ବର୍ଲିନ୍(ଜର୍ମାନୀ): ମହାମାରୀ କୋଭିଡ୍-୧୯ରୁ ଆରୋଗ୍ୟ ଲାଭ କରିଥିବା ସିଂହଭାଗ ପୀଡ଼ିତଙ୍କର ହୃତ୍ପିଣ୍ଡ ଫୁଲିଯାଇଥିବା ଜଣାଯାଇଛି। ଫଳରେ କୋଭିଡ୍ର ଏ ପ୍ରକାର ଅନ୍ୟତମ ସଂକ୍ରମଣ ପରବର୍ତ୍ତୀ ଲକ୍ଷଣକୁ ନେଇ ଚିକିତ୍ସାବିଜ୍ଞାନୀମାନେ ଚିନ୍ତା ପ୍ରକଟ କରିଛନ୍ତି। ଗତ ଏପ୍ରିଲରୁ ଜୁନ୍ ମାସ ଭିତରେ ଜର୍ମାନୀର ଫ୍ରାଙ୍କଫର୍ଟ ବିଶ୍ବବିଦ୍ୟାଳୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଶହେ ଜଣ ରୋଗୀଙ୍କ ସମ୍ପର୍କରେ କରାଯାଇଥିବା ଅନୁଧ୍ୟାନରୁ ଏପରି ତଥ୍ୟ ମିଳିଛି। ସେମାନଙ୍କ ମଧ୍ୟରୁ ପ୍ରାୟ ୭୮ ପ୍ରତିଶତଙ୍କର ଏପରି ହୃଦ୍ ସମସ୍ୟା ଦେଖାଯାଇଥିବା ସମ୍ପର୍କରେ ଆମେରିକାନ୍ ମେଡିକାଲ୍ ଆସୋସିଏସନ୍ ପତ୍ରିକାରେ ପ୍ରକାଶିତ ବିବରଣୀରେ ଉଲ୍ଲେଖ କରାଯାଇଛି।
ଏହି କୋଭିଡ୍ ପୀଡ଼ିତମାନଙ୍କ ଭିତରୁ ୬୭ ଜଣ ଘରେ ଆରୋଗ୍ୟ ଲାଭ କରିଥିବା ବେଳେ ୩୩ ଜଣ ଡାକ୍ତରଖାନାରେ ହିଁ ଭର୍ତ୍ତି ହୋଇ ରହିଥିଲେ। ସେହିପରି ମୋଟ ୫୩ ଜଣ ପୁରୁଷ ଥିବା ବେଳେ ସମସ୍ତଙ୍କର ହାରାହାରି ବୟସ ୪୯ ବର୍ଷ ଥିବା କୁହାଯାଇଛି। ତେବେ ଅନୁଧ୍ୟାନ ପରିସରର ସ୍ବଳ୍ପତା ହେତୁ ୧୮ ବର୍ଷରୁ କମ୍ ବୟସର ରୋଗୀମାନଙ୍କ କଥା ଏଥିରେ ବିଚାରକୁ ନିଆଯାଇନାହିଁ ବୋଲି ଗବେଷକମାନେ କହିଛନ୍ତି। ସେହିପରି ଏହି ସଂକ୍ରମିତମାନେ କୋଭିଡ୍ର ଭୀଷଣ ସଂକ୍ରମଣ ବେଳର କି ଲକ୍ଷଣବିହୀନ ସଂକ୍ରମଣକୁ ପ୍ରତିପାଦନ କରୁନାହାନ୍ତି ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/heart-attack-marilyn.ca_-1.jpg)