ଜଳବାୟୁ ବିଜ୍ଞାନୀଙ୍କ ଚେତାବନୀ : ଆଗକୁ ଭାରତରେ ଗ୍ରୀଷ୍ମ ପ୍ରବାହ ୨୫ଗୁଣ ଅଧିକ ଦୀର୍ଘ ହୋଇପାରେ

ନୂଆଦିଲ୍ଲୀ:  ଯଦି ‘କାର୍ବନ୍‌’ ନିର୍ଗମନ ଉଚ୍ଚ ରହେ ଏବଂ ଏ ଶତାବ୍ଦୀ ଶେଷ ସୁଦ୍ଧା ବୈଶ୍ୱିକ ତାପମାତ୍ରା ୪ ଡିଗ୍ରି ସେଲିସିୟସ୍‌ ବୃଦ୍ଧି ପାଏ ତେବେ ୨୦୩୬ରୁ ୨୦୬୫ ସୁଦ୍ଧା ଭାରତରେ ଗ୍ରୀଷ୍ମ ପ୍ରବାହ ୨୫ ଗୁଣ ଅଧିକ ସମୟ ରହିବାର ସମ୍ଭାବନା ଥିବା କଥା  ଏକ ଆନ୍ତର୍ଜାତିକ ଜଳବାୟୁ ରିପୋର୍ଟରୁ ଜଣାପଡ଼ିଛି। ଜଳବାୟୁ ପରିବର୍ତ୍ତନ ଜନିତ ପ୍ରଭାବରୁ ତାପମାତ୍ରା ବୃଦ୍ଧି ଘଟୁଛି ବୋଲି ଏହି ରିପୋର୍ଟରେ ସ୍ପଷ୍ଟ କରାଯାଇଛି।

ଜଳବାୟୁ ପରିବର୍ତ୍ତନ ପ୍ରତ୍ୟେକ ‘ଜି୨୦’ ସଦସ୍ୟ ରାଷ୍ଟ୍ର ଉପରେ ବିଧ୍ୱସ୍ତକାରୀ ପ୍ରଭାବ ପକାଇବ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି। ‘ୟୁରୋ-ମେଡିଟେରିୟାନ୍‌ ସେଣ୍ଟର୍‌ ଅନ୍‌ କ୍ଲାଇମେଟ୍‌ ଚେଞ୍ଚ୍‌’ର ୪୦ରୁ ଊର୍ଦ୍ଧ୍ୱ ବୈଜ୍ଞାନିକ ଜଳବାୟୁ ଉପରେ ଗବେଷଣା କରି ଏହି ନିଷ୍କର୍ଷରେ ପହଞ୍ଚିଛନ୍ତି । ଉପରୋକ୍ତ ସଂସ୍ଥାଟି ହେଉଛି ‘ଇଣ୍ଟର୍‌ଗଭର୍ଣ୍ଣମେଣ୍ଟାଲ୍‌ ପାନେଲ୍‌ ଅନ୍‌ କ୍ଲାଇମେଟ୍‌ ଚେଞ୍ଚ୍‌’ ଅଧୀନରେ କାମ କରୁଥିବା ଇଟାଲିର ଏକ ଗବେଷଣା ସଂସ୍ଥାନ।

ଏହି ରିପୋର୍ଟରେ ସତର୍କ କରାଇ ଦିଆଯାଇଛି ଯେ, ‘ଜି୨୦’ ରାଷ୍ଟ୍ର ସମୂହ ଉପରେ ଜଳବାୟୁର ପ୍ରଭାବ ଅନୁଭୂତ ହେଲାଣି। ଗତ ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ମଧ୍ୟରେ ‘ଜି୨୦ ରାଷ୍ଟ୍ର ସମୂହରେ ଅଂଶୁଘାତଜନିତ ମୃତ୍ୟୁ ୧୫% ବୃଦ୍ଧି ପାଇବା ସହ ବନାଗ୍ନି ଯୋଗୁଁ କାନାଡା ଭଳି  ଆକୃତିର ଦେଶର ଅର୍ଦ୍ଧେକ ଅଞ୍ଚଳ ଜଙ୍ଗଲ ପୋଡ଼ି ଛାରଖାର ହୋଇଗଲାଣି।

Image Courtesy of Down to Earth

ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ସମୁଦ୍ର ପତ୍ତନ ବୃଦ୍ଧି ଯୋଗୁଁ ମଧୁରଜଳ ହ୍ରାସ ପାଇବା ସହ ଉପରୋକ୍ତ ଦେଶମାନଙ୍କରେ ଡେଙ୍ଗୁଜନିତ ମୃତ୍ୟୁ ବୃଦ୍ଧି ପାଇଛି। ‘ସବୁଜ ଗୃହ ବାଷ୍ପ’  ଗ୍ରିନ୍ ହାଉସ୍ ଗ୍ୟାସ ନିର୍ଗମନ ମାତ୍ରା ହ୍ରାସ ନ ପାଇଲେ ୩୦ ବର୍ଷ ମଧ୍ୟରେ ବିଶ୍ୱର ସବୁଠୁ ସମୃଦ୍ଧ ଅର୍ଥନୀତିଗୁଡ଼ିକ ଉପରେ ମଧ୍ୟ ଜଳବାୟୁ ପରିବର୍ତ୍ତନଜନିତ କୁପ୍ରଭାବ ପଡ଼ିବ।

ଏଥିଯୋଗୁଁ ପ୍ରଭାବିତ ହେବାକୁ ଥିବା ଦେଶମାନଙ୍କ ମଧ୍ୟରେ ଭାରତ ଉପରେ ସବୁଠୁ ଅଧିକ କୁପ୍ରଭାବ ପଡ଼ିବ ବୋଲି ଏହି ରିପୋର୍ଟରେ କୁହାଯାଇଛି। ଜଳବାୟୁ ବୈଜ୍ଞାନିକ ଅଞ୍ଜଲ୍‌ ପ୍ରକାଶ କହନ୍ତି, ଭାରତରେ କେତେଗୁଡ଼ିଏ ଜଳବାୟୁଭିତ୍ତିକ ‘ହଟ୍‌ସ୍ପଟ୍‌’ ରହିଛି। ପ୍ରାୟ ୭,୫୦୦ କିଲୋମିଟର୍‌ ଦୀର୍ଘ ଉପକୂଳବର୍ତ୍ତୀ ଅଞ୍ଚଳରୁ ଆରମ୍ଭ କରି ହିମାଳୟ ପର୍ଯ୍ୟନ୍ତ ବ୍ୟାପ୍ତ ଉତ୍ତର ଏବଂ ପୂର୍ବାଞ୍ଚଳ ଭାରତର ଅନେକ ରାଜ୍ୟ ୫୪% ଶୁଷ୍କ ଅଞ୍ଚଳ ଗ୍ରୀଷ୍ମ ପ୍ରବାହର ଶିକାର ହୁଏ। ତୁରନ୍ତ ପଦକ୍ଷେପ ଗ୍ରହଣ କରା ନ ଗଲେ ଭାରତ ଉପରେ ଗ୍ରୀଷ୍ମ ପ୍ରବାହର କୁପ୍ରଭାବ ପଡ଼ିବା ସହ ପରିସ୍ଥିତି ଆହୁରି ବିଗିଡ଼ି ଯିବାର ଆଶଙ୍କା ରହିଛି। ଫଳତଃ, ୨୦୩୬ରୁ ୨୦୬୫ ମଧ୍ୟରେ ଭାରତରେ ଗ୍ରୀଷ୍ମ ପ୍ରବାହ ୨୫ ଗୁଣ ଦୀର୍ଘତର ହେବ।

ମାତ୍ରାଧିକ ଉତ୍ତାପ ଯୋଗୁଁ ୨୦୫୦ ବେଳକୁ ଶ୍ରମିକମାନଙ୍କର ଜୀବିକାକୁ ମଧ୍ୟ ପ୍ରଭାବିତ କରିବ। କୃଷି ପାଇଁ ୨୯% ଅଧିକ ଜଳ ଆବଶ୍ୟକ ପଡ଼ିବ ଏବଂ ୨୦୩୬ରୁ ୨୦୬୫ ମଧ୍ୟରେ ବହୁବାର ମରୁଡ଼ି ଦେଖାଦେବ। ମାଛମରା ମଧ୍ୟ ୮.୮% ହ୍ରାସ ପାଇବ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।

ସମ୍ବନ୍ଧିତ ଖବର