ପାଶ୍ଚାତ୍ୟ ଲୋକଙ୍କ ତୁଳନାରେ ଭାରତୀୟଙ୍କଠାରେ ହୃଦରୋଗ ହେବାର ଆଶଙ୍କା ୩ ଗୁଣ ଅଧିକ

କେକେଙ୍କ ମୃତ୍ୟୁ ପରେ ପୁଣି ଚର୍ଚ୍ଚାରେ ହୃଦରୋଗ

ନୂଆଦିଲ୍ଲୀ : ଲୋକପ୍ରିୟ ବଲିଉଡ ଗାୟକ କୃଷ୍ଣକୁମାର କୁନାଥ ବା କେକେଙ୍କ ଆକସ୍ମିକ ପରଲୋକ ପରେ ଭାରତରେ ପୁଣି ଥରେ ହୃଦରୋଗକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଭାରତରେ ବଢିଚାଲିଥିବା ହୃଦରୋଗ ସମସ୍ୟାକୁ ନେଇ ବିଶେଷଜ୍ଞମାନେ ପୁଣି ଥରେ ସତର୍କ କରାଇ ଦେଇଛନ୍ତି ।

ଭାରତର ବିଶିଷ୍ଟ ହୃହରୋଗ ବିଶେଷଜ୍ଞ ଓ ମେଦାନ୍ତ ହସପିଟାଲର ପରିଚାଳନା ନିର୍ଦ୍ଦେଶକ ଡ.ନରେଶ ତ୍ରେହାନ କହିଛନ୍ତି ଯେ, ପାଶ୍ଚାତ୍ୟ ଦେଶର ଲୋକମାନଙ୍କ ତୁଳନାରେ ଭାରତୀୟଙ୍କ ଠାରେ ହୃଦରୋଗ ହେବାର ଆଶଙ୍କା ୨-୩ ଗୁଣ ଅଧିକ । ଭାରତୀୟଙ୍କ ଖାଦ୍ୟ ଓ ଜୀବନଶୈଳୀ, ଜଳବାୟୁ ଓ ଜିନ ଏହାର ପ୍ରମୁଖ କାରଣ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ପରିବାରରେ ପୂର୍ବରୁ କୌଣସି ବ୍ୟକ୍ତିଙ୍କର ହୃଦରୋଗ ହୋଇଥିବାର ଇତିହାସ ଥିଲେ ବର୍ତ୍ତମାନର ସଦସ୍ୟମାନଙ୍କୁ ବି ହୋଇପାରେ । ଏଣୁ ସେମାନେ ୨୫ ବର୍ଷ ବୟସରୁ ହିଁ ନିଜର ପ୍ରଥମ ସ୍ବାସ୍ଥ୍ୟ ପରୀକ୍ଷା କରାଇନେବା ଉଚିତ । ସେହିପରି ଭାରତୀୟମାନେ ଅତ୍ଯଧିକ ମସଲାଯୁକ୍ତ ଓ ତୈଳଯୁକ୍ତ ଖାଦ୍ୟ ଖାଉଥିବାରୁ ଓ ଆବଶ୍ୟକତା ଅନୁସାରେ ବ୍ୟାୟାମ କରୁନଥିବାରୁ ବ୍ଲକେଜ ହେବାର ଆଶଙ୍କା ବଢିଯାଇଥାଏ । ଅନ୍ୟପକ୍ଷରେ ଧୁମପାନ ଏହାର ଆଉ ଏକ ବଡ଼ କାରଣ । ଏଣୁ ଲୋକମାନେ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହ ସନ୍ତୁଳିତ ଆହାର ଓ ନିୟମିତ ବ୍ୟାୟାମ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର