ନୂଆଦିଲ୍ଲୀ : ବିହାରରେ ଚାଲିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସଆଇଆର)ର ଶୁଣାଣି ସୁପ୍ରିମକୋର୍ଟରେ ଜାରି ରହିଛି । ଏହି ସମୟରେ ନିର୍ବାଚନ କମିସନ ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ବିହାରରେ ଭୋଟର ତାଲିକାରୁ ନାଁ କାଟିବାକୁ ଅଧିକ ଆବେଦନ ଆସୁଛି । କମିସନନଙ୍କ ଏହି ଉତ୍ତର ଶୁଣି କୋର୍ଟ ମଧ୍ୟ ତାଜୁବ ହୋଇଯାଇଥିଲେ ।
ଏହି ଶୁଣାଣି ସମୟରେ, ଓକିଲ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟକୁ କହିଥିଲେ ଯେ ଡ୍ରାଫ୍ଟ ତାଲିକାରେ ବାଦ ପଡିଥିବା ଲୋକଙ୍କ ପାଇଁ ଆପତ୍ତି ଅଭିଯୋଗ ଦାଖଲ କରିବାର ସମୟ ସୀମା ବୃଦ୍ଧି କରାଯିବା ଉଚିତ ଏବଂ ଆଧାରକୁ ଅପର୍ଯ୍ୟାପ୍ତ ବୋଲି କହି ଦାବିକୁ ଖାରଜ କରାଯିବା ଉଚିତ ନୁହେଁ। ଆବେଦନକାରୀଙ୍କ ଏହି ଦାବି ଉପରେ, ନିର୍ବାଚନ କମିଶନଙ୍କ ପକ୍ଷରୁ ଓକିଲ ରାକେଶ ଦ୍ୱିବେଦୀ କହିଛନ୍ତି ଯେ ସମୟ ସୀମା ବୃଦ୍ଧି କରିବା ଦ୍ୱାରା ନିର୍ବାଚନ ପ୍ରକ୍ରିୟା ବିଳମ୍ବ ହେବ।
ରାକେଶ ଦ୍ୱିବେଦୀ କହିଛନ୍ତି, 'ରାଜନୈତିକ ଦଳଗୁଡ଼ିକ ନାମ ଯୋଡିବା ଅପେକ୍ଷା ନାମ ବାଦ ଦେବା ପାଇଁ ଅଧିକ ଆବେଦନ କରୁଛନ୍ତି। ଏହା ପ୍ରମାଣ କରେ ଯେ ଆମର ପ୍ରକ୍ରିୟା ସଠିକ୍।' ସେ କୋର୍ଟକୁ କହିଥିଲେ ଯେ ମୃତ୍ୟୁ ଭଳି ଅନେକ ଜିନିଷକୁ ଆଧାର କରାଯାଇ ନାଁ କାଟିବାକୁ ଆବେଦନ କରାଯାଉଛି। ଅନେକ କ୍ଷେତ୍ରରେ, ଭୋଟରମାନେ ନିଜେ ଆସି କହୁଛନ୍ତି ଯେ ସେମାନଙ୍କ ନାମ ଅନ୍ୟ କୌଣସି ସ୍ଥାନରେ ଭୋଟର ତାଲିକାରେ ଅଛି, ତେଣୁ ଏହାକୁ ଏଠାରୁ ବାଦ ଦିଆଯିବା ଉଚିତ।