ନୂଆଦିଲ୍ଲୀ: ନାତିଶୀତୋଷ୍ଣ ଜଳବାୟୁ ଅଞ୍ଚଳରେ ଥରେ ଗୋଷ୍ଠୀ ରୋଗ ପ୍ରତିରୋଧକତା ହାସଲ ହୋଇଗଲେ, କରୋନା ଭୂତାଣୁ ତେଣିକି ଏକ ଋତୁକାଳୀନ ଭୂତାଣୁ ଭାବେ ପରିଗଣିତ ହେବ ବୋଲି ଗବେଷକମାନେ କହିଛନ୍ତି। ଅପରପକ୍ଷେ, ଋତୁକାଳୀନ ଭାବେ ବିବେଚିତ ହେଲା ଯାଏ କରୋନା ଭୂତାଣୁ ଏମିତି ସବୁ ଋତୁରେ ନିଜର କାୟା ମେଲାଇ ଚାଲିଥିବ ବୋଲି ଲେବାନନ୍ର ବିରୁଟ୍ ସ୍ଥିତ ଆମେରିକୀୟ ବିଶ୍ବବିଦ୍ୟାଳୟର ଗବେଷକମାନେ ଦାବି କରିଛନ୍ତି। ସୂଚନା ଥାଉ କି, ଯେତେବେଳେ ଲୋକସଂଖ୍ୟାର ଏକ ଉଲ୍ଲେଖନୀୟ ଭାଗ ଅଭିନବ କରୋନା ଭୂତାଣୁ ପ୍ରତି ପ୍ରତିରୋଧକ୍ଷମ ହୋଇଯିବେ, ସେଭଳି ଅବସ୍ଥାକୁ ହିଁ ଗୋଷ୍ଠୀ ପ୍ରତିରୋଧକତା ହାସଲ ହେଲା ବୋଲି କୁହାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ସ୍ବାସ୍ଥ୍ୟଭିତ୍ତିକ ପତ୍ରିକା ‘ଫ୍ରଣ୍ଟିଅର୍ସ ଇନ୍ ପବ୍ଲିକ୍ ହେଲ୍ଥ’ରେ ସଦ୍ୟ ପ୍ରକାଶିତ ଏହି ଗବେଷଣାର ନିର୍ଯାସ ଅନୁଯାୟୀ, ଥରେ ଗୋଷ୍ଠୀ ପ୍ରତିରୋଧକତା ହାସଲ ହୋଇଗଲେ ଉକ୍ତ ଭୂତାଣୁର ଶକ୍ତିଶାଳୀ ସଂକ୍ରମଣ ଉଲ୍ଲେଖନୀୟ ଭାବେ ହ୍ରାସ ହେବ ଏବଂ ତାହା ବେଶି ଋତୁକାଳୀନ ଅସ୍ଥିରତା ପ୍ରବଣ ହୋଇଯିବ। ସେ ପର୍ଯ୍ୟନ୍ତ ଏହି ଘାତକ ଭୂତାଣୁ ବର୍ଷ ତମାମ ନିଜର ପରାକ୍ରମ ଦେଖାଇ ଚାଲିଥିବ ବୋଲି ବରିଷ୍ଠ ଗବେଷକ ଡା. ହାସନ ଜାରକେତ କହିଛନ୍ତି। ତେଣୁ ଜନସାଧାରଣ ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା ଏବଂ ଗହଳି ସ୍ଥାନରୁ ଦୂରେଇ ରହିବା ଭଳି ଯଥାସମ୍ଭବ ନିବାରଣ ବ୍ୟବସ୍ଥା ଗ୍ରହଣ ପୂର୍ବକ ଏହି ଭୂତାଣୁ ସହ ନିଜକୁ ଖାପଖୁଆଇ ଜୀବନଧାରଣ କରିବାର ଶୈଳୀ ଶିଖିବାକୁ ସେ ପରାମର୍ଶ କରିଛନ୍ତି।
ସେହିପରି ଗୋଷ୍ଠୀ ପ୍ରତିରୋଧକତା ପହଞ୍ଚିଲା ଯାଏ ଏକାଧିକ ବାର କରୋନା ଭୂତାଣୁର ଉପଦ୍ରବ ଲହଡ଼ି ଦେଖିବାକୁ ମିଳିପାରେ। ଅଭିନବ କରୋନା ଭୂତାଣୁ ସାର୍ସ-କୋଭ୍-୨ ଅନୁରୂପ ଶ୍ବାସକ୍ରିୟାରେ ସମସ୍ୟା ସୃଷ୍ଟି କରୁଥିବା ଭୂତାଣୁମାନେ ବିଶେଷ କରି ନାତିଶୀତୋଷ୍ଣ ଅଞ୍ଚଳରେ ଧୀରେ ଧୀରେ ଋତୁକାଳୀନ ହୋଇଯିବାର ନଜିର ଆଗରୁ ରହିଛି। ଇନ୍ଫ୍ଲୁଏଞ୍ଜା ଓ ସାଧାରଣ ଥଣ୍ଡା, ସର୍ଦ୍ଦି ସୃଷ୍ଟି କରୁଥିବା ଭୂତାଣୁଗୁଡ଼ିକ ଏହି ନାତିଶୀତୋଷ୍ଣ ଅଞ୍ଚଳରେ ଶୀତଦିନେ ହିଁ ସଂକ୍ରମଣର ଶୀର୍ଷ ଛୁଇଁଥିବା ବେଳେ ଗ୍ରୀଷ୍ମମଣ୍ଡଳୀୟ ଅଞ୍ଚଳରେ ବର୍ଷ ତମାମ ସଂଚରିତ ହୋଇଥାନ୍ତି। ତେଣୁ ପ୍ରାକୃତିକ ସଂକ୍ରମଣ ପ୍ରକ୍ରିୟାରେ ହେଉ ଅଥବା ଟିକାକରଣ ଦ୍ବାରା ହେଉ, ଗାଷ୍ଠୀ ପ୍ରତିରୋଧକତା ଆସିବା ଯାଏ ହିଁ ଆମକୁ ଏପରି ଏହି ଭୂତାଣୁ ମେଳରେ ସହାବସ୍ଥାନ କରିବାକୁ ପଡ଼ିବ ବୋଲି ଡା. ଜାରକେତ ଟିପ୍ପଣୀ କରିଛନ୍ତି।