ୟୁରୋପରେ ଅଭୁତପୂର୍ବ ଗ୍ରୀଷ୍ମପ୍ରବାହ ; କେବଳ ସ୍ପେନ, ପର୍ତ୍ତୁଗାଲରେ ୧୦୦୦ ମୃତ

ଲଣ୍ଡନ : ଭାରତରେ ଗ୍ରୀଷ୍ମପ୍ରବାହ ଏକ ସାଧାରଣ କଥା । କିନ୍ତୁ ଇଂଲଣ୍ଡରେ ? ଆଶ୍ଚର୍ୟ୍ୟ ମନେହେଲେ ବି ସତ । ଇଂଲଣ୍ଡରେ ଏବର୍ଷ ଏପରି ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି, ଯାହାକି ପୂର୍ବରୁ କେବେ ହୋଇନଥିଲା । ଲଣ୍ଡନ ସମେତ ଇଂଲଣ୍ଡର କେତେକ ସ୍ଥାନରେ ପାରା ୪୦ ଡିଗ୍ରୀ ଟପିଯାଇଛି । ପ୍ରବଳ ଗରମ ସହ ଅଭ୍ୟସ୍ତ ନଥିବା ଇଂଲଣ୍ଡବାସୀ ଏହି ଗ୍ରୀଷ୍ମପ୍ରବାହ ଯୋଗୁଁ ଅସ୍ତବ୍ୟସ୍ତ ହୋଇଗଲେଣି । ଇଂଲଣ୍ଡର ବକିମହାମ୍ ପ୍ୟାଲେସ ବାହାରେ ମୁତୟନ ଥିବା କ୍ବିନ୍ସ ଗାର୍ଡ (ରାଣୀଙ୍କ ସୁରକ୍ଷାକର୍ମୀ)ଙ୍କୁ ଜଣେ ବ୍ୟକ୍ତି ପାଣି ପିଆଉଥିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଇଂଲଣ୍ଡରେ କେତେକ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । କେତେକ ରେଳ ସେବା ବାତିଲ କରାଯାଇଛି ।

କେବଳ ଇଂଲଣ୍ଡ ନୁହେଁ, ପଶ୍ଚିମ ଓ ଦକ୍ଷିଣ ୟୁରୋପର ଦେଶଗୁଡ଼ିକରେ ଏବର୍ଷ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଛି । ପ୍ରବଳ ଗରମ ଯୋଗୁଁ କେବଳ ପର୍ତ୍ତୁଗାଲ ଓ ସ୍ପେନରେ ୧୦୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିସାରିଲେଣି । ଫ୍ରାନ୍ସର ଜଙ୍ଗଲରେ ନିଆଁ ଲାଗୁଥିବାରୁ ସେଠାକାର ସରକାର ପ୍ରାୟ ୧୬ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ନେଇଛନ୍ତି । ସ୍ପେନର ମିଜାସ ହିଲରେ ନିଆଁ ଲାଗିବାରୁ ୩୨୦୦ ଲୋକ ସୁରକ୍ଷିତ ସ୍ଥାନକୁ ପଳାଇଯାଇଛନ୍ତି । କେବଳ ସ୍ପେନ ବା ଫ୍ରାନ୍ସ ନୁହେଁ, ଗ୍ରୀସ ଓ କ୍ରୋଏସିଆର ଜଙ୍ଗଲରେ ବି ନିଆଁ ଲାଗିଛି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏପରି ହେଉଥିବା କୁହାଯାଉଛି ।

 

ସମ୍ବନ୍ଧିତ ଖବର