ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପ୍ରତିଦ୍ବନ୍ଦ୍ବିତାରେ ହାରି ଯାଇଥିଲେ ବି ତିରବନନ୍ତପୁରମ୍ ସାଂସଦ ଶଶୀ ଥରୁର୍ ଅନେକଙ୍କ ହୃଦୟ ଜିଣିଯାଇଛନ୍ତି ବୋଲି ବିଶେଷସୂତ୍ରରୁ ପ୍ରକାଶ।
ଉକ୍ତ ନିର୍ବାଚନରେ ନାକଚ ହୋଇଥିବା ୪୧୬ଖଣ୍ଡ ଭୋଟ୍ରୁ ଅନ୍ୟୂନ ଗୋଟିଏ ବାଲଟ୍ରେ ଥରୁର୍ଙ୍କ ନାଁ ସମ୍ମୁଖ ଜାଗାରେ ଶରବିଦ୍ଧ ହୃଦୟ ଚିତ୍ରଟିଏ ଅଙ୍କିତ ହୋଇଛି। ସେହିପରି ଆଉ ଏକ ବାଲଟ୍ରେ ଖଡ଼ଗେଙ୍କ ନାଁ ସମ୍ମୁଖରେ ସ୍ବସ୍ତିକ ଅଙ୍କାଯାଇଥିବା ବେଳେ ଥରୁର୍ଙ୍କ ନାଁ ଆଗରେ ଟିକ୍ ଚିହ୍ନ ଦିଆଯାଇଛି।
ଆଉ କେତେକ ନାକଚ ବାଲଟ୍ ପେପର୍ରେ ରାହୁଲ୍ ଗାନ୍ଧୀଙ୍କ ନାମ ଉଲ୍ଳେଖ କରାଯାଇଛି। ସମୁଦାୟ ଭୋଟ୍ରୁ ୧୨% ପାଇଥିଲେ ବି ଟିମ୍ ଥରୁର୍ ଖୁବ୍ ଆନନ୍ଦିତ ହୋଇଛି। ଝାଡ଼ଖଣ୍ଡ, ଜମ୍ମୁ ଓ କଶ୍ମୀର, କେରଳ ଏବଂ ଉତ୍ତର ପ୍ରଦେଶରୁ ଥରୁର୍ ସବୁଠୁ ଅଧିକ ଭୋଟ୍ ପାଇଛନ୍ତି ବୋଲି ଥରୁର୍ କ୍ୟାମ୍ପ୍ର ବିଶ୍ଲେଷଣରୁ ଜଣାପଡ଼ିଛି। କେଉଁ ପ୍ରାର୍ଥୀ କେଉଁ ରାଜ୍ୟରୁ କେତେ ଖଣ୍ଡ ଭୋଟ୍ ପାଇଛନ୍ତି ତାହା ଯେପରି ଜଣା ନ ପଡ଼େ ସେଥିପାଇଁ ସବୁ ଭୋଟ୍ଗୁଡ଼ିକୁ ମିଶାଇ ଦିଆଯାଇଥିଲା।
ବୁଧବାର ଦିନ ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ଥରୁର୍ କହିଲେ, ବିବାଦ କରିବାକୁ ନୁହେଁ, ପରିବର୍ତ୍ତନ ଆଣିବାକୁ ସେ ପ୍ରାର୍ଥୀ ହୋଇଥିଲେ।
ପ୍ରକୃତରେ ଦଳର ପୁନଃ ଜାଗରଣ ଆରମ୍ଭ ହୋଇ ସାରିଛି ବୋଲି ମଧ୍ୟ ସେ ଗୁରୁତ୍ବାରୋପ କରି କହିଛନ୍ତି।