ଜେନେଭା : କରୋନାଭୂତାଣୁର ଡେଲ୍ଟା ପ୍ରଜାତି ଏବେ ବିଶ୍ବବ୍ୟାପୀ କ୍ଷୀପ୍ର ସଂକ୍ରମଣ ଘଟାଉଥିବାରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଆଜି ସତର୍କ କରାଇ ଦେଇଛି। ସମଗ୍ର ବିଶ୍ବ ଏବେ ତୃତୀୟ ଲହରର ପ୍ରାଥମିକ ପର୍ଯ୍ୟାୟରେ ରହିଛି ଏବଂ ବ୍ୟାପକ ସତର୍କତା ଅବଲମ୍ବନ କରାନଗଲେ ସ୍ଥିତି ଜଟିଳ ହୋଇପଡ଼ିବ ବୋଲି ‘ହୁ’ ମୁଖ୍ୟ ଟେଡ୍ରସ ଆଦନମ କହିଛନ୍ତି।
କରୋନାଭୂତାଣୁ ତୁହାକୁ ତୁହା ରୂପ ବଦଳାଉଛି ଏବଂ ଅଧିକ ସଂକ୍ରାମକ ପ୍ରଜାତି ଯୋଗୁଁ ଏବେ ଶତାଧିକ ରାଷ୍ଟ୍ରରେ ସଂକ୍ରମଣ ବଢ଼ିଛି। ଡେଲ୍ଟା ପ୍ରଜାତି ଏବେ ୧୧୧ରୁ ଅଧିକ ରାଷ୍ଟ୍ରରେ ଚିହ୍ନଟ ହୋଇଥିବାରୁ ଆଜି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ ଜରୁରୀ ବୈଠକରେ ସ୍ଥିତି ସମୀକ୍ଷା କରାଯାଇଛି । ଅଧିକ ଘାତକ ଏବଂ ଅତିଶୟ ସଂକ୍ରମଣଶୀଳ ପ୍ରଜାତି ପାଇଁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ପଳାଇଯିବା ଆଶଙ୍କା ରହିଥିବାରୁ ଏଥିପାଇଁ ବିଶ୍ବବ୍ୟାପୀ ମିଳିତ ପ୍ରୟାସ ଲୋଡ଼ା ବୋଲି ହୁ କହିଛି।
କରୋନାର ୪ଟି ପ୍ରଜାତି ଏବେ ଅତି ଉଦ୍ବେଗର କାରଣ ହୋଇଥିବାରୁ ମହାମାରୀ ଆଗକୁ ମଧ୍ୟ ଜାରି ରହିବ ଏବଂ ଏଥିରୁ ରକ୍ଷା ପାଇବା ପାଇଁ ଉପାୟ ଖୋଜିବାକୁ ହେବ ବୋଲି ‘ହୁ’ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ଗତ କିଛି ମାସରେ ୟୁରୋପ୍ ଏବଂ ଉତ୍ତର ଆମେରିକାରେ ଟିକାକରଣ ବୃଦ୍ଧି ହେବାରୁ ଉଭୟ ସଂକ୍ରମଣ ଏବଂ ମୃତ୍ୟୁସଂଖ୍ୟା କମିଥିଲା। ଏବେ ପୁଣି ଡେଲ୍ଟା ପ୍ରଜାତି ପାଇଁ ୟୁରୋପ୍ ଏବଂ ଉତ୍ତର ଆମେରିକାରେ ସଂକ୍ରମଣ ବଢ଼ୁଛି। ସଂକ୍ରମଣ ଅତି ବ୍ୟାପକ ହେଲେ ସ୍ବାସ୍ଥ୍ୟସେବା ଉପରେ ପ୍ରବଳ ଚାପ ରହିବ। କିଛି ରାଷ୍ଟ୍ରରେ ଟିକାକରଣ ଅତି ଦ୍ରୁତ ଗତିରେ ହେଉଥିବାବେଳେ ଆଉ କିଛି ରାଷ୍ଟ୍ରରେ ଟିକାକରଣ ବିଫଳ ହୋଇଛି। କୋଭିଡ ମୁକାବିଲା ଦିଗରେ ଏଭଳି ତାରତମ୍ୟ ଗରିବ ରାଷ୍ଟ୍ରମାନଙ୍କ ପାଇଁ ଅଧିକ ସଙ୍କଟ ସୃଷ୍ଟି କରିବ ବୋଲି ହୁ ମୁଖ୍ୟ ସତର୍କ କରାଇ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/who2.jpg)