ଦେଶରେ ପୁଣି ବଢୁଛି କରୋନା ସଂକ୍ରମଣ, ସତର୍କ ରହିବାକୁ ରାଜ୍ୟମାନଙ୍କୁ କହିଲା ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଦେଶର କେତେକ ରାଜ୍ୟରେ କୋଭିଡ୍ ସଂକ୍ରମଣ ପୁଣି ବୃଦ୍ଧି ପାଉଥିବା ଦୃଷ୍ଟିରୁ ରାଜ୍ୟମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଜାରି କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ।

ସବୁ ରାଜ୍ୟର ପ୍ରମୁଖ ଶାସନ ସଚିବ ତଥା ସ୍ବାସ୍ଥ୍ୟ ସଚିବମାନଙ୍କୁ ଏକ ପତ୍ର ଲେଖି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୁଷଣ କହିଛନ୍ତି ଯେ ଗତ ୪ ମାସରେ ହେଲା ଦେଶରେ କୋଭିଡ୍ ସଂକ୍ରମଣ କମିଚାଲିଥିଲା, କିନ୍ତୁ ଗତ ଦୁଇ ସପ୍ତାହ ହେଲା କେତେକ ରାଜ୍ୟରେ ପୁଣି ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି । ଜୁନ ପ୍ରଥମ ସପ୍ତାହରେ ଦୈନିକ ହାରାହାରି ୪୨୦୭ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ସେହିପରି ସାପ୍ତାହିକ ପଜିଟିଭିଟି ହାର ବି ବଢିଯାଇଛି । ଗତ ୨୪ ଘଣ୍ଟାରେ ଦେଶରେ ୭୨୪୦ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଓ ଏଗୁଡ଼ିକ ମଧ୍ୟରୁ ୮୧ ପ୍ରତିଶତ ୪ଟି ରାଜ୍ୟ ମହାରାଷ୍ଟ୍ର, କେରଳ, ଦିଲ୍ଲୀ ଓ କର୍ଣ୍ଣାଟକରୁ ଚିହ୍ନଟ ହୋଇଛି ।

ଏହାକୁ ଦୃଷ୍ଟିରେ ରଖି ସତର୍କ ରହିବା ସହ ପରୀକ୍ଷଣ, ଚିକିତ୍ସା, ଟିକାକରଣ ଓ କୋଭିଡ୍ ନିରୋଧୀ ଆଚରଣ ଉପରେ ଗୁରୁତ୍ବ ଦେବାକୁ ସେ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି । ଯେଉଁ ଅଂଚଳଗୁଡ଼ିକରେ ଅଧିକ ମାମଲା ଦେଖାଯାଉଛି ସେଠାରେ ଅଧିକ ପରୀକ୍ଷା କରିବାକୁ ସେ ପରାମର୍ଶ ଦେଇଛନ୍ତି । ସେହିପରି ବିଦେଶରୁ ଆସୁଥିବା ଯାତ୍ରୀ, ଅଧିକ ସଂକ୍ରମଣ ଚିହ୍ନଟ ହେଉଥିବା କ୍ଲଷ୍ଟରରୁ ନମୁନା ସଂଗ୍ରହ କରି ଜିନୋମ ସିକ୍ବେନସିଂ କରିବାକୁ ପରାମର୍ଶ ଦିଆଯାଇଛି ।

 

 

ସମ୍ବନ୍ଧିତ ଖବର