାବିସ କହିଛନ୍ତି ଯେ, ଯିଏ ଏହାକୁ ଅପମାନିତ କରିଛନ୍ତି ହାରିଛନ୍ତି, ଯିଏ ଏହାକୁ ସମ୍ମାନ ଦେଇଛନ୍ତି ଜିତିଛନ୍ତି। ସେ ପୁଣି କହିଛନ୍ତି ଏହା ଟେଲର ମାତ୍ର, ପୂରା ସିନେମା ଦେଖିବା ଆଗକୁ ବାକି ଅଛି।

ଏହି ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ, ପୂର୍ବତନ ରାଷ୍ଟ୍ରମନ୍ତ୍ରୀ ଅନିଲ ବୋନ୍ଦେ ଓ ଧନଞ୍ଜୟ ମହାଦିକ୍ ଜିତିଥିବା ବେଳେ ଶିବସେନାର ସଞ୍ଜୟ ରାଉତ, ଏନ୍‌ସିପିର ପ୍ରଫୁଲ୍ଲ ପଟେଲ ଏବଂ କଂଗ୍ରେସର ଇମ୍ରାନ ପ୍ରତାପଗଡ଼ି ଜିତିଥିଲେ। ଷଷ୍ଠ ଆସନ ପାଇଁ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା, ଯେଉଁଥିରେ ସେନାର ପାୱାରଙ୍କୁ ହରାଇ ବିଜେପିର ମହାଦିକ ଜିତିଥିଲେ।

ସମ୍ବନ୍ଧିତ ଖବର