ବଳିଆ ସ୍ୱାସ୍ଥ୍ୟରେ ସୁଧାର ଆସୁଛି

ନୂଆଦିଲ୍ଲୀ : ନୂଆଦିଲ୍ଲୀସ୍ଥିତ ଏମ୍ସରେ ଯୋଡ଼ାମୁଣ୍ଡ ଅଲଗା ପରେ ଜଗାର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିଲା। ମାତ୍ର, ବଳିଆର ସ୍ୱାସ୍ଥ୍ୟରେ ଦ୍ରୁତ ସୁଧାର ଆସିନଥିଲା। ଏବେ ବଳିଆ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ହେବା ସହିତ ସେ କ୍ରମଶଃ ଆରୋଗ୍ୟ ଲାଭ କରୁଥିବା ଜଣାପଡ଼ିଛି।

ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରୀ ଟିମ୍‌ କହିଛନ୍ତି ଯେ, ଏବେ ବଳିଆରେ ନାକରେ ଲାଗିଥିବା ନଳୀକୁ କାଢ଼ି ଦିଆଯାଇଛି ଏବଂ ତଣ୍ଟିରେ ଟାକ୍ରିଓଟୋମି ଲଗାଯାଇଛି। ତଳର ପଦାର୍ଥ ବଦଳରେ ନିୟମିତ ଭାତଡାଲି ଦିଆଯାଉଛି। ଜଳଖିଆରେ ବେଳେବେଳେ ଅଣ୍ଡା ମଧ୍ୟ ଦିଆଯାଉଛି। ସେ ଚେଷ୍ଟା କରୁଥିଲେ ମଧ୍ୟ ଦୁର୍ବଳ କାରଣରୁ ସେ ଠିଆ ହୋଇପାରୁନାହିଁ। ଜଗା ଭଳି ସ୍ୱାଭାବିକ ଅବସ୍ଥାକୁ ଫେରିବାକୁ ହେଲେ ବଳିଆକୁ ଆଉ ତିନି ମାସ ସମୟ ଲାଗିପାରେ ବୋଲି ସେମାନେ କହିଛନ୍ତି।

ଆହୁରି ମଧ୍ୟ ଜଣାପଡ଼ିଛି ଯେ, ବାପା ମା’ ଓ ଭାଇ ଜଗାକୁ ବଳିଆ ଭଲ ଭାବରେ ଚିହ୍ନି ପାରୁଛି ଏବଂ ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରି ପାରୁଛି। କିନ୍ତୁ ବାକ୍‌ଶକ୍ତି ଏବେ ବି ବିକଶିତ ହୋଇ ପାରୁନାହିଁ।

ପ୍ରକାଶଥାଉକି, ଗତବର୍ଷ ଜୁଲାଇ ୧୪ ତାରିଖରେ ଯୋଡ଼ାମୁଣ୍ଡ ଅବସ୍ଥାରେ ଜଗାବଳିଆଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ଅକ୍ଟୋବର ୨୭ ତାରିଖରେ ଅପରେସନ୍‌ ଦ୍ୱାରା ଉଭୟଙ୍କୁ ଅଲଗା କରାଯାଇଥିଲା। ଏହି ବିରଳ ଅପରେସନ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲା।

ସମ୍ବନ୍ଧିତ ଖବର