ନୂଆଦିଲ୍ଲୀ: କର୍ଣ୍ଣାଟକ ପରେ ତେଲେଙ୍ଗାନା‌େର ବିଜୟ ହାସଲ କରି କଂଗ୍ରେସ ଦକ୍ଷିଣ ଭାରତରେ ଏହାର ସ୍ଥିତିକୁ ମଜଭୁତ କରିବାକୁ ଚାହୁଛି। କିନ୍ତୁ ଉତ୍ତର ଏବଂ କେନ୍ଦ୍ର ଭାରତରୁ ଏହା ମୂଳପୋଛ ହେବାକୁ ବସିଲାଣି। ‌ତେଲେଙ୍ଗାନା ବିଜୟରେ କଂଗ୍ରେସ ଯେତେ ଆନନ୍ଦିତ ନୁହେଁ, ତା ଠାରୁ ଅଧିକ କଷ୍ଟରେ ଅଛି ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼କୁ ହରାଇ। ରାଜସ୍ଥାନ ଓ ଛତିଶଗଡ଼ରେ ଏହାର ସରକାର ଥିବା ବେଳେ ମଧ୍ୟପ୍ରଦେଶରେ ବିଜୟ ନେଇ ଦଳ ଆଶାବାଦୀ ଥିଲା। କିନ୍ତୁ ଏସବୁ ରାଜ୍ୟ ହାତରୁ ଗଲା। ଆଉ ୪ ମାସ ପରେ ଲୋକସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ କଂଗ୍ରେସ ପାଇଁ ଏହା ଆଦୌ ଶୁଭଙ୍କର ନୁହେଁ। ଦେଶର ହିନ୍ଦୀ ଭାଷା ବହୁଳ ରାଜ୍ୟ ବା ’ହାର୍ଟଲାଣ୍ଡ’ କୁହାଯାଉଥିବା ମଧ୍ୟପ୍ରଦେଶ, ରାଜସ୍ଥ‌ାନ, ଛତିଶଗଡ଼ ଓ ଗୁଜରାଟରେ ବିଜେପି ଏହାର ସ୍ଥିିତିକୁ ମଜଭୁତ କରିଥିବାରୁ କଂଗ୍ରେସ ଚିନ୍ତା ବଢ଼ିଯାଇଛି।

Advertisment

ଅତିକମ୍‌ରେ ୧୦ଟି ରାଜ୍ୟରେ ବିଜେପିକୁ ଟକ୍କର ଦେବା ସ୍ଥିତିରେ ରହିଛି କଂଗ୍ରେସ। ଏହି ରାଜ୍ୟଗୁଡ଼ିକ ହେଲା: ଆସାମ, ଗୋଆ, ଗୁଜରାଟ, ଛତିଶଗଡ଼, ହରିଆଣା, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ରାଜସ୍ଥାନ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ। ଏହି ସବୁ ରାଜ୍ୟରେ ମୋଟ୍‌ ବିଧାୟକ ସଂଖ୍ୟା ୧୩୨୦ ଥିଲା ବେଳେ ଗତକାଲି ଫଳାଫଳ ଘୋଷଣା ପରେ କଂଗ୍ରେସ ବିଧାୟକ ସଂଖ୍ୟା ୪୩୯କୁ ଖସି ଆସିଛି। କେବଳ ଏତିକି ନୁହେଁ, ଏହି ୧୦ଟି ରାଜ୍ୟରେ ଏହାର ମାତ୍ର ୭ ଜଣ ଲୋକସଭା ସଭ୍ୟ ଅଛନ୍ତି। ହିମାଚଳ ପ୍ରଦେଶ ଓ କର୍ଣ୍ଣାଟକରେ ବିଜୟ ହାସଲ ପରେ ଜଣାପଡ଼ୁଥିଲା ଯେ କଂଗ୍ରେସ ପୁଣି ଏହାର ସ୍ଥିତି ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ମଜଭୁତ କରିବ। ଛତିଶଗଡ଼ ସମେତ ମଧ୍ୟ ପ୍ରଦେଶ ଓ ରାଜସ୍ଥାନରେ ଏହା ବିଜୟୀ ହେବ ବୋଲି ଦଳର ନେତାମାନେ ଆଶା ରଖିଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତା ଏବଂ ବିଜେପିର ଭିନ୍ନ ରଣନୀତି ଆଗରେ କଂଗ୍ରେସ ସ୍ବପ୍ନ ଭୁଶୁଡ଼ି ପଡ଼ିଲା।

ଗତକାଲିର ଫଳାଫଳ ଘୋଷଣା ପରେ ୨୮ଟି ରାଜ୍ୟ ମଧ୍ୟରୁ ୧୨ଟିରେ ବିଜେପି ଏକାକୀ ଶାସନ କରୁଥିବା ବେଳେ ଅନ୍ୟ ୪ଟି ରାଜ୍ୟରେ ଏହା ମେଣ୍ଟ ସରକାର ରହିଛି। ସେହିଭଳି କଂଗ୍ରେସ ମାତ୍ର ତିନିଟି ରାଜ୍ୟ: କର୍ଣ୍ଣାଟକ, ହିମାଚଳ ପ୍ରଦେଶ ଏବଂ ତେଲେଙ୍ଗାନାରେ କ୍ଷମତାରେ ରହିଛି। ୨୦୧୪ରେ ମୋଦୀ ପ୍ରଧାନମନ୍ତ୍ରୀ ହେବା ସମୟରେ ଗୁଜରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଭଳି ଆଉ କିଛି ରାଜ୍ୟରେ ବିଜେପି କ୍ଷମତାରେ ଥିଲା। କିନ୍ତୁ ୧୨ଟି ରାଜ୍ୟରେ ବିଜେପି ଶାସନ କରୁଛି। ଏହାକୁ ସବୁଠାରୁ ଉଲ୍ଲେଖନୀୟ ସଫଳତା ମିଳିଛି ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ। ସେଠାର ତିନିଟି ରାଜ୍ୟରେ ବିଜେପି ଏକାକୀ ଶାସନ କରୁଥିବ‌ା ବେଳେ ଅନ୍ୟ ତିନିଟି ରାଜ୍ୟରେ ମେଣ୍ଟ ସରକାର ଚଳାଇଛି। ଦିନେ ଏହିସବୁ ରାଜ୍ୟରେ କଂଗ୍ରେସ ଶାସନାଧୀନ ଥିଲା। କିନ୍ତୁ ଦଳ ଏବେ ଏହିସବୁ ରାଜ୍ୟେର ଅତି ଦୟନୀୟ ଅବସ୍ଥାରେ ରହିଛି।