ନୂଆଦିଲ୍ଲୀ: କୋଲହାପୁରରେ ମୃତ୍ୟୁର ଏକ ଭୟଙ୍କର ଦୃଶ୍ୟର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି। ଏହି ଭିଡିଓକୁ ଯିଏ ଦେଖୁଛନ୍ତି ତାଙ୍କ ଲୋମମୂଳ ଟାଙ୍କୁରି ଉଠୁଛି।  

Advertisment

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ମଧ୍ୟରାତ୍ରିରେ ଏକ ଦ୍ରୁତଗାମୀ କାର ରାସ୍ତା କଡ଼ରେ ପାର୍କିଂରେ ଠିଆ ହୋଇଥିବା ଅନେକ ଗାଡ଼ିକୁ ଧକ୍କା ଦେଇ ଆଗକୁ ମାଡ଼ି ଯାଉଛି । ଏହି ଦୁର୍ଘଟଣାରେ ୫୫ ବର୍ଷୀୟ ଧୀରଜ ଶିବାଜୀରାଓ ପାଟିଲଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। 

ସୂଚନାଯୋଗ୍ୟ, ଦୁର୍ଘଟଣା ଘଟିଥିବା ଏହି କାରକୁ ଧୀରଜ ପାଟିଲ ଚଲାଉଥିଲେ। କାର ଚଲାଉଥିବା ବେଳେ ହଠାତ ଧୀରଜ ହୃଦଘାତର ଶିକାର ହୋଇଥିଲେ। ଫଳରେ କାରଟି ନିୟନ୍ତ୍ରଣ ବାହାରକୁ ଚାଲି ଯାଇ ରାସ୍ତାରେ ଛିଡ଼ା ହୋଇଥିବା ଅନେକ ଗାଡ଼ିକୁ ଧକ୍କା ଦେଇଥିଲା। ସୌଭାଗ୍ୟବଶତଃ ଏହି ସମୟରେ ରାସ୍ତାରେ କୌଣସି ଯାତ୍ରୀ ଯିବା ଆସିବା କରୁ ନଥିଲେ କି ଧକ୍କା ‌ହୋଇଥିବା ଗାଡ଼ିରେ କେହି ନଥିଲେ। 

ଏହି ଦୁର୍ଘଟଣାକୁ ନେଇ କୋଲହାପୁରର ରାଜାରାମପୁରୀ ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି। ରାଜାରାମପୁରୀ ପୁଲିସ ଦୁର୍ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛି।

ଏହି ଭିଡିଓରେ ଆଉ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳୁଛି। ଦୁର୍ଘଟଣା ପୂର୍ବରୁ ଉକ୍ତ ରାସ୍ତାରେ ‌ଶୋଇଥିବା କିଛି କୁକୁର ଦୌଡ଼ା ଦୌଡ଼ି ହୋଇ ଭୁକିବା ଆରମ୍ଭ କରି ଦେଇଥିଲେ। ଭିଡିଓ ଦେଖି ଲୋକେ ପ୍ରତିକ୍ରିୟା ଦେଇ କହୁଛନ୍ତି, ‘ଦୁର୍ଘଟଣା ବିଷୟରେ କୁକୁରମାନେ ପୂର୍ବରୁ ସଙ୍କେତ ପାଇ ପାରିଥିଲେ କି? କାରଣ କୁକୁରମାନେ ଦୌଡ଼ାଦୌଡ଼ି ହୋଇ ଭୁକିବା ଆରମ୍ଭ କରିବାର କିଛି ସମୟ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା।