ସୋନିଆଙ୍କୁ ଚିଠି ଲେଖି କ୍ଷୋଭ ଜଣାଇଲେ

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପୂର୍ବରୁ ଶନିବାର କ୍ୟାପଟେନ ଅମରିନ୍ଦର ସିଂହ ‌କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର କାରଣ ସଂପର୍କରେ ସେ ତାଙ୍କ ଚିଠିରେ ସୋନିଆଙ୍କୁ ଅବଗତ କରାଇଛନ୍ତି। ଗତ ୫ ମାସ ହେଲା ପଞ୍ଜା‌ବ କଂଗ୍ରେସରେ ଯେଉଁ ଘଟଣାମାନ ଦେଖିବାକୁ ମିଳୁଛି ତାହାକୁ ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି।

ପଞ୍ଜାବର ଜାତୀୟ ଆବଶ୍ୟକତା ଏବଂ ପ୍ରମୁଖ ଚିନ୍ତାଗୁଡ଼ିକ ଉପରେ ଏହି ଘଟଣାଗୁଡ଼ିକ ଆଧାରିତ ନୁହେଁ ବୋଲି ସେ କହିଛନ୍ତି। ବ୍ୟକ୍ତିଗତ ବିରୋଧ ସତ୍ତ୍ବେ ଏସବୁ ଘଟଣା ପଞ୍ଜାବର କଷ୍ଟଲବ୍ଧ ଶାନ୍ତି ଏବଂ ବିକାଶକୁ କ୍ଷତି ପହଞ୍ଚାଇବ ନାହିଁ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଗତ କିଛିବର୍ଷ ହେଲା ‌ମୁଁ ଯେଉଁ ବିଷୟ ଉପରେ ଧ୍ୟାନ ଦେଇ ଆସୁଥିଲି ତାହା ଅବ୍ୟାହତ ରହିବ। ସମସ୍ତଙ୍କୁ ନ୍ୟାୟ ମିଳିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ତେଣୁ ଅମରିନ୍ଦରଙ୍କ ଚିଠିରୁ ଏହା ବୁଝାଯାଉଛି ଯେ ରାଜ୍ୟ କଂଗ୍ରେସରେ ଘଟିଥିବା ଘଟଣାଗୁଡ଼ିକ ପଞ୍ଜାବରେ ଅସ୍ଥିରତା ଆଣିପାରେ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟର ଲୋକଙ୍କ ପାଇଁ କରିଥିବା କାର୍ଯ୍ୟକୁ ନେଇ‌ ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ପଞ୍ଜାବ ଦେଶର ଏକ ସୀମାନ୍ତ ରାଜ୍ୟ। ଏଠାରେ ଅନେକ ରାଜନୈତିକ ଏବଂ ଭୌଗୋଳିକ ସମସ୍ୟା ରହିଛି। ରାଜନୈତିକ ଭୌଗୋଳିକ ଏବଂ ଅନ୍ୟ ଆଭ୍ୟନ୍ତରୀଣ ନିରାପତ୍ତା ବିଷୟଗୁଡ଼ିକୁ ବିନା ସାଲିସରେ ମୁଁ ଭଲଭାବେ ମୁକାବିଲା କରିଛି ବୋଲି ସେ କହିଛନ୍ତି। ତାଙ୍କ ଅମଳରେ ରାଜ୍ୟରେ ଶାନ୍ତି ସଂପୂର୍ଣ୍ଣ ଭାବରେ ରହିଥିଲା। ସାଂପ୍ରଦାୟିକ ଏକତା ସହିତ କାହାରି ପ୍ରତି କାହାର ମନ୍ଦ ଉଦ୍ଦେଶ୍ୟ ନଥିଲା ବୋଲି ସେ କହିଛନ୍ତି। ଗତ ସାଢ଼େ ଚାରିବର୍ଷ ମଧ୍ୟରେ ହାସଲ ହୋଇଥିବା କେତେକ ବିଷୟ ସଂପର୍କରେ ସୋନିଆ ନିଜେ ଅବଗତ ଅଛନ୍ତି। ଅମରିନ୍ଦର ୨୦୦୨ରୁ ୨୦୦୭ ଏବଂ ୨୦୧୭ରୁ ୨୦୨୧ ସେପ୍ଟେମ୍ବର ପର୍ଯ୍ୟନ୍ତ ପଞ୍ଜାବର ମୁଖ୍ୟମନ୍ତ୍ରୀ ରହିଥିଲେ। ଏହି ସାଢ଼େ ୯ ବର୍ଷ ମଧ୍ୟରେ ସେ ରାଜ୍ୟବାସୀଙ୍କ ମଙ୍ଗଳ ପାଇଁ ସଂପୂର୍ଣ୍ଣ ଭାବେ ସମର୍ପିତ ହୋଇ କାର୍ଯ୍ୟ କରିଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ୧୩ଟିରୁ ୮ଟି ଆସନରେ କଂଗ୍ରେସ ଜିତିଛି। ଏଥିସହିତ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ମଧ୍ୟ ଦଳ ବଡ଼ ଧରଣର ବିଜୟ ହାସଲ କରିଛି ବୋଲି ‌ଅମରିନ୍ଦର ଳେଖିଛନ୍ତି। ନିର୍ବାଚନ ପୂର୍ବରୁ ପଞ୍ଜାବ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରିବା ଲାଗି ତାଙ୍କୁ ଅନେକ କଷ୍ଟ ସ୍ବୀକାର କରିବାକୁ ପଡ଼ିଛି। ଏଥିସହିତ ନିଶା ସାମଗ୍ରୀର ଚୋରାଚାଲାଣକୁ ରୋକିବା ଆଦି କ୍ଷେତ୍ରରେ ରାଜ୍ୟ ସରକାର ହାସଲ କରିଥିବା ଉଲ୍ଲେଖନୀୟ ସଫଳତା ସଂପର୍କରେ ଅମରିନ୍ଦର ତାଙ୍କ ଚିଠିରେ ଲେଖିଛନ୍ତି।

ସମ୍ବନ୍ଧିତ ଖବର