‘ହୋମ୍ କ୍ବାରେଣ୍ଟାଇନ୍’ ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଗାଇଡଲାଇନ୍: ପ୍ରାଥମିକ ଅବସ୍ଥାରେ ଘରେ ଏକାନ୍ତବାସରେ ରହି ଚିକିତ୍ସିତ ହୋଇପାରିବେ ଆକ୍ରାନ୍ତ

ନୂଆଦିଲ୍ଲୀ:  ଜଣେ କରୋନା ସଂଦିଗ୍ଦ କିଂବା କରୋନା ଆକ୍ରାନ୍ତ ଘରେ ସଙ୍ଗରୋଧରେ ବା ‘ହୋମ୍ କ୍ବାରେଣ୍ଟାଇନ୍’ରେ  ରହିପାରିବେ । ଏହି ସମୟରେ ତାଙ୍କର ଡାକ୍ତରମାନଙ୍କ ପର୍ଯ୍ୟବେକ୍ଷଣରେ ଚିକିତ୍ସା ମଧ୍ୟ ଚାଲିପାରିବ।  ମୁଖ୍ୟତଃ ଯେଉଁ ବ୍ୟକ୍ତିମାନେ କୌଣସି କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବେ ଅଥବା ସଂକ୍ରମିତ ଅଞ୍ଚଳକୁ ଯାତ୍ରା କରିଥିବେ, ସେମାନେ ଘରୋଇ ସଙ୍ଗରୋଧରେ ରହି ଚିକିତ୍ସା ଲାଭ କରିପାରିବେ। ଏ ସଂକ୍ରାନ୍ତରେ  ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ଗାଇଡଲାଇନ୍ ଜାରି କରାଯାଇଛି।

ଏହି ଗାଇଡଲାଇନ୍ ଅନୁସାରେ ଯେଉଁମାନଙ୍କର ସାମାନ୍ୟ ଲକ୍ଷଣ ଥାଇ କରୋନା ପଜିଟିଭ୍ ବାହାରୁଛି ଅଥବା ଲକ୍ଷଣ ପ୍ରକାଶିତ ହେଉନାହିଁ ସେମାନେ ଘରେ ସେଲଫ୍ ଆଇସୋଲେସନରେ ରହିପାରିବେ । ତେବେ ଏଥିପାଇଁ ଡାକ୍ତରଙ୍କ ପରାମର୍ଶରେ ହାଇଡ୍ରୋକ୍ଲୋରୋକ୍ୱିନ୍ ସେବନ କରିବାକୁ ହେବ ।  ଆଇସୋଲେସରନରେ ଥିବା ବ୍ୟକ୍ତିଙ୍କ ଘରେ ଜଣେ କେୟାରଟେକର ରହିବେ । ଏହି କେୟାରଟେକର  ଡାକ୍ତରଖାନା କିଂବା ସରକାରଙ୍କ ମେଡିକାଲ୍ ଟିମ୍ ଓ ରୋଗୀ ମଧ୍ୟରେ ଯୋଗସୂତ୍ର ରକ୍ଷା କରିବେ । ଯେତେବେଳେ ଲକ୍ଷଣ ଅଧିକ ବଢିବ କିଂବା ରୋଗୀ ଗୁରୁତର ହେବେ ସେତେବେଳେ ଡାକ୍ତରଖାନାରେ ଭର୍ତି ହେବେ । ଏ ସଂପର୍କରେ ଅଧିକ ତଥ୍ୟ ନିମ୍ନରେ ଦିଆଗଲା।

The Daily Star

କିପରି ଅବସ୍ଥାରେ ହୋମ୍ ଆଇସୋଲେସନ୍ ?

– ଯଦି ଡାକ୍ତର କିଂବା ସରକାରୀ ମେଡିକାଲ୍ ଟିମ୍ ଜଣେ ବ୍ୟକ୍ତିଙ୍କୁ  ପରାମର୍ଶ ଦିଅନ୍ତି କି ଘରେ ରହି ଚିକିତ୍ସିତ ହୋଇପାରିବେ ସେପରି ସ୍ଥଳେ ବ୍ୟକ୍ତି  ଘରେ ସେଲଫ୍ ଆଇସୋଲେସନରେ ରହିପାରିବେ।

– ଏଥିପାଇଁ ସେଲ୍ଫ ଆଇସୋଲେସନ ପାଇଁ ଦିଆଯାଇଥିବା ଫର୍ମକୁ ପୂରଣ କରିବାକୁ ପଡିବ । ଏହା ବ୍ୟତୀତ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ୱେବସାଇଟରେ ସୂଚନା ଉପଲବ୍ଧ ହେବ।

– ବ୍ୟକ୍ତିଙ୍କ  ଘରେ ଆଇସୋଲେସନ ସୁବିଧା ଥିବା ଉଚିତ, ଏଥି ସହିତ ଘରେ ରହୁଥିବା ଅନ୍ୟ ଲୋକଙ୍କ ପାଇଁ ମଧ୍ୟ ଅଲଗା ରହିବାର ସୁବିଧା ରହିବା ଉଚିତ୍।

– ବ୍ୟକ୍ତିଙ୍କ ସହିତ  ଜଣେ ଘରୋଇ ସହାୟକ ୨୪ ଘଣ୍ଟା ପାଇଁ ସାଥିରେ ରହିବା ଆବଶ୍ୟକ, ଯିଏ କି ଡାକ୍ତରକଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଥିବେ ।

– କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ହାଇଡ୍ରୋକ୍ସିଚ୍ଲୋରୋକାଇନ୍ ନେବା ଉଚିତ୍।

– ଫୋନରେ ଆରୋଗ୍ୟ ସେତୁ ଆପ ଡାଉନଲୋଡ୍ କରନ୍ତୁ ।

– ଘରେ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କୁ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଡାକ୍ତରଖାନା ଏବଂ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ କ୍ରମାଗତ ଭାବରେ ସୂଚନା ଦେବାକୁ ହେବ ।

କେଉଁ ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ସହ ଯୋଗାଯୋଗ କରିବେ?

– ଶ୍ୱାସକ୍ରିୟାରେ ଅସୁବିଧା ଅନୁଭବ ହେଲେ

– କ୍ରମାଗତ ଛାତିରେ ଯନ୍ତ୍ରଣା ଅନୁଭବ କଲେ

– ଓଠ, ମୁହଁ ନୀଳ ଦେଖାଗଲେ

ତେବେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ, ଯେପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଅଧିକାରୀ ଆପଣଙ୍କୁ କରୋନା ମୁକ୍ତ ଘୋଷଣା ନ କରନ୍ତି ଏବଂ ଆପଣଙ୍କୁ ଆଇସୋଲେସନରୁ ବାହାରିବାକୁ ନ କହିଛନ୍ତି ସେ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶାବଳୀକୁ ଅନୁପାଳନ କରିବାକୁ ପଡିବ ।

ସମ୍ବନ୍ଧିତ ଖବର