ସୁପ୍ରିମକୋର୍ଟରେ ଆସନ୍ତାକାଲି କୋଟିଆ ମାମଲାର ଶୁଣାଣି

ନୂଆଦିଲ୍ଲୀ: କୋଟିଆରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ କରିବାକୁ ଯାଉଥିବାରୁ ଏହାର ବିରୋଧ କରି ଓଡ଼ିଶା ସରକାର ଗତକାଲି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆସନ୍ତାକାଲି ଏହି ମାମଲାର ଶୁଣାଣି ହେବ ବୋଲି ଜଣାଯାଇଛି। ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡ଼େଙ୍କ ତିନିଜଣିଆ ବେଞ୍ଚ ଆଗରେ ଓଡ଼ିଶା ନିଜର ପକ୍ଷ ରଖିବା ପରେ ତ୍ୱରିତ ଶୁଣାଣି ପାଇଁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଓଡ଼ିଶା ପକ୍ଷରୁ ବରିଷ୍ଠ ଆଇନଜୀବୀ ବିକାଶ ସିଂହ ପକ୍ଷ ରଖିଥିଲେ।
ସୂଚନାଯୋଗ୍ୟ, ଆନ୍ଧ୍ରର ପଦକ୍ଷେପ କୋର୍ଟ ଆଦେଶର ଉଲ୍ଲଂଘନ ହେଉଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଦାଲତ ଅବମାନନା ମାମଲା ଦାୟର କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଦାୟର କରିଥିବା ଏହି ମାମଲାରେ ଆନ୍ଧ୍ରପ୍ରଦେଶ ମୁଖ୍ୟ ଶାସନ ସଚିବ ଆଦିତ୍ୟନାଥ ଦାସ, ଭିଜୟନଗରମ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ କର୍ତ୍ତୃପକ୍ଷ ଡକ୍ଟର ଏମ.ଏଚ.ଜୱାହରଲାଲ, ଆନ୍ଧ୍ର ପ୍ରଦେଶ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍ଟର ଏନ୍. ରମେଶକୁମାରଙ୍କୁ ପକ୍ଷଭୁକ୍ତ କରାଯାଇଛି।

www.indiatoday.in

ଓଡ଼ିଶା ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଥିବା ପିଟିସନରେ ଦର୍ଶାଯାଇଛି ଯେ ପ୍ରିମକୋର୍ଟଙ୍କ ୧୯୬୮ ଡିସେମ୍ବର ୨ ଓ ୨୦୦୬ ମାର୍ଚ୍ଚ ୩୦ର ଆଦେଶକୁ ଆନ୍ଧ୍ର ସରକାର ଉଲ୍ଲଂଘନ କରିଛନ୍ତି। ସଂପୃକ୍ତ ଅଞ୍ଚଳରେ ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମ କୋର୍ଟ ଆଦେଶ ଦେଇଥିଲେ।
ରାଜ୍ୟ ସରକାରଙ୍କ ପିଟିସନରେ କୁହାଯାଇଛି ଯେ ସୀମା ବିବାଦ ପ୍ରସଂଗ ନେଇ ୧୯୬୮ରେ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଆନ୍ଧ୍ର ସରକାରଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ଓଡ଼ିଶାର ସୀମା ଭିତରେ ଆନ୍ଧ୍ର ସରକାରଙ୍କ ଅନୁପ୍ରବେଶ ଯୋଗୁଁ ଏହି ମାମଲା ଦାୟର ହୋଇଥିଲା। କୋଟିଆ ଗ୍ରାମ ସମୂହ (କୋଟିଆ ଗ୍ରୁପ ଅଫ୍ ଭିଲେଜ)ରେ ୨୧ଟି ଗ୍ରାମ ରହିଥିଲା, ଯାହାକୁ ନେଇ ବିବାଦ ଥିଲା। ଓଡ଼ିଶାର ସୀମା ଭିତରେ ଏହି ଗ୍ରାମ ସବୁ ରହୁଥିବା ଆପାତତଃ ସ୍ପଷ୍ଟ ହୋଇଥିବା ଘଟଣା ବିଚାରକୁ ନେଇ ସୁପ୍ରିମକୋର୍ଟ ଦୁଇ ରାଜ୍ୟକୁ ସ୍ଥିତାବସ୍ଥା ବଜାୟ ରଖିବାକୁ ୧୯୬୮ ଡିସେମ୍ବର ୨ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାର ଚୂଡାନ୍ତ ରାୟ ୨୦୦୬ ମାର୍ଚ୍ଚ ୩୦ରେ ପ୍ରକାଶ ପାଇଥିଲା। ଦୁଇ ପକ୍ଷଙ୍କ ସହମତିରେ ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟ କହିଥିଲେ।
ସୁପ୍ରିମକୋର୍ଟଙ୍କ ୧୯୬୮ ଓ ୨୦୦୬ର ସ୍ଥିତାବସ୍ଥା ସଂପର୍କିତ ନିର୍ଦ୍ଦେଶ ବଳବତ୍ତର ଥିବା ବେଳେ ଆନ୍ଧ୍ର ସରକାର କିନ୍ତୁ ଏହାର ଉଲ୍ଲଂଘନ କରିଛନ୍ତି। ୨୦୨୦ ମାର୍ଚ୍ଚ ୫ରେ ବିଜୟନଗରମ ଜିଲ୍ଲାରେ ପଂଚାୟତ ନିର୍ବାଚନ କରିବାକୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ କର୍ତ୍ତୃପକ୍ଷ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଓଡ଼ିଶା ସୀମା ଭିତରେ ଥିବା କୋଟିଆ ଗ୍ରାମ ସମୂହର ତିନୋଟି ଗ୍ରାମକୁ ଆନ୍ଧ୍ର ସରକାରଙ୍କ ଏହି ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରାଯାଇଥିଲା। କୋଟିଆ ଗ୍ରାମ ପଞ୍ଚାୟତର ଏହି ତିନୋଟି ଗ୍ରାମର ନାଁ ପରିବର୍ତ୍ତନ କରାଯାଇ ବିଜ୍ଞପ୍ତି ପ୍ରକାଶ କରିଥିଲା ଆନ୍ଧ୍ର ପ୍ରଶାସନ। ଗଞ୍ଜେଇପଦରକୁ ଗଞ୍ଜାଇବଡ୍ରା, ପଟୁସିନେରୀକୁ ପଟ୍ଟୁଚେନ୍ନୁରୁ, ଫଗୁସେନାରୀକୁ ଫଗୁଲୁଚେନ୍ନୁରୁ ନାଁ ଦେଇ ପଞ୍ଚାୟତ ନିର୍ବାଚନ ପାଇଁ ଆନ୍ଧ୍ର ସରକାର ପଦକ୍ଷେପ ନେଇଥିଲେ।
୨୦୧୯ରେ ସାଧାରଣ ନିର୍ବାଚନ ସମୟରେ ଭାରତର ନିର୍ବାଚନ କମିସନ ପ୍ରକାଶ କରିଥିବା ଭୋଟର ତାଲିକାରେ କୋଟିଆ ଗ୍ରାମ ସମୂହର ସମସ୍ତ ଭୋଟର କୋରାପୁଟ ନିର୍ବାଚନ ମଣ୍ଡଳୀରେ ଅନ୍ତର୍ଭୁକ୍ତ ବୋଲି ସ୍ପଷ୍ଟ କରାଯାଇଥିଲା। ୨୦୧୯ରେ ସାଧାରଣ ନିର୍ବାଚନ ପୂର୍ବରୁ ଉଭୟ ବିଜୟନଗରମ ଓ କୋରାପୁଟ ଜିଲ୍ଲାର ଜିଲ୍ଲାପାଳଙ୍କ ମଧ୍ୟରେ ବୈଠକ ବସିଥିଲା। ବୈଠକରେ କୋଟିଆ ଗ୍ରାମ ସମୂହରେ ନିର୍ବାଚନ ପ୍ରସଂଗରେ ବିଶେଷ ଭାବେ ଆଲୋଚନା କରାଯାଇଥିଲା। କୋଟିଆ ଅଞ୍ଚଳରେ ନିର୍ବାଚନ କାର୍ଯ୍ୟ ସଂପାଦନ ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନକୁ ସମସ୍ତ ସହଯୋଗ ପ୍ରଦାନ ପାଇଁ ବିଜୟନଗରମ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା। ଓଡ଼ିଶାର ଅଂଶ ଭାବେ କୋରାପୁଟ ନିର୍ବାଚନ ମଣ୍ଡଳୀ ଆସନ ପାଇଁ ଏହି ଅଞ୍ଚଳରେ ବିନା କୌଣସି ବାଧାରେ ସାଧାରଣ ନିର୍ବାଚନ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ କୋଟିଆ ଅଞ୍ଚଳରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ କରିବାକୁ ଉଦ୍ୟମ କରିଥିଲେ। ଆନ୍ଧ୍ର ସରକାରଙ୍କ ଏପରି କାର୍ଯ୍ୟ ସୁପ୍ରିମକୋର୍ଟଙ୍କ ୧୯୬୮ ଓ ୨୦୦୬ର ଆଦେଶର ଉଲ୍ଲଂଘନ ସ୍ପଷ୍ଟ ହୋଇଥିବା ବେଳେ ଏ ନେଇ ପ୍ରତିପକ୍ଷଙ୍କ ବିରୋଧରେ ଅଦାଲତ ଅବମାନନା ଗ୍ରହଣୀୟ। ତେଣୁ ସେମାନଙ୍କୁ ଦଣ୍ଡିତ କରାଯାଉ ବୋଲି ଓଡ଼ିଶା ସରକାରଙ୍କ ଆବେଦନରେ ଉଳ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର