ଉତ୍ତରକାଶୀ: ୧୭ ଦିନ ଧରି ସୁଡ଼ଙ୍ଗରେ ଫସି ରହିଥିବା ୪୧ ଜଣ ନିର୍ମାଣ ଶ୍ରମିକଙ୍କୁ ଉଦ୍ଧାର କରାଯିବାର ଗୋଟିଏ ଦିନ ପରେ ଭାରତୀୟ ବାୟୁସେନାର ପରିବହନ ହେଲିକପ୍ଟର ଚିନୁକରେ ସେମାନଙ୍କୁ ଏୟାରଲିଫ୍ଟ କରି ଋଷିକେଶସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ)କୁ ନିଆଯାଇଛି। ଯଦିଓ କୌଣସି ଶ୍ରମିକ ବାହ୍ୟ ଆଘାତ ପାଇନାହାନ୍ତି, ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସେମାନଙ୍କୁ ପ୍ରମୁଖ ଡାକ୍ତରଖାନା ନିଆଯାଇଛି। ନଭେମ୍ବର ୧୨ ତାରିଖରୁ ସୁଡ଼ଙ୍ଗରେ ଫସି ରହିବା ପରେ ମଙ୍ଗଳବାର ସନ୍ଧ୍ୟାରେ ସିଲ୍କିୟାରା-ଦିଣ୍ଡାଲଗାଓଁ ଟନେଲରୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିବା ନିର୍ମାଣ ଶ୍ରମିକମାନଙ୍କୁ ପ୍ରଥମେ ଚିନ୍ୟାଲିସୋରର ଏକ ଅସ୍ଥାୟୀ ଡାକ୍ତରଖାନାକୁ ନିଆଯାଇଥିଲା। ନିକଟସ୍ଥ ଏକ ହେଲିଡ୍ରମ୍‌ରେ ଚିନୁକ୍ ହେଲିକପ୍ଟର ପ୍ରସ୍ତୁତ ରହିଥିଲା। ବୁଧବାର ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଡାକ୍ତରଖାନା ପରିଦର୍ଶନ କରି ଶ୍ରମିକଙ୍କ ସହ କଥାବାର୍ତ୍ତା କରିବା ସହ ସେମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି। ଏମ୍ସରେ ଶ୍ରମିକମାନଙ୍କୁ ୨୪ ଘଣ୍ଟିଆ ନିରୀକ୍ଷଣରେ ରଖାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ କହିଛନ୍ତି। ଶ୍ରମିକମାନେ ୧୭ ଦିନ ଧରି ସୂର୍ଯ୍ୟକିରଣ ଓ ପ୍ରାକୃତିକ ବାୟୁ ବିନା ସୁଡ଼ଙ୍ଗରେ ଥିଲେ ଏବଂ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏମ୍ସରେ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି ବୋଳି ଅଧିକାରୀମାନେ କହିଛନ୍ତି।

Advertisment

ଚିନ୍ୟାଲିସୋରରୁ ଋଷିକେଶର ଦୂରତା ପ୍ରାୟ ୧୫୦ କିଲୋମିଟର ହୋଇଥିବା ସତ୍ତ୍ୱେ ସମୟ ନଷ୍ଟ ନ ହେବା ଏବଂ ଯାତ୍ରା ସମୟରେ ଯେପରି କେହି ଅସୁସ୍ଥ ଅନୁଭବ ନ କରନ୍ତି ସେଥିପାଇଁ ଶ୍ରମିକମାନଙ୍କୁ ଏୟାରଲିଫ୍ଟ କରିବାକୁ ନିଷ୍ପତ୍ତି ନିଆଯାଇଛି। ପାରାମେଡିକ୍ସ ମଧ୍ୟ ଚିନୁକରେ ଶ୍ରମିକମାନଙ୍କ ସହ ଥିଲେ। ଋଷିକେଶରେ ଶ୍ରମିକମାନଙ୍କୁ ଭେଟିବା ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ ସହଜ ହେବ। ଡାକ୍ତରମାନେ ପରୀକ୍ଷା କରି ସେମାନଙ୍କ ସ୍ବାସ୍ଥ୍ୟ ଠିକ୍ ଅଛି ବୋଲି ସ୍ପଷ୍ଟ କରିବା ପରେ ସଡ଼କ ଓ ରେଳ ଯୋଗାଯୋଗ ଭଲ ଥିବାରୁ ସେଠାରୁ ଶ୍ରମିକଙ୍କୁ ଘରକୁ ପଠାଇବା ମଧ୍ୟ ସହଜ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି।