‘ହୁ’ ଉପରେ କ୍ରୋଧିତ ହୋଇ କରୋନାଜନିତ ମୃତ୍ୟୁ ରିପୋର୍ଟକୁ ଭିତ୍ତିହୀନ ବୋଲି କହିଲେ ଅନେକ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁଁ ଭାରତରେ ପ୍ରାୟ ୪୭ ଲକ୍ଷ ଲୋକ ମୃତ୍ୟୁବରଣ କରିଥିବା ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ର ଅଟକଳ ଏବେ ବିବାଦୀୟ ହେବାରେ ଲାଗିଛି। ଏହି ଅଟକଳ ପାଇଁ ‘ହୁ’ ପକ୍ଷରୁ ଗ୍ରହଣ କରାଯାଇଥିବା ପଦ୍ଧତି ଉପରେ ଭାରତ ସରକାର ପ୍ରଶ୍ନ ଉଠାଇଥିବା ବେଳେ ଏବେ ବିଭିନ୍ନ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀମାନେ ‘ହୁ’ର ଏଭଳି ଅଟକଳକୁ ବିରୋଧ କରିଛନ୍ତି।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ପରିଷଦର ୧୪ ତମ ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀମାନେ କହିଛନ୍ତି ଯେ, ‘ହୁ’ର ଏଭଳି ଆକଳନ କେବଳ ଭାରତର ଭାବମୂର୍ତ୍ତି ଖରାପ କରିବା ପାଇଁ କରାଯାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କରିଥିବା ଆକଳନ ସମ୍ପୂର୍ଣ୍ଣ ଭିତ୍ତିହୀନ।

ତେବେ ଗୁରୁବାରଦିନ ‘ହୁ’ ପକ୍ଷରୁ ପ୍ରକାଶିତ ତଥ୍ୟରେ କୁହାଯାଇଥିଲା ଯେ, ମହାମାରୀ ଯୋଗୁଁ ବିଶ୍ବରେ ପ୍ରାୟ ଦେଢ କୋଟି ଲୋକ ମୃତ୍ୟୁବରଣ କରିଛନ୍ତି । ଏହା ମଧ୍ୟରୁ କେବଳ ଭାରତର ୪୭ ଲକ୍ଷ ଅନ୍ତର୍ଭୁକ୍ତ । ଏହି ଲୋକମାନେ କରୋନା ସଂକ୍ରମିତ ହୋଇ କିମ୍ବା କରୋନା ମହାମାରୀ ଯୋଗୁଁ ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ପଡିଥିବା ଚାପ ଯୋଗୁଁ ମୃତ୍ୟୁବରଣ କରିପାରିଥାନ୍ତି ବୋଲି ‘ହୁ’ ଅଟକଳ କରିଥିଲା।

ଏହାକୁ ବିରୋଧ କରି ଭାରତ ସରକାର କହିଥିଲେ ଯେ, କରୋନା ମହାମାରୀର ମୃତ୍ୟୁସଂଖ୍ୟା ସମ୍ପର୍କରେ ପ୍ରକୃତ ତଥ୍ୟ ଉପଲବ୍ଧ ଥିବାବେଳେ ଏକ ଗାଣିତିକ ମଡେଲ ବ୍ୟବହାର କରି ଏକ କାଳ୍ପନିକ ସଂଖ୍ୟା ବାହାର କରାଯିବ ଠିକ ନୁହେଁ । ଏହି ମୃତ୍ୟୁସଂଖ୍ୟା ବାହାର କରିବାକୁ ହୁ ଗ୍ରହଣ କରିଥିବା ପଦ୍ଧତି ଓ ମଡେଲର ଦକ୍ଷତା ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଭାରତ କହିଛି ।

ସମ୍ବନ୍ଧିତ ଖବର