ମୁମ୍ବାଇ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ବିରୋଧରେ ହୋଇଥିବା ଏକ ମାନହାନି ମାମଲାର ଶୁଣାଣି ଏଣିକି ସବୁଦିନ ହେବ। ମହାରାଷ୍ଟ୍ରର ଥାନେ ଜିଲ୍ଲାର ଏକ ଅଦାଲତ ଶନିବାର ଏହି ରାୟ ଦେଇଛନ୍ତି। ଅଦାଲତଙ୍କ ଅନୁସାରେ ରାହୁଲ ଗାନ୍ଧିଙ୍କ ବିରୋଧରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଙ୍ଘ(ଆରଏସଏସ୍)ର ଜଣେ କର୍ମୀଙ୍କ ଦ୍ଵାରା ଦାୟର କରାଯାଇଥିବା ମାମଲାର ଶୁଣାଣି ଫେବୃଆରି ୫ ତାରିଖରୁ ପ୍ରତିଦିନ ହେବ। ଭିଓ୍ଵାଣ୍ଡିର ସିଭିଲ୍ କୋର୍ଟ୍ ଜଜ୍ ଓ ପ୍ରଥମ ଶ୍ରେଣୀ ନ୍ୟାୟିକ ମାଜିଷ୍ଟ୍ରେଟ୍ ଜେ.ଭି. ପାଲିଓ୍ଵାଲ୍ ଏହି ଆଦେଶ ଦେଇଛନ୍ତି।

Advertisment

ଉଚ୍ଚତମ ନ୍ୟାୟାଳୟ ଅଳ୍ପଦିନ ଆଗରୁ ଦେଇଥିବା ଆଦେଶର ଉଦାହରଣ ଦେଇ ଅଦାଲତ କହିଛନ୍ତି ଯେ ରାହୁଲ ଗାନ୍ଧିଙ୍କ ବିରୋଧରେ ଦାୟର ମାମଲା ମଧ୍ୟ ଏହି ଶ୍ରେଣୀରେ ଆସୁଛି। ତେଣୁ ଏହି ମାମଲାକୁ ଭଲ ଭାବରେ, ଦୃତ ଗତିରେ ଓ ନିୟମିତ ଭାବରେ ଶୁଣାଣି କରିବାର ଆବଶ୍ୟକତା ଅଛି। ସୁପ୍ରିମ କୋର୍ଟ ନିର୍ବାଚିତ ପ୍ରତିନିଧିଙ୍କ ସହ ସମ୍ପୃକ୍ତ ମାମଲାଗୁଡିକର ବିଚାର ଶୀଘ୍ର ଶେଷ କରିବାକୁ କହିଥିଲେ।

ମାମଲାର ସବୁଦିନ ଶୁଣାଣି ପାଇଁ ପ୍ରସ୍ତୁତ ଅଛନ୍ତି କି ବୋଲି ମାଜିଷ୍ଟ୍ରେଟ୍ ଦୁଇପକ୍ଷର ଓକିଲଙ୍କ ମତ ନେଇଥିଲେ । ମିଡିଆରେ ପ୍ରକାଶିତ ସୂଚନା ଅନୁସାରେ, ଆରଏସଏସର ଜଣେ ସ୍ଥାନୀୟ କର୍ମୀ ରାଜେଶ କୁନ୍ତେ ଥାନେର  ଭିଓ୍ଵାଣ୍ଡି ସହରରେ ରାହୁଲ ଗାନ୍ଧିଙ୍କ ଭାଷଣ ଶୁଣିବା ପରେ ତାଙ୍କ ବିରୋଧରେ ୨୦୧୪ରେ ମାନହାନି ମୋକଦ୍ଦମା କରିଥିଲେ। ରାହୁଲ ଗାନ୍ଧି ନିଜ ଭାଷଣରେ କହିଥିଲେ ଯେ ମହାତ୍ମା ଗାନ୍ଧିଙ୍କ ହତ୍ୟାରେ ସଙ୍ଘର ହାତ ଥିଲା । କୁନ୍ତେ ମୋକଦ୍ଦମାରେ ଦର୍ଶାଇଛନ୍ତି ଯେ ରାହୁଲଙ୍କ ଏହି ବକ୍ତବ୍ୟ ଦ୍ଵାରା ଆରଏସଏସର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଛି।