କପିଳ ଦେବଙ୍କୁ ହୃଦଘାତ, ଦିଲ୍ଲୀ ହସପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର କିମ୍ବଦନ୍ତୀ ଖେଳାଳି କପିଳ ଦେବ ଆଜି ହୃଦଘାତର ଶିକାର ହୋଇଛନ୍ତି । ଏହା ଜଣାପଡ଼ିବା ପରେ ତାଙ୍କୁ ଦିଲ୍ଲୀର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଅସ୍ତ୍ରୋପଚାର ଚାଲିଛି ।

ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ କପିଳ ଦେବ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହା ହୃଦଘାତ ବୋଲି ଜଣାପଡ଼ିବା ପରେ ତାଙ୍କୁ ତୁରନ୍ତ ଦିଲ୍ଲୀର ଫୋର୍ଟିସ ଏସକର୍ଟ ହାର୍ଟ ଇନଷ୍ଟିଚ୍ୟୁଟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର  ଆଞ୍ଜିଓପ୍ଲାଷ୍ଟି ଚାଲିଛି । ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାଯାଇଛି ।

କପିଳ ଦେବଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ୍ ଦଳ ୧୯୮୩ରେ ଇଂଲାଣ୍ଡରେ ଅନୁଷ୍ଠିତ ବିଶ୍ବକପ କ୍ରିକେଟରେ ବିଶ୍ବ ଚାମ୍ପିୟନ ହୋଇଥିଲା । ତାଙ୍କ ଅଧିନାୟକତ୍ବରେ ଏକ ଯୁବ ଭାରତୀୟ ଦଳ ସେତେବେଳର ଦୁର୍ଦ୍ଧଷ ଓ୍ବେଷ୍ଟଇଣ୍ଡିଜ ଦଳକୁ ହରାଇ ସମଗ୍ର କ୍ରୀଡ଼ାଜଗତକୁ ଚମକାଇ ଦେଇଥିଲା।

ସମ୍ବନ୍ଧିତ ଖବର