ନୂ୍ଆଦିଲ୍ଲୀ: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ୍‌ ଆସନ୍ତାକାଲି ମାମଲାର ଶୁଣାଣି କରିବେ। ହେଲେ ଏବେ ବି ଟ୍ରିବ୍ୟୁନାଲ୍‌ଙ୍କ ଦ୍ବାରା କମନ ଫର୍ମାଟ ଇନଫରମେସନ(ସିଏଫଆଇ) କୁ ଚୂଡ଼ାନ୍ତ କରାଯାଇ ପାରିନାହିଁ। ମିଳିଥିବା ସୂଚନା ଅନୁସାରେ ସିଏଫ୍‌ଆଇ ପାଖାପାଖି ଚୂଡ଼ାନ୍ତ ହୋଇଛି ଏବଂ ଟ୍ରିବ୍ୟୁନାଲଙ୍କ ଦ୍ବାରା ଏହାର ତର୍ଜମା ଜାରି ରହିଛି। ଟ୍ରିବ୍ୟୁନାଲ୍‌ଙ୍କ ଦ୍ବାରା ସିଏଫଆଇ ଚୂଡ଼ାନ୍ତ ହେବାପରେ ପକ୍ଷଭୁକ୍ତ ରାଜ୍ୟ ଏହା ଉପରେ ମତ ରଖିବେ। ଇତିମଧ୍ୟରେ ଟ୍ରିବ୍ୟୁନାଲ୍‌ରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଦାଖଲ ହୋଇଥିବା ମହାନଦୀ ସବ୍-ବେସିନ ସଂପର୍କିତ ତଥ୍ୟ ଟିବ୍ୟୁନାଲ୍‌ଙ୍କ ଦୁଇ ଆସେସରଙ୍କ ଉପସ୍ଥିତିରେ ଚଳିତ ବର୍ଷ ମେ’ ୧୫ରେ ଅନୁଷ୍ଠିତ ବୈଠକ ଅନୁଯାୟୀ ହୋଇନଥିବା ଛତିଶଗଡ଼ ପକ୍ଷରୁ ଟ୍ରିବ୍ୟୁନାଲ୍‌ଙ୍କର ଦୃଷ୍ଟି ଆକର୍ଷଣ କରାଯାଇଛି।

Advertisment

ଛତିଶଗଡ଼ ସରକାରଙ୍କ ପକ୍ଷରୁ ଟ୍ରିବ୍ୟୁନାଲ୍‌ଙ୍କୁ ଲେଖାଯାଇଥିବା ପତ୍ରରେ ଓଡ଼ିଶା ସରକାରଙ୍କ ଦ୍ବାରା ଦାଖଲ କରାଯାଇଥିବା ତଥ୍ୟଗୁଡ଼ିକର ଅନୁଧ୍ୟାନ କରାଯାଉଛି ବୋଲି କୁହାଯାଇଛି। ଅପରପକ୍ଷେ, ଓଡ଼ିଶା ପକ୍ଷରୁ ଛତିଶଗଡ଼ର ଆପତ୍ତିକୁ ଭିତ୍ତିହୀନ ବୋଲି ଦର୍ଶାଇବା ସହିତ ଛତିଶଗଡ଼ର କମନ ଫର୍ମାଟ ଇନଫର୍‌ମେସନରେ ରହିଥିବା ବିସଙ୍ଗତିଗୁଡ଼ିକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଟ୍ରିବ୍ୟୁନାଲ୍‌ଙ୍କ ସଜ୍ଞାନକୁ ଅଣାଯାଇଛି।