ଲଣ୍ଡନ: ଇଂଲଣ୍ଡର ରାଣୀ କାମିଲାଙ୍କ ଭଉଣୀ ଆନାବେଲ ଇଲିୟଟ୍ ରାଜକୀୟ ବିବାହ ବିଷୟରେ ଏକ ବିରଳ ସୂଚନା ଦେଇଛନ୍ତି। ଗୋଟିଏ ଶବ୍ଦରେ ସେ କହିଥିଲେ ଯେ ରାଣୀ କାମିଲା ହେଉଛନ୍ତି ରାଜାଙ୍କ ‘ରକ୍’ (ଦୃଢ଼ ମନୋବଳ)। ଏକ ନୂଆ ଡକ୍ୟୁମେଣ୍ଟାରି ପାଇଁ ବିବିସିକୁ ଦେଇଥିବା ସାକ୍ଷାତ୍କାରରେ ଆନାବେଲ କହିଛନ୍ତି ଯେ, ସେ ଏକ ଚମତ୍କାର ବିବାହରେ ତାଙ୍କ ‘ୟାଙ୍ଗ୍’ର ‘ୟିନ୍’ (ଆଦମଙ୍କର ଇଭ୍) ଅଟନ୍ତି। ରାଣୀ କାମିଲା ରାଜାଙ୍କୁ ସବୁ କଥାରେ ସମର୍ଥନ କରୁଥିବା ବେଳେ ରାଜା ଚାର୍ଲସ ତାଙ୍କ ପତ୍ନୀଙ୍କୁ ନୂଆ ଜ୍ଞାନ ଓ ଆଗ୍ରହ ବାଣ୍ଟିଥିଲେ।
ରାଜ୍ୟାଭିଷେକ ସମୟରେ ରାଣୀ କାମିଲାଙ୍କୁ ସାହାଯ୍ୟ କରିଥିବା ଦୁଇ ବିଶପଙ୍କ ମଧ୍ୟରୁ ଅନ୍ୟତମ ହେରଫୋର୍ଡର ବିଶପ ରିଚାର୍ଡ ଜ୍ୟାକସନ କହିଛନ୍ତି, ସେମାନେ ଅସାଧାରଣ ସ୍ନେହୀ ଯାହା ତାଙ୍କୁ ବିଶେଷ ଭାବରେ ଆକର୍ଷିତ କରିଛି। ତାଙ୍କ ବିବାହ ଉତ୍ସବରେ ଯୋଗଦେବା ତାଙ୍କ ପାଇଁ ସୌଭାଗ୍ୟର ବିଷୟ ଥିଲା। ପାରସ୍ପରିକ ଦୃଢ଼ ସମ୍ପର୍କ ସତ୍ତ୍ୱେ ଏହି ଯୋଡ଼ି ସମ୍ପୂର୍ଣ୍ଣ ବିପରୀତ ଥିଲେ ବୋଲି ଆନାବେଲ କହିଛନ୍ତି। ସେ କହିଛନ୍ତି, କାମିଲା ତାଙ୍କର (ରାଜାଙ୍କର) ଦୃଢ଼ ମନୋବଳ ଏବଂ ରାଜା ତାଙ୍କୁ ସବୁ ଦେଇଛନ୍ତି। ସେ ଏହା ଉପରେ ଅଧିକ କହିପାରିବେ ନାହିଁ। କାମିଲା ତାଙ୍କ ସ୍ବାମୀଙ୍କ ପ୍ରତି ସମ୍ପୂର୍ଣ୍ଣ ବିଶ୍ୱସ୍ତ ଅଟନ୍ତି।