ନୂଆଦିଲ୍ଲୀ : ଅଙ୍ଗ ଦାନ ଏବଂ ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ଦୂରଦୃଷ୍ଟିସମ୍ପନ୍ନ ଗଠନମୂଳକ ସଂସ୍କାର ଆସିବ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବୀୟ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାରଙ୍କ ଉପସ୍ଥିତିରେ ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଅଙ୍ଗଦାନ ଏବଂ ପ୍ରତିରୋପଣ ନୀତିର ସମୀକ୍ଷା କରିବାବେଳେ ଏ ସଂକ୍ରାନ୍ତରେ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମନ୍ କୀ ବାତ୍ର ୯୯ତମ ଅଧ୍ୟାୟରେ ଅନ୍ୟମାନଙ୍କ ଜୀବନ ରକ୍ଷା ପାଇଁ ଅଙ୍ଗଦାନ କରିବାକୁ ଆଗେଇ ଆସିବାଲାଗି ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ। ଏହା ଦେଶରେ ଅଙ୍ଗଦାନ ପାଇଁ ଏକ ନୂତନ ଉତ୍ସାହ ସୃଷ୍ଟି କରିଛି। ଦେଶରେ ମୋଟ ଅଙ୍ଗ ପ୍ରତିରୋପଣ ସଂଖ୍ୟା ୨୦୧୩ରେ ୫୦୦୦ରୁ ୨୦୨୨ରେ ୧୫୦୦୦କୁ ବୃଦ୍ଧି ପାଇପାରିଛି। ବର୍ତ୍ତମାନ ଜାତୀୟ ସ୍ତରରେ ଅର୍ଗାନ ଆଣ୍ଡ ଟିସୁ ନେଟ୍ୱାର୍କ (ଏନ୍ଓଟିଟିଓ) (ଆଞ୍ଚଳିକ ସ୍ତରରେ ଆର୍ଓଟିଟିଓ ଏବଂ ରାଜ୍ୟ ସ୍ତରରେ ଏସ୍ଓଟିଟିଓ) ମାଧ୍ୟମରେ ଉନ୍ନତ ସମନ୍ୱୟ ହେତୁ ମୃତ ଦାତାଙ୍କଠାରୁ ମିଳୁଥିବା ଅଙ୍ଗ ବ୍ୟବହାର କରାଯାଉଛି। ୨୦୧୬ ମସିହାରେ ୯୩୦ ମୃତ ଦାତାମାନଙ୍କଠାରୁ ମିଳିଥିବା ୨୨୬୫ ଅଙ୍ଗ ବ୍ୟବହାର କରାଯାଇଥିଲାବେଳେ ୨୦୨୨ ମସିହାରେ ୯୦୪ ମୃତ ଦାତାମାନଙ୍କର ୨୭୬୫ ଅଙ୍ଗ ବ୍ୟବହାର କରାଯାଇଛି।
ହସ୍ପିଟାଲରେ ଅଙ୍ଗ ଦାନ ଏବଂ ପ୍ରତିରୋପଣ କାର୍ଯ୍ୟକ୍ରମ ପାଇଁ ପ୍ରତିରୋପଣ ମାନୁଆଲ ଏବଂ ପ୍ରତିରୋପଣ ସମନ୍ୱୟ ରକ୍ଷାକାରୀଙ୍କ ତାଲିମ ପାଇଁ ଏକ ଷ୍ଟାଣ୍ଡାର୍ଡ ପାଠ୍ୟକ୍ରମରେ ଏନ୍ଓଟିଟିଓ କାର୍ଯ୍ୟ କରୁଛି। ଏହି ଉଭୟ ଦସ୍ତାବିଜ୍ ସଂପୂର୍ଣ୍ଣ ହୋଇ ଖୁବ୍ ଶୀଘ୍ର ପ୍ରକାଶ ପାଇବ। ସମ୍ପ୍ରତି ଭାରତ ସରକାର ସେହି କେନ୍ଦ୍ରୀୟ କର୍ମଚାରୀଙ୍କୁ ୪୨ ଦିନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଛୁଟି ପ୍ରଦାନ କରୁଛନ୍ତି, ଯେଉଁମାନେ ଅନ୍ୟ ମଣିଷକୁ ଅଙ୍ଗଦାନ କରିଥାନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମଧ୍ୟ ଦେଶରେ ଅଙ୍ଗଦାନ ବୃଦ୍ଧି ଏବଂ ପ୍ରତିରୋପଣ ଦିଗରେ ନୀତିଗତ ସଂସ୍କାର ପାଇଁ ଅନ୍ତର୍ଜାତୀୟ ସର୍ବୋତ୍ତମ ଅଭ୍ୟାସରୁ ଶିକ୍ଷା ଗ୍ରହଣ କରୁଛନ୍ତି।