ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପହଲଗାମରେ ଆଜି ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରକୁ ଗୁଳିବର୍ଷା କରିବା ପରେ ଘଟଣାସ୍ଥଳରେ ହୃଦୟ ବିଦାରକ ସ୍ଥିତି ଦେଖିବାକୁ ମିଳିଥିଲା। ଆକ୍ରମଣ ପରେ ସାହାଯ୍ୟ ପାଇଁ ଅନେକ ମହିଳାଙ୍କ ବୁକୁଫଟା ଚିତ୍କାର ପାହାଡ଼ରେ ପ୍ରତିଧ୍ବନିତ୍ବ ହୋଇଥିଲା। ମହିଳାମାନଙ୍କ ବିକଳ କ୍ରନ୍ଦନର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଏହି ଭିଡିଓ ଅତ୍ୟନ୍ତ ଯନ୍ତ୍ରଣାଦାୟକ। ଏଥିରୁ ଗୋଟିଏ ଭିଡିଓରେ ଜଣେ ମହିଳା କହୁଛନ୍ତି, ‘ଆମେ ଭେଲ୍ପୁରୀ ଖାଉଥିଲୁ, ହଠାତ୍ ଜଣେ ଆତଙ୍କୀ ଆସିଲା ଏବଂ ମୋ ସ୍ବାମୀଙ୍କ ଉପରକୁ ଗୁଳି ଚଳାଇଲା। ସେହିପରି ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ଭୂମିରେ ପଡ଼ିଥିବା ବେଳେ ତାଙ୍କ ପାଖରେ ତାଙ୍କ ସ୍ତ୍ରୀ ତାଙ୍କୁ ଆଉ ଗୁଳି ନମାରିବାକୁ ଅନୁରୋଧ କରିଥିଲେ । ନିରୀହ ପର୍ଯ୍ୟଟକଙ୍କୁ ଧର୍ମ ପଚାରି ଏଭଳି ବର୍ବରତାର ସହ ଗୁଳିମାଡ଼ କାଶ୍ମୀରରେ ପ୍ରଥମ।
ଶ୍ରୀନଗର: କର୍ଣ୍ଣାଟକ ଶିବମୋଗାର ଜଣେ ବ୍ୟକ୍ତିଙ୍କର ଆଜି ଜମ୍ମୁ କାଶ୍ମୀର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ହୋଇଯାଇଛି। ମୃତ ବ୍ୟକ୍ତିଙ୍କ ନାଁ ମଞ୍ଜୁନାଥ। ସେ ପରିବାର ସହ ପହଲଗାମ ବୁଲିବାପାଇଁ ଯାଇଥିଲେ। ସାଙ୍ଗରେ ତାଙ୍କ ପତ୍ନୀ ପଲ୍ଲବୀ ଏବଂ ଛୋଟ ପୁଅ ଥିଲା। ପଲ୍ଲବୀ କହିଛନ୍ତି, ଆମେ ୩ ଜଣ - ମୁଁ, ମୋ ସ୍ବାମୀ ଏବଂ ପୁଅ ଏକାଠି କଶ୍ମୀର ଯାଇଥିଲୁ। ଆକ୍ରମଣ ସମୟରେ ଆମେ ପହଲଗାମରେ ଥିଲୁ ଏବଂ ମୋ ସ୍ବାମୀଙ୍କୁ ମୋ ଆଖି ଆଗରେ ସେମାନେ ହତ୍ୟା କଲେ। ଏହା ଯେମିତି ଏକ ଦୁଃସ୍ବପ୍ନ ଭଳି ଲାଗୁଥିଲା। ସତ ମନେ ହେଉନଥିଲା। ପ୍ରଥମେ ମୋ ସ୍ବାମୀଙ୍କୁ ଆହତ ଅବସ୍ଥାରେ ୩ ଜଣ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ, ତେବେ ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ହେଲା। ପଲ୍ଲବୀଙ୍କ ଅନୁଯାୟୀ ଆକ୍ରମଣକାରୀମାନେ ହିନ୍ଦୁଙ୍କୁ ଟାର୍ଗେଟ୍ କରି ଏହି ଆକ୍ରମଣ କରିଛନ୍ତି। ୩ରୁ ୪ ଜଣ ଲୋକ ଆମକୁ ଆକ୍ରମଣ କରିଥିଲେ ବୋଲି ପଲ୍ଲବୀ କହିଛନ୍ତି। ଆତଙ୍କବାଦୀଙ୍କୁ ପଲ୍ଲବୀ କହିଥିଲେ, ତୁମେମାନେ ମୋ ସ୍ବାମୀଙ୍କୁ ମାରି ସାରିଛ । ମୋତେ ବି ମାରିଦିଅ। ସେମାନଙ୍କ ମଧ୍ୟରୁ ଜଣେ ଆତଙ୍କବାଦୀ ପଲ୍ଲବୀଙ୍କୁ କହିଥିଲା-ଆମେ ତୁମକୁ ମାରିବୁନି, ତୁମେ ମୋଦୀଙ୍କୁ ଯାଇ ଆମ ଆକ୍ରମଣ ବିଷୟରେ କୁହ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/23/s5uLnWqm4sWDj8X8CXUp.jpg)
