ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ମଙ୍ଗଳବାର କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଭାରତ ଯୋଡ଼ା ଯାତ୍ରାରେ କୋଭିଡ୍ ନିୟମ ପାଳନ କରିବା ପାଇଁ ଚିଠି ଲେଖିଛନ୍ତି। ଚୀନ୍ ଓ ପୂର୍ବ ଏସିଆରେ ସମ୍ପ୍ରତି କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇଥିବାରୁ ମାଣ୍ଡଭୀୟ ଭାରତ ଯୋଡ଼ୋ ଯାତ୍ରାରେ ମାସ୍କ, ସାନିଟାଇଜର ଆଦି ବ୍ୟବହାର ସହ ସମସ୍ତ କୋଭିଡ୍ ନିୟମ କଡ଼ାକଡ଼ି ଭାବେ ପାଳନ କରାଯିବା ଉଚିତ ବୋଲି ଏକ ଚିଠିରେ ଲେଖିଛନ୍ତି। ତା’ ସହ ସେ ଲେଖିଛନ୍ତି ଯେ ଯେଉଁମାନେ ସମ୍ପୂର୍ଣ୍ଣ ଦୁଇ ଡୋଜ୍ ଟିକା ନେଇଛନ୍ତି ସେହିମାନେ କେବଳ ଏହି ଯାତ୍ରାରେ ଭାଗ ନେବା ଉଚିତ। ତେଣୁ କୋଭିଡ୍ ନିୟମ ପାଳନ କରନ୍ତୁ ନ ହେଲେ ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ଯାତ୍ରା ସ୍ଥଗିତ ରଖନ୍ତୁ ବୋଲି ମାଣ୍ଡଭୀୟ ଉକ୍ତ ଚିଠିରେ ଲେଖିଛନ୍ତି।

Advertisment

ତେବେ ମାଣ୍ଡଭୀୟଙ୍କ ତାଗିଦ ପରେ କଂଗ୍ରେସ ପ୍ରଶ୍ନ କରିଛି, ନରେନ୍ଦ୍ର ମୋଦୀଙ୍କ ଦ୍ବାରା ପରିଚାଳିତ ବିଜେପି କ’ଣ କୋଭିଡ୍ କଟକଣା ମାନୁଛି? ବୁଧବାର କଂଗ୍ରେସ ଦାବି କରିଛି ଯେ ଅନ୍ୟାୟ ଭାବରେ ଭାରତ ଯୋଡ଼ୋ ଯାତ୍ରାକୁ ଟାର୍ଗେଟ କରାଯାଉଛି। ରାହୁଲ ଗାନ୍ଧିଙ୍କ ଲୋକପ୍ରିୟତାକୁ ବିଜେପି ସହିପାରୁନି ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲଟ କହିଛନ୍ତି। ଭାରତ ଯୋଡ଼ୋ ଯାତ୍ରାକୁ ପ୍ରବଳ ଜନସମର୍ଥନ ମିଳୁଥିବାରୁ ବିଜେପି ସେଥିରେ ବାଧା ସୃଷ୍ଟି କରିବାକୁ ଚାହୁଛି ବୋଲି ସେ କହିଛନ୍ତି। ଗେହଲଟ ହିନ୍ଦୀରେ ଟ୍ବିଟ୍ କରିଛନ୍ତି ଯେ ଯଦି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଚେତାବନୀ ରାଜନୈତିକ ଉଦ୍ଦେଶ୍ୟ-ପ୍ରଣୋଦିତ ନୁହେଁ ତେବେ ସେ ପ୍ରଥମେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ଉଚିତ ଥିଲା।

ପ୍ରଧାନମନ୍ତ୍ରୀ ତ୍ରିପୁରାରେ ଦୁଇଦିନ ତଳେ ରୢାଲି କରିଥିଲେ। ସେ କହିଛନ୍ତି, କର୍ତ୍ତମାନ କ’ଣ କୋଭିଡ୍ ପ୍ରୋଟୋକଲ ଅଛି? ବର୍ତ୍ତମାନ କୌଣସି ଜନସମାବେଶରେ କୋଭିଡ୍‌ ନିୟମ ପାଳନ କରାଯାଉଥିବାର ଦେଖାଯାଉ ନାହିଁ। ତେଣୁ ଭାରତ ଯୋଡ଼ୋ ଯାତ୍ରା ଉପରକୁ ବିଜେପିର ଆଖି ପଡ଼ିଲା କାହିଁକି? କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ କହିଛନ୍ତି ଯେ ସରକାର ନିଜ ବିଫଳତାରୁ ଧ୍ୟାନ ହଟାଇବା ପାଇଁ ଭାରତ ଯୋଡ଼ୋ ଯାତ୍ରାକୁ ଟାର୍ଗେଟ୍‌ କରୁଛନ୍ତି। ଯାତ୍ରାର ସଫଳତା ଦେଖି କେନ୍ଦ୍ର ସରକାର ଡରିଯାଇଛି ବୋଲି ସେ କହିଛନ୍ତି।