ବଦଳିଲା କୋଭିଡ୍ ଆକ୍ରାନ୍ତଙ୍କ ଡାକ୍ତରଖାନାରୁ ଛାଡ଼ ପାଇବା ନିୟମ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୋଭିଡ୍ ସ୍ଥିତି ସମୀକ୍ଷା ପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ରୋଗୀଙ୍କ ଡିସଚାର୍ଜ ପଲିସୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ସଂକ୍ରମଣର ଗୁରୁତରତା ଦୃଷ୍ଟିରୁ ରୋଗୀମାନଙ୍କୁ ସାମାନ୍ୟ ଓ ମଧ୍ୟମ ମାମଲା –ଏହି ପରି ଦୁଇ ଭାଗରେ ବିଭକ୍ତ କରାଯାଇଛି । ସାମାନ୍ୟ ଆକ୍ରାନ୍ତ : ପଜିଟିଭ ଚିହ୍ନଟ ହେବା ପରେ ଯଦି ଜଣେ ରୋଗୀ କ୍ରମାଗତ ୩ଦିନ ଜ୍ବର ନ ରହିବ ସେମାନଙ୍କୁ  କ୍ରମାଗତ ୭ ଦିନ ପରେ ଡିସଚାର୍ଜ କରାଯିବ । ଡିସଚାର୍ଜ ପୂର୍ବରୁ ସେମାନଙ୍କୁ ଆଉ ପରୀକ୍ଷା କରାଯିବ ନାହିଁ । ଅନ୍ୟପକ୍ଷରେ ମଧ୍ୟମ ଆକ୍ରାନ୍ତଙ୍କ ଯଦି କୌଣସି ଲକ୍ଷଣ ନାହିଁ ଓ ଅମ୍ଳଜାନ ସ୍ତର କ୍ରମାଗତ ୩ ଦିନ ପାଇଁ ୯୩ ଉପରେ ରହେ, ତେବେ ସେମାନଙ୍କୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଡିସଚାର୍ଜ କରାଯାଇପାରିବ । ଏ ସମ୍ପର୍କରେ ଆଜି ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଓମିକ୍ରନ ଯୋଗୁଁ ଭାରତ ସମେତ ସମଗ୍ର ବିଶ୍ବରେ କୋଭିଡ୍ ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଛି । ଭାରତରେ ୧୨ ଜାନୁଆରି ସୁଦ୍ଧା ସକ୍ରିୟ ସଂକ୍ରମଣ ସଂଖ୍ୟା ୯ ଲକ୍ଷ ୫୫ ହଜାର ଟପିଯାଇଛି । ଭାରତରେ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଦିଲ୍ଲୀ, ଗୁଜୁରାଟ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, କେରଳ ଓ ଗୁଜୁରାଟରେ ସ୍ଥିତି ଚିନ୍ତାଜନକ ରହିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଓମିକ୍ରନ ଯୋଗୁଁ ଏପର୍ଯ୍ୟନ୍ତ ସମଗ୍ର ବିଶ୍ବରେ ୧୧୫ ଜଣ ମୃତ୍ୟୁବରଣ କରିସାରିଲେଣି ଓ ତାମଧ୍ୟରୁ ଭାରତର ଜଣେ ମୃତକ ଅନ୍ତର୍ଭୁକ୍ତ । ଅଗ୍ରଓ୍ବାଲ କହିଛନ୍ତି ଯେ, ଡେଲଟା ତୁଳନାରେ ଓମିକ୍ରନ ଅଧିକ ଦ୍ରୁତ ଗତିରେ ବ୍ୟାପୁଛି । କିନ୍ତୁ ଦକ୍ଷିଣ ଆଫ୍ରିକା, ଡେନମାର୍କ, ୟୁକେ, କାନାଡାରୁ ଆସିଥିବା ତଥ୍ୟ ଦର୍ଶାଉଛି ଯେ ଡେଲଟା ତୁଳନାରେ ଓମିକ୍ରନ ଆକ୍ରାନ୍ତ ଗୁରୁତର ହୋଇ ହସପିଟାଲରେ ଭର୍ତ୍ତି ହେବା ଆଶଙ୍କା କମ ।

ସମ୍ବନ୍ଧିତ ଖବର