ନୂଆଦିଲ୍ଲୀ : ମହାନଦୀ ଜଳ ବିବାଦକୁ ନେଇ ଆଜି ଟ୍ରିବ୍ୟୁନାଲ ମାମଲାର ୩୧ତମ ଶୁଣାଣି କରିବେ। କରୋନା ମହାମାରୀ କାରଣରୁ ଟ୍ରିବ୍ୟୁନାଲ ମାମଲାର ଭର୍ଚୁଆଲ୍ ଶୁଣାଣି ଜାରି ରଖିଥିବା ବେଳେ ଆସନ୍ତାକାଲି ପ୍ରତ୍ୟକ୍ଷ ଶୁଣାଣି ହେବ। ଇତି ମଧ୍ୟରେ ଓଡ଼ିଶା ପକ୍ଷରୁ ମାମଲାର ଚତୁର୍ଥ ସାକ୍ଷୀ ଭାବେ ‘ଇନଷ୍ଟିଚ୍ୟୁଟ୍ ଅଫ୍ ଇକୋନୋମିକ୍ ଗ୍ରୋଥ୍’ର ପୂର୍ବତନ ନିର୍ଦ୍ଦେଶକ ମନୋଜ କୁମାର ପଣ୍ଡାଙ୍କ ଦ୍ବାରା ୫୧୦ ପୃଷ୍ଠାର ସତ୍ୟପାଠ ଦାଖଲ କରାଯାଇଛି। ମହାନଦୀ ଅବବାହିକାର ଓଡ଼ିଶା ପାର୍ଶ୍ବରେ ସାମାଜିକ ଓ ଆର୍ଥିକ ବିକାଶକୁ ନେଇ ଏଥିରେ ବିସ୍ତୃତ ତଥ୍ୟ ଦିଆଯାଇଛି।
ସତ୍ୟପାଠରେ କୁହାଯାଇଛି, ମହାନଦୀ ଓଡ଼ିଶାର ଜୀବନରେଖା। ୧୯୫୦ରେ ନିର୍ମାଣ କରାଯାଇଥିବା ହୀରାକୁଦ ନଦୀବନ୍ଧ ଓଡ଼ିଶାର ଅର୍ଥନୈତିକ ବିକାଶ ପାଇଁ କରାଯାଇଥିଲା। ଓଡ଼ିଶାରେ କୃଷି ଓ ଶିଳ୍ପର ବିକାଶ ସଂପୂର୍ଣ୍ଣ ଭାବେ ମହାନଦୀ ଜଳ ସହିତ ଜଡ଼ିତ। ଯଦି ଛତିଶଗଡ଼ ତଥା ଉପର ମୁଣ୍ଡରୁ ହୀରାକୁଦ ଡ୍ୟାମ୍କୁ ମହାନଦୀର ଜଳ ପ୍ରବାହ ହ୍ରାସ ପାଇବ ଏହା ରାଜ୍ୟ ଅର୍ଥନୀତି ଉପରେ ବ୍ୟାପକ ପ୍ରଭାବ ପକାଇବା ସହ ଅର୍ଥନୀତିକୁ ବହୁ କ୍ଷତି ପହଞ୍ଚାଇବ। ହୀରାକୁଦ ଜଳଭଣ୍ଡାରର ପର୍ଯ୍ୟାପ୍ତ ଜଳ କ୍ଷମତାକୁ ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି। ଯାହାଦ୍ବାରା ମହାନଦୀ ଜଳ ଦ୍ବାରା ବିକଶିତ ଅର୍ଥନୀତି ପ୍ରଭାବିତ ହେବ ନାହିଁ ବୋଲି ସତ୍ୟପାଠରେ କୁହାଯାଇଛି।
ଓଡ଼ିଶାର ୯ ଜଣ ସାକ୍ଷୀଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୪ ଜଣ ସାକ୍ଷୀ ଟ୍ରିବ୍ୟୁନାଲରେ ସତ୍ୟପାଠ ଦାଖଲ କରିଛନ୍ତି। ମହାନଦୀ ଜଳବିବାଦ ମାମଲାରେ ଟ୍ରିବ୍ୟୁନାଲ ଅଗଷ୍ଟ ୩୦, ୨୦୨୨ରେ ନଥିପତ୍ର ଯୋଗାଇ ଦେବାକୁ ନେଇ ଯେଉଁ ନୋଟିସ ଜାରି କରିଥିଲେ ସେଥିରେ କେନ୍ଦ୍ର ଜଳ ଆୟୋଗଙ୍କ ନିକଟରେ କୌଣସି ତଥ୍ୟ ନଥିବା ଟ୍ରିବ୍ୟୁନାଲକୁ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଗତ ମାସ ୧୧ ତାରିଖରେ ଇ-ମେଲ ଜରିଆରେ ଜଣାଇଛନ୍ତି। ସେହିଭଳି ଟ୍ରିବ୍ୟୁନାଲର ଆସେସରମାନଙ୍କ ଦ୍ବାରା ପକ୍ଷଭୁକ୍ତ ରାଜ୍ୟମାନଙ୍କର ବୈଷୟିକ ବିଶେଷଜ୍ଞମାନଙ୍କ ସହିତ ଗତମାସ ୨୮ ତାରିଖରେ ବୈଠକ ହୋଇଥିବା ଟ୍ରିବ୍ୟୁନାଲଙ୍କୁ ସୂଚନା ଦିଆଯାଇଛି।