ଦେଶର କରୋନା ମୃତ୍ୟୁହାର ୨.୧ %କୁ ହ୍ରାସ, ଲକଡାଉନ ପରଠାରୁ ସର୍ବନିମ୍ନ ସ୍ତର

ନୂଆଦିଲ୍ଲୀ : ଦେଶରେ କରୋନା ଜନିତ ମୃତ୍ୟୁହାର ନିୟମିତଭାବେ ହ୍ରାସ ପାଇଚାଲିଥିବାବେଳେ ଆରୋଗ୍ୟ ହାର ବୃଦ୍ଧି ପାଇଚାଲିଛି । ଏବେ ଦେଶର କରୋନା ମୃତ୍ୟୁହାର ୨.୧୦ ପ୍ରତିଶତକୁ ହ୍ରାସ ପାଇଛି, ଯାହାକି ଲକଡାଉନ ଆରମ୍ଭ ହେବା ପରଠାରୁ ସର୍ବନିମ୍ନ । ଏହା ସାରା ଦେଶ ପାଇଁ ଏକ ଶୁଭସୂଚନା ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଦୈନିକ ସାମ୍ବାଦିକ ସମ୍ମିଳନୀ ଅବସରରେ ସେ କହିଛନ୍ତି ଯେ ଦେଶରେ ଏପର୍ଯ୍ୟନ୍ତ ୨ କୋଟିରୁ ଅଧିକ କରୋନା ପରୀକ୍ଷା ହୋଇସାରିଛି । କେବଳ ଗତ ୨୪ ଘଣ୍ଟାରେ ପ୍ରାୟ ୬.୬ ଲକ୍ଷ ପରୀକ୍ଷା ହୋଇଛି । ଦେଶର ଅଧିକାଂଶ ରାଜ୍ୟ ନିଜର ପରୀକ୍ଷା କ୍ଷମତା ବୃଦ୍ଧି କରିଛନ୍ତି । ୨୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଦିନକୁ ୧ ନିୟୁତ ଲୋକଙ୍କ ପିଛା ୧୪୦ରୁ ଅଧିକ ପରୀକ୍ଷା କରୁଛନ୍ତି ।

ସେ କହିଛନ୍ତି ଯେ ଦେଶର ପଜିଟିଭିଟି ହାର (ଅର୍ଥାତ ପ୍ରତି ୧୦୦ ନମୁନା ପରୀକ୍ଷଣ ପିଛା ବାହାରୁଥିବା ପଜିଟିଭ ସଂଖ୍ୟା ) ୮.୮୮ ପ୍ରତିଶତ ରହିଛି । ଦେଶର କେତେକ ରାଜ୍ୟ ଯଥା ପଂଜାବ, ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ହରିୟାଣା, ଆସାମ, ପଶ୍ଚିମ ବଙ୍ଗ ଓ କର୍ଣ୍ଣାଟକରେ ପଜିଟିଭିଟି ହାର ୧୦ ପ୍ରତିଶତରୁ କମ ରହିଛି । ଗତ ସପ୍ତାହରେ ଦେଶର ପଜିଟିଭିଟି ହାର ୧୧ ପ୍ରତିଶତ ଥିଲା ।

ସମ୍ବନ୍ଧିତ ଖବର