କଂଗ୍ରେସରେ ଅନ୍ତଃକନ୍ଦଳ: ରାଜସ୍ଥାନରେ ଭାରତ ଯୋଡ଼ୋ ଯାତ୍ରା ପାଇଁ ମୁଣ୍ଡବିନ୍ଧା

ଜୟପୁର : ଡିସେମ୍ବରରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ରାଜସ୍ଥାନରେ ପ୍ରବେଶ କରିବ। ଡିସେମ୍ବର ପ୍ରଥମ ସପ୍ତାହରେ ମଧ୍ୟପ୍ରଦେଶ ପରେ ରାଜସ୍ଥାନର ଝଲୱାର ବାଟେ ଏହି ଯାତ୍ରା ଆଗକୁ ବଢ଼ିବ। ରାଜସ୍ଥାନରେ ଏହି ଯାତ୍ରା ପାଖାପାଖି ୨୦ ଦିନ ରହିବ। ଏହି ସମୟ ମଧ୍ୟରେ ଝଲୱାର, କୋଟା, ସୱାଇ ମାଧୋପୁର, ଦୌସା ଏବଂ ଅଲୱାର ଆଦି ଦେଇ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ନେତାମାନେ ଆଗକୁ ବଢ଼ିବେ। ଦଳୀୟ ସୂତ୍ରରୁ ଜଣାଯାଇଛି ୧୮ଟି ବିଧାନସଭା ନିର୍ବାଚନମଣ୍ଡଳୀ (ଏଥିରୁ ୧୨ଟିରେ କଂଗ୍ରେସ ବିଧାୟକ ଥିବା ନିର୍ବାଚନମଣ୍ଡଳୀ ରହିଛି) ଦେଇ ଯାତ୍ରା କରିବ। ‌ଶୀତଦିନେ ଯଦିଓ ଏହି ଯାତ୍ରା ଯିବ ତଥାପି ଉତ୍ତର ଭାରତର ଉକ୍ତ ରାଜ୍ୟରେ ରାଜନୈତିକ ଉଷ୍ମତା ଏବେଠୁ ବଢ଼ିଲାଣି। ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ସମର୍ଥନ କରୁଥିବା ନେତାମାନେ କଂଗ୍ରେସରେ ପୂର୍ବରୁ ରହିଥିବା ବିବାଦର ସମାଧାନ ଦାବି କରିଛନ୍ତି। ତେଣୁ ଭାରତ ଯୋଡ଼ୋ ଯାତ୍ରା ପାଇଁ ଏହା ମୁଣ୍ଡବିନ୍ଧାର କାରଣ ପାଲଟିଲାଣି।

୨୦୧୮ରେ ରାଜସ୍ଥାନରେ କଂଗ୍ରେସର ବିଜୟ ପରେ ଅଶୋକ ଗେହଲଟ ଓ ପାଇଲଟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଆସନରେ ବସିବା ପାଇଁ ଦୁଇ ନେତାଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଚାଲିଛି। ୨୦୨୦ ଜୁଲାଇରେ ଏହା ବିଦ୍ରୋହର ରୂପ ନେଇଥିଲା। ପାଇଲଟ ଓ ତାଙ୍କ ଗୋଷ୍ଠୀର ବିଧାୟକମାନେ ଗେହଲଟଙ୍କ ବିରୋଧରେ ଏକଜୁଟ ହୋଇଥିଲେ। ଗେହଲଟଙ୍କୁ ଦଳର ସଭାପତି ପାଇଁ ହାଇକମାଣ୍ଡ ଯୋଜନା ଚଳାଇଥିଲେ। ଗେହଲଟ ସଭାପତି ହେଲେ ହାଇକମାଣ୍ଡ କାଳେ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିଦେବେ ସେଥିଲାଗି ଗେହଲଟ ଗୋଷ୍ଠୀ ବିଦ୍ରୋହ କରିଥିଲେ। ଗେହଲଟଙ୍କ ଅନୁଗତ ଥିବା ୯୦ରୁ ଅଧିକ ବିଧାୟକ ସେପ୍ଟେମ୍ବର ମାସରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶାନ୍ତି ଧରିୱାଲଙ୍କ ଘରେ ଏକାଠି ହୋଇଥିଲେ। ଏଥିପାଇଁ କଂଗ୍ରେସ ବିଧାୟକ ଦଳ ବୈଠକ ହୋଇପାରି ନଥିଲା।

ତେଣୁ ଗେହଲଟ ଏବଂ ପାଇଲଟଙ୍କ ଗୋଷ୍ଠୀ ମଧ୍ୟରେ ଥିବା ଅନ୍ତଃକନ୍ଦଳ ଏବେ ବି ରହିଛି। ଏଭଳି ସ୍ଥିତିରେ ଗୁର୍ଜର ନେତା ବିଜୟ ସିଂହ ବଇଁସଲା ମଧ୍ୟ ଏକପ୍ରକାର ଧମକ ଦେଇଛନ୍ତି। ତାଙ୍କ ସଂପ୍ରଦାୟର ସମସ୍ୟା ସମାଧାନ ନକରି ରାଜ୍ୟରେ ଉକ୍ତ ଯାତ୍ରା ଆୟୋଜନକୁ ସେ ଚାଲେଞ୍ଜ କରିଛନ୍ତି। କିନ୍ତୁ ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ଗୋବିନ୍ଦ ସିଂହ ଦୋତସ୍ରା ଯାତ୍ରା ସଫଳ ହେବ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି।

ଅନ୍ୟପକ୍ଷରେ ବିରୋଧୀ ବିଜେପି ଆସନ୍ତା ୨୯ ତାରିଖରୁ ଜନ ଆକ୍ରୋଶ ଆନ୍ଦୋଳନ ଆରମ୍ଭ କରିବ। ଭାରତ ଯୋଡ଼ୋ ଯାତ୍ରାକୁ ପ୍ରତିହତ କରିବା ଏବଂ ଗେହଲଟ ସରକାରଙ୍କୁ ଘେରିବା ଲାଗି ଏହା କରାଯାଉଛି।

ସମ୍ବନ୍ଧିତ ଖବର