ଡିସେମ୍ବର ୩୦ରୁ ଜାନୁଆରି ପହିଲା ଯାଏ ନାଇଟ କର୍ଫ୍ୟୁ ଲାଗୁ କରିପାରିବେ ରାଜ୍ୟ ସରକାର : ସ୍ବାସ୍ଥ୍ୟ ମନ୍ତ୍ରାଳୟ

କରୋନା ସଂକ୍ରମଣକୁ ରୋକିବା ପାଇଁ ନୂଆବର୍ଷ ପାଳନ ଉପରେ କଡ଼ା ନଜର ରଖିବାକୁ କହିଲା ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନୂଆବର୍ଷ ପାଳନ ଉପରେ କଡ଼ା ନଜର ରଖିବାକୁ କହିଛି ସ୍ବାସ୍ଥ୍ୟ ମନ୍ତ୍ରାଳୟ। ଏହା ସହ କୌଣସି ସୁପର ସ୍ପ୍ରେଡର୍ ଇଭେଣ୍ଟକୁ ଅନୁମତି ନ ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟ ମୁଖ୍ୟ ଶାସନ ସଚିବ ତଥା କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସକଙ୍କୁ ଚିଠିରେ ଲେଖିଛନ୍ତି। ଗତ କିଛି ମାସ ମଧ୍ୟରେ ଦେଶରେ ସଂକ୍ରମଣ ସଂଖ୍ୟା କମ ଥିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ କମ ରହିଛି। କିନ୍ତୁ ବ୍ରିଟେନରୁ ଚିହ୍ନଟ ହୋଇଥିବା କ‌ରୋନାର ନୂଆ ଷ୍ଟ୍ରେନର ସଂକ୍ରମଣକୁ ‌ରୋକିବା ପାଇଁ ସତର୍କ ରହିବାର ଆବଶ୍ୟକତା ରହିଛି, ଯାହା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କ ରହିବା ପାଇଁ କୁହାଯାଇଛି। ଏଥିସହ ଆବଶ୍ୟକ ପଡ଼ିଲେ ପରିସ୍ଥିତିର ନିୟନ୍ତ୍ରଣ ଲାଗି ଡିସେମ୍ବର ୩୦ରୁ ଜାନୁଆରି ପହିଲା ଯାଏ ନାଇଟ କର୍ଫ୍ୟୁ ଭଳି କଟକଣା ଲାଗୁ କରିପାରିବେ ରାଜ୍ୟ ସରକାର।

ଶୀତ ଦିନ ଚାଲିଥିବା ସହ ଆଗକୁ ନୂଆବର୍ଷ ଥିବାରୁ ଲୋକଙ୍କ ଗହଳି ହେବାର ଆଶଙ୍କା ରହିଛି। ଭିଡ଼ ଜମିବା ସହ ସଂକ୍ରମଣ ବଢ଼ିବାର ଆଶଙ୍କା ଥିବ‌ାରୁ ପରିସ୍ଥିତିକୁ ଦେଖି କରୋନା କଟକଣା ଲାଗୁ କରିବାକୁ କହିଛି ସ୍ବାସ୍ଥ୍ୟ ମନ୍ତ୍ରାଳୟ। ଚିଠିରେ ଲେଖାଯାଇଛି ଯେ, ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଡିସେମ୍ବର ୩୦, ୩୧ ଓ ଜାନୁଆରି ୧ତାରିଖରେ ନାଇଟ କର୍ଫ୍ୟୁ ଭଳି ନିୟମ ଲାଗୁ କରିପାରିବେ। କିନ୍ତୁ ଅନ୍ତଃରାଜ୍ୟ ଏବଂ ଆନ୍ତଃରାଜ୍ୟ ଗମନ‌ାଗମନ ଉପରେ କୌଣସି କଟକଣା ଲଗାଯିବ ନାହିଁ। ତେଣୁ ସ୍ଥାନୀୟ ପରିସ୍ଥିତିର ଆକଳନ କରି ଡିସେମ୍ବର ୩୦ ଏବଂ ୩୧ ଓ ଜାନୁଆରି ୧ରେ ଉପଯୁକ୍ତ ପ୍ରତିବନ୍ଧକ ଲଗାଇବା ନେଇ ବିଚାର କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର