ଜେରୁଜେଲମ୍: ଗତ ୧୦ ମାସ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଉଭୟ ପକ୍ଷ ବିପଜ୍ଜନକ ଅସ୍ତ୍ରରେ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ୪୦ ହଜାରରୁ ଅଧିକ ପାଲେଷ୍ଟାଇନବାସୀ ପ୍ରାଣ ହରାଇଛନ୍ତି। ଗାଜାର କବରସ୍ତାନରେ ମୃତଦେହକୁ କବର ଦେବା ପାଇଁ ସ୍ଥାନ ନାହିଁ ।

Advertisment

ଏଭଳି ପରିସ୍ଥିତିରେ ବର୍ତ୍ତମାନ ରାସ୍ତା ଏବଂ ଖେଳ ପଡିଆରେ ମୃତଦେହକୁ କବର ଦିଆଯାଉଛି। ଏଭଳି ଛାତିଥରା ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ମୃତସଂଖ୍ୟା ବଢୁଥିବାରୁ ଆଗରୁ କବର ଖୋଳା କାମ କରାଯାଉଛି। ଦିନରାତି କବର ଖୋଳାଯାଉଛି। ଯାହାଦ୍ୱାରା ଯଥାସମ୍ଭବ ମୃତଦେହକୁ କବର ଦିଆଯାଇପାରିବ।

ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ଗାଜାରେ ୪୦ଜଣଙ୍କର ମୃତ୍ୟୁ ଘଟିଛି। ଅକ୍ଟୋବର ୭ ରୁ ବର୍ତ୍ତମାନ ସୁଦ୍ଧା ୪୦,୦୦୫ ଜଣଙ୍କର ମୃତ୍ୟୁ ଘଟଛି। ସେହିପରି ୯୨,୪୦୧ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତଦେହ ମଧ୍ୟରେ ସାଧାରଣ ନାଗରିକ କିଏ ଏବଂ ହମାସର ଯୋଦ୍ଧା କିଏ ତାହା ଜାଣିବା କଷ୍ଟକର ହୋଇ ପଡ଼ିଛି।

ଗାଜାର ଶବାଗାର ଏବଂ କବରରେ ମୃତଦେହ ପାଇଁ ସ୍ଥାନ ନାହିଁ। ଇସ୍ରାଏଲ୍ ଆକ୍ରମଣରେ ଭୟଭୀତ ହୋଇ ହମାସ ଯୋଦ୍ଧାମାନେ ନିଜ ଜୀବନ ରକ୍ଷା କରିବାକୁ ଏଠାରୁ ସେଠାକୁ ଦୌଡୁଛନ୍ତି। ଏଭଳି ପରିସ୍ଥିତିରେ ଲୋକମାନେ ନିଜ ପ୍ରିୟଜନଙ୍କ ମୃତଦେହକୁ ଘର ଭିତରେ କିମ୍ବା ପାର୍କିଂ ସ୍ଥାନରେ, ସିଡ଼ି ତଳେ ଅବା ରାସ୍ତା କଡ଼ରେ କବର ଦେଉଛନ୍ତି। ଅକ୍ଟୋବରରୁ ଲଗାତାର ଆକ୍ରମଣରେ ଗାଜାର ପ୍ରାୟ ୨ ପ୍ରତିଶତ ଲୋକ ପ୍ରାଣ ହରାଇଛନ୍ତି।

ଏହି ବିଷୟରେ ପାଲେଷ୍ଟାଇନ ଲେଖକ ୟୁସୁରି ଅଲଘୋଲ କହିଛନ୍ତି ଯେ ଲାଗୁଛି ଆଗାମୀ ସମୟରେ ଗାଜା ଏକ ବଡ଼ ଶ୍ମଶାନରେ ପରିଣତ ହେବ। ଯେଉଁମାନେ ଜୀବିତ ରହିଛନ୍ତି, ସେମାନେ ଏବେ ନିଜ ନିଜର ମରିବା ପାଳିକୁ ଅପେକ୍ଷା କରିଛନ୍ତି।