ନୂଆଦିଲ୍ଲୀ : ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ଶନିବାର ଦିନ ୩୧ତମ ଶୁଣାଣି କରିଛନ୍ତି। ଜଷ୍ଟିସ୍‌ ଏଏମ୍‌ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ଶୁଣାଣିରେ ଓଡ଼ିଶା ଓ ଛତିଶଗଡ଼ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାମାନଙ୍କ ପାଖରୁ ହାସଲ କରିଥିବା ନଥି ସଂପର୍କରେ ଟ୍ରିବ୍ୟୁନାଲଙ୍କୁ ଅବଗତ କରିଥିଲେ। ପ୍ରାମାଣିକ ତଥ୍ୟ ତଥା ରେକର୍ଡର ଏକ ଅଂଶ ଭାବେ ଏହାକୁ ଗ୍ରହଣ କରାଯିବା ସହ କେନ୍ଦ୍ର ଓ ରାଜ୍ୟ କର୍ତ୍ତୃପକ୍ଷ ଅଧିକ ସୂଚନା ଓ ତଥ୍ୟ ଖୋଜିବାରେ ବାରଣ କରିପାରିବେ ନାହିଁ ବୋଲି ଏହି ଅବସରରେ ଟ୍ରିବ୍ୟୁନାଲ କହିଥିଲେ। କେନ୍ଦ୍ରୀୟ ସଂସ୍ଥାମାନଙ୍କ ଠାରୁ ହାସଲ ନଥି ପର୍ଯ୍ୟାପ୍ତ ବୋଲି ଓଡ଼ିଶା ଟ୍ରିବ୍ୟୁନାଲଙ୍କ ନିକଟରେ ମତ ରଖିଛି। ଅପରପକ୍ଷେ ଛତିଶଗଡ଼ ଏବେ ବି କେନ୍ଦ୍ରୀୟ ସଂସ୍ଥାମାନଙ୍କ ଠାରୁ ପୂର୍ଣ୍ଣାଙ୍ଗ ତଥ୍ୟ ହାସଲ ହୋଇନଥିବା ଟ୍ରିବ୍ୟୁନାଲଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସାକ୍ଷୀ ସତ୍ୟପାଠ ପ୍ରସ୍ତୁତ ହେବାରେ ବିଳମ୍ବ ‌ହେଉଥିବା ନେଇ ଟ୍ରିବ୍ୟୁନାଲଙ୍କୁ ମଧ୍ୟ ଛତିଶଗଡ଼ ଆଇନଜୀବୀ ଅବଗତ କରାଇଥିଲେ।

Advertisment

ଏହି ଅବସରରେ ଟ୍ରିବ୍ୟୁନାଲ ଛତିଶଗଡ଼ ଆଇନଜୀବୀଙ୍କୁ ପରାମର୍ଶ ଦେଇ କହିଥିଲେ, ଉପଲବ୍ଧ ତଥ୍ୟ ଓ ନଥି ଭିତ୍ତିରେ ସତ୍ୟପାଠ ପ୍ରସ୍ତୁତ କରି ଦାଖଲ କର। ଯେଉଁ ତଥ୍ୟଗୁଡ଼ିକର ଅଭାବ ରହିଛି, ତାହାର ଯତ୍ନ ଟ୍ରିବ୍ୟୁନାଲ ନେବେ। ତଥ୍ୟ ଉପଲବ୍ଧ ହେଉନଥିବା ଆଳରେ ପ୍ରସିଡିଂ ବିଳମ୍ବ ନ ହେଉ। ଏଥି ସହିତ ଆଜିର ଶୁଣାଣି ବେଳେ ଟ୍ରିବ୍ୟୁନାଲ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ଆଉ ଅପେକ୍ଷା କରାଯାଇପାରିବ ନାହିଁ, ଟ୍ରିବ୍ୟୁନାଲରେ ପୂର୍ବରୁ ପ୍ରସଙ୍ଗଗୁଡ଼ିକର ନିର୍ଦ୍ଧାରଣ ଶେଷ ହୋଇଛି ବୋଲି ମାମଲାର ତ୍ବରିତ ଶୁଣାଣି ପାଇଁ ଇଙ୍ଗିତ କରି ଟିବ୍ୟୁନାଲ ଏହା କହିଥିଲେ। ମହାନଦୀ ଅବବାହିକା ଓ ଉପଅବବାହିକାର ସଠିକ ଚିତ୍ରଣ ତଥା ଅନ୍ୟ ବୈଷୟିକ ପ୍ରସଙ୍ଗରେ ଆସେସରମାନଙ୍କ ସହିତ ଅଧିକ ବିଚାରବିମର୍ଶ ପାଇଁ ପକ୍ଷଭୁକ୍ତ ରାଜ୍ୟମାନେ ଟ୍ରିବ୍ୟୁନାଲଙ୍କ ନିକଟରେ ଦୁଇ ସପ୍ତାହ ସମୟ ପ୍ରଦାନ ପାଇଁ ଅନୁରୋଧ କରାଯାଇଥିଲା।

ସୂଚନାଯୋଗ୍ୟ ଯେ ମହାନଦୀ ଟ୍ରିବ୍ୟୁନାଲ ଆସେସରମାନଙ୍କ ଦ୍ବାରା କମନ୍‌ ଫର୍ମାଟ୍‌ ଇନଫର୍ମେସନ୍‌ (ସିଏଫ୍‌ଆଇ)କୁ ଚୂଡ଼ାନ୍ତ କରିବା ପରିପେକ୍ଷୀରେ ପକ୍ଷଭୁକ୍ତ ରାଜ୍ୟମାନଙ୍କ ବୈଷୟିକ ବିଶେଷଜ୍ଞମାନଙ୍କ ସହିତ ବୈଠକ କରାଯାଇଥିଲା। ମହାନଦୀର ଅବବାହିକା ଓ ଉପଅବବାହିକା ସଠିକ ଚିତ୍ରଣକୁ ନେଇ କିଛି ପ୍ରସଙ୍ଗରେ ଆସେସର ଦୁଇ ରାଜ୍ୟର ମତ ସହିତ ଅସହମତ ବ୍ୟକ୍ତ କରିଛନ୍ତି। ଦୟା ମହାନଦୀ ଅବବାହିକାର ଅଂଶ ବୋଲି ଦୁଇ ରାଜ୍ୟ କହିଥିବା ବେଳେ ଆସେସର୍‌ ଏଥିରେ ସହମତି ପ୍ରକାଶ କରିନାହାନ୍ତି। ତେବେ ନିର୍ଦ୍ଦେଶ ଅନୁସାରେ ଟ୍ରିବ୍ୟୁନାଲଙ୍କ ଦୁଇ ଆସେସର ସଂଜୀବ ଅଗ୍ରୱାଲ ଏବଂ ବିଜୟ କୁମାର ଦ୍ବିବେଦୀ ଓଡ଼ିଶା ଓ ଛତିଶଗଡ଼ ସମେତ ପକ୍ଷଭୁକ୍ତ ରାଜ୍ୟମାନଙ୍କ ବୈଷୟିକ ବିଶେଷଜ୍ଞମାନଙ୍କ ସହିତ ଆଲୋଚନା କରିବେ।

ଆଜିର ଶୁଣାଣି ସମୟରେ ଓଡ଼ିଶା ପକ୍ଷରୁ ଏମ୍‌ଏ ହକ ଓ ମନୋଜ ପଣ୍ଡା ଏବଂ ଛତିଶଗଡ଼ ପକ୍ଷରୁ ବାପୁଜୀ ରାଓଙ୍କ ଦ୍ବାରା ଦାଖଲ କରାଯାଇଥିବା ସାକ୍ଷୀ ସତ୍ୟପାଠକୁ ରେକର୍ଡକୁ ନେଇଥିଲେ। ମହାରାଷ୍ଟ୍ରକୁ ସାକ୍ଷୀ ସତ୍ୟପାଠ ଦାଖଲ ପାଇଁ ଟ୍ରିବ୍ୟୁନାଲ ଅନୁମତି ପ୍ରଦାନ କରିଥିଲେ। ମଧ୍ୟ ପ୍ରଦେଶର ଆବେଦନକୁ ଟ୍ରିବ୍ୟୁନାଲ ଗ୍ରହଣ କରିଥିଲେ ଏବଂ ଯୁଗ୍ମ ସଚିବ ପାହ୍ୟାର ଅଧିକାରୀଙ୍କ ଦ୍ବାରା ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶା ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା ଏବଂ ବରିଷ୍ଠ ଆଇନଜୀବୀ ମୋହନ ଭି କାଟାର୍କି, ଛତିଶଗଡ଼ ପକ୍ଷରୁ ବରିଷ୍ଠ ଆଇନଜୀବୀ ଏକେ ଗାଙ୍ଗୁଲୀ ଏବଂ ମହାରାଷ୍ଟ୍ର ପକ୍ଷରୁ ଜଣାଶୁଣା ଆଇନଜୀବୀ ଦୀପକ ନାଭଲରକର ଟ୍ରିବ୍ୟୁନା‌ଲରେ ମାମଲାର ପରିଚାଳନା କରିଥିଲେ। ଶୁଣାଣି ଅବସରରେ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ବିଚାରପତି ଏଏମ୍‌ ଖାନୱିଲକର ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର ସମସ୍ତ ପ୍ରସିଡିଂଗୁଡ଼ିକର ଡିଜିଟାଇଜେସନ କରାଯାଇଥିବା ସୂଚନା ଦେଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଟ୍ରିବ୍ୟୁନାଲ ନଭେମ୍ବର ୧୯କୁ ଧାର୍ଯ୍ୟ କରିଛନ୍ତି।